ବରଗଡ଼/ବରପାଲି : ମହାଲିଙ୍ଗସ୍ଥିତ ସନ୍‌ସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ତାତି ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ବରଗଡ଼ରେ ମମିତା ମେହେର ଏବଂ ତୋରାର ଗୋବିନ୍ଦ କୁମ୍ଭାର ମୃତ୍ୟୁ ଘଟଣା ନେଇ ବିଜେପି ମହିଳା ମୋର୍ଚ୍ଚା ଟାଉନ୍‌ ଥାନା ଘେରାଉ କରିଛି। ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଘଟଣ‌ାରେ ସାମିଲ ପୁଲିସ୍‌ ଅଧିକାରୀଙ୍କୁ ଗିରଫ ଏବଂ ମାମଲାର ସିବିଆଇ ତଦନ୍ତ ଦାବି ହୋଇଛି। ସେହିପରି ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଏବଂ ଗିରଫ କରିବା ସହ ମାମଲାର ସିବିଆଇ ତଦନ୍ତ କରିବାକୁ ଦାବି ହୋଇଛି। ଗୋବିନ୍ଦ ମୃତ୍ୟୁ ଘଟଣାର ତଦନ୍ତ ଶିଥିଳ ଥିବା ନେଇ ଅଭିଯୋଗ ସହ ମୋର୍ଚ୍ଚାର କର୍ମକର୍ତାମାନେ ପୁଲିସ୍‌ କର୍ମଚାରୀଙ୍କ ଉପରକୁ ଶାଢ଼ୀ ଓ ଚୁଡ଼ି ଫିଙ୍ଗିଥିଲେ।

ମମିତା ହତ୍ୟାକାଣ୍ଡର ପ୍ରତିବାଦ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବିରେ ମଂଗଳବାର ବରପାଲିରେ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏ ବନ୍ଦ ପାଳନ କରାଯାଇଛି। ସହରର ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ଏହି ଅବସରରେ ଭୁଲିଆ ସମାଜ କଲ୍ୟାଣ ମଣ୍ତପଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ସହ ଗୋବିନ୍ଦ ସାହୁର କୁଶପୁତ୍ତଳିକା ଦାହ କରାଯାଇଥିଲା। କଲ୍ୟାଣ ମଣ୍ତପଠାରୁ ଏକ ଶୋଭାଯାତ୍ରା ବାହାରି ତହସିଲ ଅଫିସ୍‌ ପହଂଚିଥିଲା। ସେଠାରେ ହତ୍ୟାକାଣ୍ଡରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ‌ରେ ଭୁଲିଆ ସମାଜ ସଭାପତି ମହେନ୍ଦ୍ର ମେହେରଙ୍କ ନେତୃତ୍ବରେ ଦାବିପତ୍ର ପ୍ରଦାନ କରାଯାଇଥିଲା।
ସେହିପରି ମମିତାଙ୍କ ଅପହରଣ ଓ ହତ୍ୟାକାଣ୍ତର ପ୍ରକୃତ ତଥ୍ୟ ଏବଂ ଅଭିଯୁକ୍ତଙ୍କ ବିଷୟରେ ପୁଲିସ୍‌ କିମ୍ବା ସରକାର ସ୍ପଷ୍ଟୀକରଣ ଦେଇପାରିନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି। ମମିତାଙ୍କ ପରିବାରକୁ ଉଚିତ ନ୍ୟାୟ ଦେବାକୁ ଦଳ ଦାବି କରିଛି। ମମିତାଙ୍କ ପରିବାରକୁ ୨କୋଟି ଟଙ୍କାର ସହାୟତା, ଗୋବିନ୍ଦ ସାହୁର ସଂପତ୍ତି ବାଜ୍ୟାପ୍ତ କରି ଅଧା ପୀଡ଼ିତାଙ୍କ ପରିବାରକୁ ଦେବା, ମମିତାଙ୍କ ଭାଇଙ୍କୁ ସରକାରୀ ଚାକିରି, ହତ୍ୟାକାଣ୍ଡର ଅସଲ ତଥ୍ୟ ଉନ୍ମୋଚନ ପାଇଁ ଉଚ୍ଚସ୍ତରୀୟ ତଦନ୍ତ ଏବଂ ମାମଲାରେ ଜଡ଼ିତ ରାଜନେତାଙ୍କୁ ଦଳରୁ ବହିଷ୍କାର କରିବାକୁ ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାର ଅକ୍ଷୟ ବାଗଙ୍କୁ ଦାବିପତ୍ର ପ୍ରଦାନ କରିଛି।

The post ବରଗଡ଼ରେ ମମିତା ତାତି: ବରପାଲି ୬ଘଣ୍ଟା ବନ୍ଦ first appeared on Sambad.

from ଜିଲ୍ଲା | Sambad https://ift.tt/3EhxVeZ