ବୌଦ୍ଧ : ଶନିବାର ରାତିରେ ମହାନଦୀର କିଆକଟା ପୋଲ ଉପରେ କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ବାଇକ୍‌ ପଛପଟେ ବସିଥିବା ଅଧ୍ୟାପକଙ୍କ ପତ୍ନୀ ମହାନଦୀ ଗର୍ଭକୁ ଛିଟିକି ପଡ଼ିଛନ୍ତି। ଘଟଣା ପରେ ଦମକଳ ବାହିନୀ ଓ ଓଡ୍ରାଫ ଦଳ ମହାନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ। ରବିବାର ଦିନ ତମାମ ମହାନଦୀର ବିଭିନ୍ନ ସ୍ଥାନରେ ଖୋଜିଥିଲେ ସୁଦ୍ଧା କୌଣସି ପତ୍ତା ମିଳିନାହିଁ।

ପ୍ରକାଶ ଯେ ଅନୁଗୁଳ ଜିଲ୍ଲା ମାଧପୁର କଲେଜର ଅଧ୍ୟାପକ ବୈଦ୍ୟନାଥ ସାହୁ ସପରିବାର ବୌଦ୍ଧ ସହର ନୂଆସାହିରେ ଭଡ଼ାରେ ରହୁଥିଲେ। ଝିଅକୁ ଛାଡ଼ି ଶନିବାର ସକାଳେ ପତ୍ନୀଙ୍କ ସହ ପିତୃପକ୍ଷ ଶ୍ରାଦ୍ଧ ପାଇଁ ପୈତୃକ ଗ୍ରାମ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍‌ କମ୍ପଲା ଗ୍ରାମକୁ ଯାଇଥିଲେ। କୌଣସି ଜରୁରୀ କାମ ଯୋଗୁଁ ଶ୍ରୀ ସାହୁଙ୍କୁ ଗାଁରେ ରହିବାକୁ ପଡ଼ିଥିଲା। ଝିଅ ଏକା ଥିବାରୁ ଗାଁରେ ଥିବା ଧାନକଳର କର୍ମଚାରୀ ଟୁନା ବାରିକଙ୍କୁ ବାଇକ‌୍‌ ଦେଇ ପତ୍ନୀ ପ୍ରତିମା ସାହୁଙ୍କୁ ବୌଦ୍ଧରେ ଛାଡ଼ି ଆସିବାକୁ କହିଥିଲେ। ତରତର ହୋଇ ଯାଉଥିବା ବେଳେ ସାମ୍ନା ପଟରୁ ଆସୁଥିବା ଏକ କାର୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋର୍‌ଦାର୍‌ ଥିଲା ଯେ ପଛରେ ବସିଥିବା ପ୍ରତିମା ଛିଟିକି ମହାନଦୀର ବାଡ଼ରେ ପିଟି ହୋଇ ନଦୀ ଗର୍ଭରେ ପଡ଼ିଥିଲେ। ସେପଟେ ଟୁନାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଖବର ପାଇ ବୌଦ୍ଧ ଟାଉନ ଥାନା ପୁଲିସ ସହ ଓଡ୍ରାଫ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଓଡ୍ରାଫ ଓ ଦମକଳ ବାହିନୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ। କୌଣସି ପତ୍ତା ନମିଳିବାରୁ ରବିବାର ସକାଳୁ ପୁଣି ଖୋଜିବା ଆରମ୍ଭ କରିଥିଲେ। ପୋଲର ତଳ ମୁଣ୍ଡର ବିଭିନ୍ନ ସ୍ଥାନରେ ବୋଟରେ ଖୋଜାଖୋଜି କରି ମଧ୍ୟ ପାଇନାହାନ୍ତି।

The post କିଆକଟା ପୋଲରେ ଦୁର୍ଘଟଣା: ଜଣେ ମୃତ, ମହାନଦୀକୁ ଖସି ମହିଳା ନିଖୋଜ first appeared on Sambad.

from ଜିଲ୍ଲା | Sambad https://ift.tt/3mq54hz