
ଯାଜପୁର/ଚଢେଇଧରା : ଧର୍ମଶାଳା ତହସିଲ ପକ୍ଷରୁ ଲିଜ୍ ପ୍ରଦାନ କରାଯାଇଥିବା ସୈରାତ ଗୁଡିକର ସୀମା ନିର୍ଧାରଣ କାର୍ଯ୍ୟ ଆରମ୍ଭ କରାଯାଇଛି। ବୁଧବାର ରାହାଡ଼ପୁର ପାହାଡ଼ରେ ଥିବା ଖାଦାନ ଗୁଡ଼ିକର ସୀମା ଖୁଣ୍ଟ ପୋତିବାକୁ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ନେତୃତ୍ବରେ ଯାଇଥିବା ପ୍ରତିିନିଧି ଦଳ ନିରାଶ ହୋଇଫେରିଛନ୍ତି। ଖାଦାନଗୁଡ଼ିକର ନକ୍ସା ଓ ମାପଚୁପ ମଧ୍ୟରେ ତାଳମେଳ ନାହିଁ ବୋଲି ଜଣାପଡ଼ିଛି। ଏପରିକି ଟେଣ୍ଡରରେ ଦର୍ଶାଯାଇଥିବା ଜମିର ନକ୍ସା ଓ କ୍ଲଷ୍ଟରରେ ଦର୍ଶାଯାଇଥିବା ଜମିର ନକ୍ସା ଭିନ୍ନ ଭିନ୍ନ ବୋଲି ଜଣାପଡ଼ିଛି। ଯାହାକୁ ନେଇ ବିବାଦ ଦେଖାଦେଇଛି।
ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ଲଘୁ ଖଣିଜ ନିୟମ ଅନୁସାରେ ପ୍ରତ୍ୟେକ ସୈରାତର ପରିସୀମା ଚିହ୍ନଟ କରି ସିମେଣ୍ଟ ଖୁଣ୍ଟି ପୋତି ଲିଜ୍ଧାରୀଙ୍କୁ ହସ୍ତାନ୍ତର କରାଯିବା ଲାଗି ବ୍ୟବସ୍ଥା ଅଛି। ତେବେ ସୈରାତ୍ ଲିଜଧାରୀ ପରିସୀମା ବାହାରେ ବେଆଇନ ଖନନ କରିଆସୁଛନ୍ତି। କେଉଁଠି ପୋତା ଯାଇଥିବା ସୀମା ଖୁଣ୍ଟକୁ ବାହାର କରି ନିଜ ଇଚ୍ଛାମୁତାବକ ଖନନ କରାଯାଇଛି ତ ଆଉ କେଉଁଠି ଅତ୍ୟଧିକ ଖନନ କରାଯାଇଛି। ଏ ନେଇ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । କଳାପଥର ସୈରାତ ପରିସୀମାକୁ ନେଇ ଲିଜ୍ ପରବର୍ତ୍ତୀ ସମୟରେ କୌଣସି ଦ୍ୱନ୍ଦ୍ୱ ନରହିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦେଶ ଆସିଛି। ବର୍ତମାନ ଜିପିଏସ୍ ରିଡିଂ ମାଧ୍ୟମରେ ସୈରାତ ସୀମା ସ୍ଥିର କରାଯାଇ ଖୁଣ୍ଟ ପୋତାଯିବ। ସମ୍ପୃକ୍ତ ଲିଜ୍ଧାରୀମାନଙ୍କୁ ସେହି ସ୍ଥାନରେ ଠିଆ କରାଇ ସୂଚନା ଫଳକ ସହ ଫଟୋ ଉଠେଇବା ବ୍ୟବସ୍ଥା କରାଯିବ। ଏହା ଦ୍ୱାରା ଭବିଷ୍ୟତରେ ସୈରାତ ନିକଟରେ କଳାପଥର ଚୋରି ହେଲେ ଲିଜ୍ଧାରୀ ପ୍ରଶାସନକୁ ଅବଗତ କରିବେ। ନଚେତ ସେହି ବେଆଇନ ଖନନ ଲାଗି ଲିଜଧାରୀ ଦାୟୀ ରହିବେ।
ଧର୍ମଶାଳା ତହସିଲ ଅଧୀନ ରାହାଡ଼ପୁର କଳାପଥର ପାହାଡ଼ରେ ନୂତନ ଭାବେ ଲିଜ ଦିଆଯିବାକୁ ଥିବା ତିନଟି ସୈରାତର ସୀମାଖୁଣ୍ଟ ପୋତା କାମ ତହସିଲଦାର ସ୍ୱାଗତ ଦାସଙ୍କ ତତ୍ତ୍ବାବଧାନରେ ଆରମ୍ଭ ହୋଇଛି। ତହସିଲଦାର ଶ୍ରୀ ଦାସଙ୍କ ସହ ଡଙ୍କାରୀ ସର୍କଲ ରାଜସ୍ୱ ନିରୀକ୍ଷକ, ତହସିଲ ଅମିନ ଓ ଜିଓଲୋଜି ସର୍ଭେୟର ଉପସ୍ଥିତ ରହି ଏହି କାମ ଆରମ୍ଭ କରିଛନ୍ତି। ପ୍ରଶାସନ ଓ ଲିଜଧାରୀଙ୍କ ଉପସ୍ଥିତିରେ ଚାଲୁଥିବା ଏହି ମାପଚୁପରେ ତାଳମେଳ ନଥିବାରୁୁ ଏହି ସୀମାଖୁଣ୍ଟ ପୋତା କାମ ବାଧାପ୍ରାପ୍ତ ହୋଇଛି। ନୂତନ ଭାବେ କରାଯାଇଥିବା କ୍ଲଷ୍ଟର ଷ୍ଟ୍ରେସ୍ମ୍ୟାପ ଅନୁସାରେ ପ୍ରଶାସନ ସୀମା ସ୍ଥିର କରି ସୈରାତ ହସ୍ତାନ୍ତର କରିବାକୁ ଯୋଜନା ରଖିଛି।
The post ରାହାଡ଼ପୁର ପାହାଡ଼ରେ ସୀମା ଖୁଣ୍ଟ ପୋତି ପାରିଲେନି ତହସିଲଦାର: ଲିଜ୍ ଖାଦାନର ନକ୍ସା ଓ ମାପଚୁପରେ ତାଳମେଳ ନାହିଁ first appeared on Sambad.from ଜିଲ୍ଲା | Sambad https://ift.tt/3bjxiVP
0 Comments