
ବଡ଼ମ୍ବା : ବଡ଼ମ୍ବାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଖାରୋଡ଼ ଗ୍ରାମସ୍ଥିତ ମା ମହାକାଳୀଙ୍କ ପୀଠରେ ଶାରଦୀୟ ପୂଜାର ମହାନବମୀ ରାତିରେ ବଳି ଉତ୍ସବକୁ ନେଇ ତୁମୁଳକାଣ୍ଡ ଘଟିଛି। ମଧ୍ୟରାତ୍ରିରେ ବଳି ଉତ୍ସବକୁ କେନ୍ଦ୍ର କରି ପୁଲିସ ଓ ସ୍ଥାନୀୟ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ଏଥିରେ ଅଞ୍ଚଳର ଜଣେ ବାଳକ ଓ ଶାନ୍ତିଶୃଙ୍ଖଳା ନିୟନ୍ତ୍ରଣ ପାଇଁ ପୀଠରେ ନିୟୋଜିତ ଦୁଇ ଜଣ ସଶସ୍ତ୍ର ଯବାନ ଗୁରୁତର ଆହତ ହୋଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ମୃଦୁ ଲାଠି ଚାଳନା ଓ ପରେ ଫାଙ୍କା ଗୁଳିଚାଳନା କରାଯାଇଥିଲା। ସ୍ଥାନୀୟ ଜନପ୍ରତିନିଧି, ରାଜନେତା ଓ ମୁରବି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।
କୋଭିଡ୍ ନିୟମ ପାଳନ ତଥା ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲାଗି ମା ମହାକାଳୀଙ୍କ ପୀଠରେ ସଶସ୍ତ୍ର ପୁଲିସ ମୁତୟନ କରାଯାଇଥିଲା। ଯଥାରୀତି ଠାକୁରାଣୀଙ୍କ ନୀତିକାନ୍ତି କରାଯାଉଥିଲା ବେଳେ ବାର୍ଷିକ ଯାତ୍ରା ବାତିଲ ହୋଇଥିବାରୁ ପୀଠରେ ଭିଡ଼ ନ ଥିଲା। ତେବେ ପୀଠରେ ବଳି ଉତ୍ସବ ସମୟ ଅର୍ଥାତ୍ ବୁଧବାର ମଧ୍ୟରାତ୍ରରେ ଧୀରେଧୀରେ ଲୋକଙ୍କ ଭିଡ଼ ଜମିବା ଆରମ୍ଭ ହୋଇଥିଲା। ପୀଠ ପରିସର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଭିଡ଼ ନ କରିବା ଲାଗି ଲୋକଙ୍କୁ ପୁଲିସ କହିଥିଲା। ଏହାକୁ ନେଇ ଲୋକଙ୍କ ସହ ପୁଲିସର ଯୁକ୍ତିତର୍କ ହୋଇଥିଲା। ଲୋକଙ୍କୁ ଘଉଡ଼ାଇବା ପାଇଁ ପୁଲିସ ପକ୍ଷରୁ ମୃଦୁ ଲାଠି ଚାଳନା କରାଯାଇଥିଲା।
ଏହାପରେ ଲୋକେ ଢେଲାପଥର ମାଡ଼ କରିବାରୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ଏହି ସମୟରେ ଖାରୋଡ଼ ଗ୍ରାମର ବନମାଳି ବେହେରାଙ୍କ ଛୋଟ ପୁଅ ଗୁରୁତର ଆହତ ହେବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ସୀମିତ ସଂଖ୍ୟକ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଢେଲାପଥର ମାଡ଼ରେ ଦୁଇଜଣ ଯବାନଙ୍କ ମୁଣ୍ଡ ଫାଟିଯିବା ସହ ସେମାନେ ଗୁରୁତର ଆହତ ହୋଇଥିଲେ। ଏପରି କି ବଡ଼ମ୍ବା ଥାନା ଆଇଆଇସିଙ୍କ ଭ୍ୟାନ୍କୁ ଲୋକେ ଭାଙ୍ଗି ଦେଇଥିଲେ। ପୁଲିସ କର୍ମଚାରୀମାନେ ନିଜକୁ ବଂଚାଇବାକୁ ମନ୍ଦିର ରୋଷଘରେ ଆଶ୍ରୟ ନେଇଥିଲେ। ଏହାସତ୍ତ୍ବେ ସଂଘବଦ୍ଧ ଆକ୍ରମଣ ପାଇଁ ଉଦ୍ୟମ କରାଯିବାରୁ ପୁଲିସ ଗୋଟିଏ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲା। ଫଳରେ ଲୋକେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ଖବର ପାଇ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରଘୁପତି ମହାନ୍ତି, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ଦଳବେହେରା, ପୂର୍ବତନ ସରପଞ୍ଚ ଶ୍ରୀବତ୍ସ ଆରୁଖ ପ୍ରମୁଖ ସ୍ଥାନୀୟ ମୁରବି ଓ ନେତୃସ୍ଥାନୀୟ ବ୍ୟକ୍ତି ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଶାନ୍ତି ବଜାୟ ରଖିବା ପାଇଁ ଅନୁରୋଧ କରିଥିଲେ। ଫଳରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲେ। ଅନ୍ୟପଟେ ଏହି ଘଟଣାରେ ଆହତମାନେ ଡାକ୍ତରଖାନାରେ ଚିକିତ୍ସା ପରେ ଘରକୁ ଫେରିଥିବା ସୂଚନା ମିଳିଛି।
The post ବଳି ଉତ୍ସବକୁ ନେଇ ବଡ଼ମ୍ବା ମହାକାଳୀ ପୀଠରେ ଖଣ୍ଡଯୁଦ୍ଧ first appeared on Sambad.from ଜିଲ୍ଲା | Sambad https://ift.tt/3FRzC4D
0 Comments