
କଣିହାଁ/ପବିତ୍ରନଗର: ଅନୁଗୁଳ ଜିଲ୍ଲା ସମଲ ଥାନା ଅଞ୍ଚଳରେ ଗତକାଲି ଜଣେ ମଦ୍ୟପ ଯୁବକ ଟଙ୍କା ପାଇଁ ଜନ୍ମକଲା ମାଆଙ୍କୁ ପୋଡ଼ିଦେବାକୁ ବି ପଛାଇନାହିଁ। ଏହି ଯୁବକ କିରାସିନି ଢାଳି ନିଆଁ ଲଗାଇ ଦେବାରୁ ବୃଦ୍ଧା ମାଆଙ୍କ ଶରୀର ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଛି। ସେ ଡାକ୍ତରଖାନାରେ ଏବେ ଛଟପଟ ହେଉଛନ୍ତି। ପୁଲିସ ଉକ୍ତ ଯୁବକକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଶରଧାପୁରର ନରୋତ୍ତମ ସାହୁଙ୍କ ପୁଅ ସରୋଜ ସାହୁ (୩୪) ଗତକାଲି ରାତି ପ୍ରାୟ ସାଢ଼େ ୭ଟାବେଳେ ପ୍ରଚୁର ମଦ୍ୟପାନକରି ମାତାଲ ଅବସ୍ଥାରେ ଘରକୁ ଆସିଥିଲେ। ଅଧିକ ମଦ ପିଇବା ପାଇଁ ସେ ମାଆ ସୁଲୋଚନା ସାହୁ (୬୦)ଙ୍କୁ ଟଙ୍କା ମାଗିଥିଲେ। ‘ତୋତେ ସବୁଦିନ ଟଙ୍କା କେଉଁଠୁ ଦେବି? ବୋଲି ମାଆ ସୁଲୋଚନା କହିବାରୁ ସରୋଜ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଦେବା ସହ ଘରୁ ଏକ ଟାଙ୍ଗିଆ ଆଣି ହାଣିବା ପାଇଁ ଗୋଡ଼ାଇଥିଲେ। ମାଆ ଜୀବନ ବିକଳରେ ଏକ କୋଠରିରେ ପଶି କବାଟ ବନ୍ଦ କରିଦେଇଥିଲେ। ସରୋଜ ଏଥିରେ ଅଧିକ ଉତ୍କ୍ଷିପ୍ତ ହୋଇ ଘରେ ଥିବା ଏକ କିରାସିନି ଜାରକିନ୍ ଆଣି କବାଟ ଫାଙ୍କରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ କୋଠରି ଭିତରେ ଥିବା ବିଭିନ୍ନ ଆସବାବପତ୍ର ହୁତ୍ ହୁତ୍ ହୋଇ ଜଳିବା ସହ ଏହା ପ୍ରଭାବରେ ସୁଲୋଚନାଙ୍କ ଶରୀରରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଭିତରେ ନିଆଁ ଜଳୁଥିଲା ବେଳେ ବାହାରକୁ ଗଲେ ପୁଅର ଟାଙ୍ଗିଆ ଚୋଟର ଭୟ।
ଏଭଳି ସ୍ଥିତିରେ ବିଚାରୀ ସୁଲୋଚନା ଆଉ ବାହାରକୁ ବାହାରି ପାରି ନଥିଲେ। ତେବେ ଖବର ପାଇ ପାଖପଡ଼ୋଶୀ ତୁରନ୍ତ ପହଂଚି ସଂକଟାପନ୍ନ ଅବସ୍ଥାରେ ସୁଲୋଚନାଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ସୁଲୋଚନାଙ୍କ ଶରୀର ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଥିଲା। ତାଙ୍କୁ ତୁରନ୍ତ ତାଳଚେର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସରୋଜଙ୍କ ବାପା ନରୋତ୍ତମ ଅଗ୍ନିଶମ ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀ। ବାପାଙ୍କ ପେନସନ୍ ଟଙ୍କା ମାଆ ନଦେବାରୁ ସରୋଜ ଏଭଳି କାଣ୍ଡ କରିଥିବା ଜଣାପଡ଼ିଛି। ପରେ ପୁଲିସ ପହଂଚି ସରୋଜଙ୍କୁ ଗିରଫ କରିଛି। ଏ ସଂପର୍କରେ ପୁଲିସ ସମଲ ଥାନାରେ ଏକ ମାମଲା ରୁଜୁକରି ଆଜି ଅଭିଯୁକ୍ତ ସରୋଜଙ୍କୁ କୋର୍ଟ ଚାଲାଣ କରିଛି।
The post ମଦ ପାଇଁ ମା’ ଦେହରେ ନିଆଁ ଲଗାଇଲା ପୁଅ first appeared on Sambad.from ଜିଲ୍ଲା | Sambad https://ift.tt/3CzYbRt
0 Comments