
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ବହୁଚର୍ଚ୍ଚିତ ମହାଲିଙ୍ଗ ମମିତା ମେହେର ହତ୍ୟା ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏହି କଲେଜ୍କୁ ମାଳ ମାଳ ସରକାରୀ ଯୋଜନାର ଅନୁଦାନ ଅଜାଡ଼ି ହୋଇଥିବା ନେଇ ତମ୍ବିତୋଫାନ ଚାଲିଛି। ଏଭଳି ସ୍ଥିତିରେ ଗୋଲାମୁଣ୍ଡା ବିଡିଓଙ୍କ ବଦଳି ନିର୍ଦ୍ଦେଶକୁ ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ବାତିଲ କରାଯିବା ପରେ ନାନା ଚର୍ଚ୍ଚା ହେଉଛି। ସେହିଭଳି ଏହି କଲେଜ୍କୁ ଡବ୍ଲ୍ୟୁଓଡିସି ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ବିଧାୟକ ଓ ସାଂସଦଙ୍କ ସୁପାରିସରେ ଆସିଥିବାରୁ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ସମୟରେ ଗତ ଶୁକ୍ରବାର ରାଜ୍ୟ ସରକାର କଳାହାଣ୍ଡି ବିଶ୍ବବିଦ୍ୟାଳୟର ସିଣ୍ଡିକେଟ୍ ସଦସ୍ୟ ଭାବେ ଡବ୍ଲ୍ୟୁଓଡିସିର ପୂର୍ବତନ ସିଇଓ ତଥା ଅବସରପ୍ରାପ୍ତ ଅଧିକାରୀ ପ୍ରେମାନିଧି ସେଠଙ୍କୁ ମନୋନୀତ କରିଛନ୍ତି। ଏହି ଘଟଣା ପରେ ଏହା ସଂଯୋଗ ବଶତଃ ହୋଇଛି ନା ଅଧିକାରୀଙ୍କୁ ମନ୍ତ୍ରୀଙ୍କ ପୁରସ୍କାର ବୋଲି ସାଧାରଣରେ ଆଲୋଚନା ଶୁଣିବାକୁ ମିଳୁଛି।
ସୂଚାନରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ ୨୦୧୮ ମସିହାରେ ବଦଳି ହୋଇ ଆସିଥିଲେ। ୫ବର୍ଷ ରହଣି ପରେ କିଛିଦିନ ତଳେ ତାଙ୍କୁ କଳାହାଣ୍ଡି ଜିଲ୍ଲା ସିଡିଏମ୍ଓ କାର୍ଯ୍ୟାଳୟରେ ପ୍ରାଶାସନିକ ଅଧିକାରୀ ଭାବେ ବଦଳି ହୋଇଥିଲା। କିନ୍ତୁ ଶନିବାର ହଠାତ୍ ଗୋଲାମୁଣ୍ଡା ବିଡିଓଙ୍କ ବଦଳିକୁ ବାତିଲ କରାଯାଇଛି। ଏହା ସ୍ଥାନୀୟ ମନ୍ତ୍ରୀ ତଥା ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ନିଜ ନିର୍ବାଚନମଣ୍ଡଳୀ ହୋଇଥିବା ଯୋଗୁଁ ସୁପାରିସ ହୋଇଥିବା ଅଭିଯୋଗ ହୋଇଛି। ମହାଲିଙ୍ଗ କଲେଜ୍ରେ କୋଟି କୋଟି ଟଙ୍କା ସରକାରୀ ଅନୁଦାନ ଖର୍ଚ୍ଚ ହୋଇଛି। ବହୁ ଦୁର୍ନୀତିର କେଳେଙ୍କାରୀ ବି ସାମ୍ନାକୁ ଆସିଛି। ଏହାକୁ ଚପାଇବା ପାଇଁ ମନ୍ତ୍ରୀ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି କି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କେବଳ ସେତିକି ନୁହେଁ , ଡବ୍ଲ୍ୟୁଓଡିସି ପାଣ୍ଠିରୁ ମଧ୍ୟ କୋଟି କୋଟି ଟଙ୍କା ଅନୁଦାନ ମହାଲିଙ୍ଗ କଲେଜ୍କୁ ଆସିଛି। ଡବ୍ଲ୍ୟୁଡିସି ମୁଖ୍ୟ କାର୍ଯ୍ୟାଳୟରେ କଳାହାଣ୍ଡି ଜିଲ୍ଲାର ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରେମାନିଧି ସେଠ ସିଇଓ ଭାବେ ୩ବର୍ଷ କାର୍ଯ୍ୟ କରିଥିଲେ। ସେହି ସମୟରେ ମଧ୍ୟ ମହାଲିଙ୍ଗ କଲେଜକୁ ଡବ୍ଲ୍ୟୁଓଡିସି ଅନୁଦାନ ବହୁ ପରିମାଣରେ ଆସିଛି। ବର୍ତ୍ତମାନ ପ୍ରେମାନିଧି ସେଠ ଅବସର ଗ୍ରହଣ କରିଛନ୍ତି। ମହାଲିଙ୍ଗ କଲେଜ୍ ଘଟଣାକୁ ନେଇ ରାଜ୍ୟ ଉଠୁଥିବା ପଡ଼ୁଥିବା ବେଳେ ରାଜ୍ୟ ସରକାର ଗତ ୨୨ ତାରିଖରେ ପ୍ରେମାନିଧିଙ୍କୁ କଳାହାଣ୍ଡି ବିଶ୍ବବିଦ୍ୟାଳୟର ସିଣ୍ଡିକେଟ୍ ସଦସ୍ୟ ଭାବରେ ୪ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସୁପାରିସକ୍ରମେ କୁଆଡ଼େ ଏହି ନିଯୁକ୍ତି ଦିଆଯାଇଥିବା ମଧ୍ୟ ଶୁଣିବାକୁ ମିଳୁଛି। ଏହି ଦୁଇଟି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
The post ମହାଲିଙ୍ଗ କଲେଜ ଦୁର୍ନୀତି ଚପାଇବାକୁ ଚାଲ୍ କି? ମନ୍ତ୍ରୀଙ୍କ ସୁପାରିସ ରହିଥିବା ନେଇ ଚର୍ଚ୍ଚା first appeared on Sambad.from ଜିଲ୍ଲା | Sambad https://ift.tt/3b5DZL0
0 Comments