ଖୋର୍ଦ୍ଧା: କଳାହାଣ୍ଡି ମହାଲିଙ୍ଗଠାରେ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଓ ଏଥିରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ମାଲିକ ଗୋବିନ୍ଦ ସାହୁ ଓ ଗୋବିନ୍ଦ ସାହୁଙ୍କୁ ସହଯୋଗ କରୁଥିବା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ଗିରଫ ଦାବିରେ ଆଜି ଭାରତୀୟ ଜନତା ପାର୍ଟିର ଯୁବ ମୋର୍ଚ୍ଚା ଓ ମହିଳା ମୋର୍ଚ୍ଚାର ଶତାଧିକ ସଦସ୍ୟ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଧାରଣା ଦେଇଛନ୍ତି । ଆଜି ମଧ୍ୟାହ୍ଣ ପ୍ରାୟ ୧୨ଟା ବେଳେ ବିଜେପିର ନେତା ଓ କର୍ମକର୍ତା, ସଦସ୍ୟମାନେ ଏକ ବିଶାଳ ରାଲିରେ ନୂଆ ବସଷ୍ଟାଣ୍ଡ ଠାରୁ ବାହାରି ଖୋର୍ଦ୍ଧା ଗ୍ରାମାଂଚଳ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ।

ସେଠାରେ ପ୍ରାୟ ୨ ଘଣ୍ଟା ଧାରଣା ଦେବା ସହ ରାଜ୍ୟ ସରକାରଙ୍କ ଅପରାଗତା ଓ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବା ପ୍ରଚେଷ୍ଟାକୁ ତୀବ୍ର ନିନ୍ଦା କରିଥିଲେ । ଏହାପରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ପ୍ରତିବାଦ ଓ ବିକ୍ଷୋଭକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଥିଲା । ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାରିକେଡ୍ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ପୃଥିବୀରାଜ ହରିଚନ୍ଦନ, ଜିଲ୍ଲା ସଭାପତି ରଶ୍ମୀ ରଂଜନ ମହାପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରଦୀପ ବଡ଼ଜେନା, ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ପ୍ରବୀଣା ଭଂଜଦେଓ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଚରଣ ଖଣ୍ଡାୟତରାୟ, ପୂର୍ବତନ ସଭାପତି ନିକୁଂଜ ପଟ୍ଟନାୟକ, ଜିଲ୍ଲା ମହିଳାମୋର୍ଚ୍ଚା ଉପସଭାନେତ୍ରୀ ରୋଜିନାରାଣୀ ଦାଶ, ରଶ୍ମିତା ପାଲଟାସିଂହ, ଦୀନବନ୍ଧୁ ସାହୁ, ପ୍ରଦୀପ୍ତ ପାଣି, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଆଶୁତୋଷ ବେହେରା, ତପନ ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ ।

The post ମମିତା ମେହେରଙ୍କ ନ୍ୟାୟ ପାଇଁ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କଲା ବିଜେପି first appeared on Sambad.

from ଜିଲ୍ଲା | Sambad https://ift.tt/3pKgM9J