ପଞ୍ଚାୟତ ନିର୍ବାଚନ ବାସ୍ନା; ପଞ୍ଚାୟତ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା ବିଜେପି

ବାରିପଦା: ୨୦୧୭ ପଞ୍ଚାୟତ ନିର୍ବାଚନ, ମୟୂରଭଞ୍ଜରେ ଆଶାତୀତ ସଫଳତା ହାସଲ କରିଥିଲା ବିଜେପି। ୫୬ ଆସନ ବିଶିଷ୍ଟ ଜିଲ୍ଲାପରିଷଦରେ ୪୯ ଆସନ ଅକ୍ତିଆର କରିଥିଲା ଦଳ। ବିଜେଡିକୁ ବହୁ ପଛରେ ପକାଇଥିଲା ପଦ୍ମ ଦଳ। ପୁଣି ଆସିଲାଣି ପଞ୍ଚାୟତ ନିର୍ବାଚନ। ଇତିମଧ୍ୟରେ ଜିଲ୍ଲାରେ ସାଧାରଣ ନିର୍ବାଚନରେ ମଧ୍ୟ ବିଜେପି ୬ ବିଧାୟକ ସମେତ ସାଂସଦ ପଦ ଅକ୍ତିଆର କରିଛି ଦଳ। ଆଉ ନିକଟରେ ଜିଲ୍ଲାକୁ ମିଳିଛି କେନ୍ଦ୍ରମନ୍ତ୍ରୀ ପଦ। ଏମଧ୍ୟରେ ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନକୁ ନେଇ ସଂରକ୍ଷଣ ତାଲିକା ଘୋଷଣା କରିସାରିଲେଣି। ତେଣୁ ମୁଣ୍ଡ ଉପରେ ଥିବା ପଞ୍ଚାୟତ ନିର୍ବାଚନକୁ ମୁକାବିଲା କରିବା ନେଇ ଅଣ୍ଟା ଭିଡ଼ିଛି ମୟୂରଭଞ୍ଜ ବିଜେପି। ଜିଲ୍ଲାରେ ସାଧାରଣ ନିର୍ବାଚନ ପରେ ବିଜେପି ଯେଉଁ ଅନୁସାରେ ମାଇଲେଜ୍ ପାଇବା କଥା ତାହା ପାଇପାରିନାହିଁ।

୬ ବିଧାୟକ, ସାଂସଦ ତଥା ଦୁଇ ସାଂଗଠନିକ ଜିଲ୍ଲାର ନେତୃମଣ୍ଡଳୀଙ୍କ ମଧ୍ୟରେ ଉପଯୁକ୍ତ ସମନ୍ବୟ କାରଣରୁ ମୟୂରଭଞ୍ଜରେ ବିଜେପି ଯେଉଁ ସ୍ଥାନରେ ରହିବା କଥା ରହିପାରିନାହିଁ। ଏପରିକି ଗୋଟିଏ ସ୍ଥାନରେ ଜିଲ୍ଲାର ସବୁ ନେତା ଏକାଠି ମଧ୍ୟ ହୋଇପାରିନଥିଲେ। ତେବେ ସବୁ ବାଦବିବାଦକୁ ପଛରେ ପକେଇ ଆସନ୍ନ ପଞ୍ଚାୟତ ନିର୍ବାଚନକୁ ମୁକାବିଲା କରିବା ପାଇଁ ଅଣ୍ଟା ଭିଡ଼ିଛି ବିଜେପି। ଆଜି ଏନେଇ ବାରିପଦାରେ ଅନୁଷ୍ଠିତ ହୋଇଥିଲା ଦିନିକିଆ ବୈଠକ। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ସମେତ ସମସ୍ତ ୬ ବିଧାୟକ, ଜିଲ୍ଲା ପରିଷଦ ସଭାପତି, ଦୁଇ ସାଂଗଠନିକ ଜିଲ୍ଲାର ସଭାପତି, ଜିଲ୍ଲାପରିଷଦ ସଦସ୍ୟ, ବହୁ ବରିଷ୍ଠ ନେତା ଏବଂ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏହି ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ବିଚାର ବିମର୍ଷ ହୋଇଥିଲା।

ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ କ୍ଷେତ୍ରରେ ହୋଇଥିବା ବିଫଳତାକୁ ପାଥେୟ କରି ଦଳ ଆଗାମୀ ନିର୍ବାଚନକୁ ଓହ୍ଲାଇବା ନେଇ ନିଷ୍ପତି ହୋଇଥିବା ଜଣାପଡ଼ିଛି। ଦୀର୍ଘ ସମୟ ଧରି ଚାଲିଥିବା ଏହି ଚିନ୍ତନ ବୈଠକରେ ଜିଲ୍ଲାରେ ପୁଣିଥରେ ଦଳର ସଫଳତା ହାସଲ ନେଇ ବ୍ୟାପକ ଆଲୋଚନା ହୋଇଥିଲା। ତେବେ ପୂର୍ବଥର ଭଳି ଚଳିତ ଥର ବିଜେପି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କିପରି ସଫଳତା ହାସଲ କରୁଛି ତାହା ଦେଖିବାକୁ ବାକି ରହିଲା। ଏସବୁ ଭିତରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ।

ଶ୍ରୀ ଟୁଡୁଙ୍କ ନେତୃତ୍ବକୁ ଭରସା କରି ଦଳ ତାଙ୍କ କେନ୍ଦ୍ରମନ୍ତ୍ରୀ ଭଳି ଗୁରୁତ୍ବପୂର୍ଣ୍ଣ ପଦ ପ୍ରଦାନ କରିଛି। ତେଣୁ ସେ କିପରି ଦଳୀୟ ନେତୃତ୍ବଙ୍କ ସାଙ୍ଗରେ ଧରି ପଞ୍ଚାୟତ ନିର୍ବାଚନକୁ ମୁକାବିଲା କରୁଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ। ଜିଲ୍ଲାରେ ବିଜେପିର ନିର୍ବାଚନୀ ସଫଳତା ଶ୍ରୀ ଟୁଡୁଙ୍କ କାନ୍ଧରେ ଯିବ। ସେହିପରି ବିଫଳତା ମଧ୍ୟ ତାଙ୍କ ପଦ ପ୍ରତି ଅବମାନନା ହୋଇପାରେ। ତେଣୁ ଜିଲ୍ଲାରେ ବିଜେପିର ବିଭିନ୍ନ ଦଳ ସହିତ ଲଢ଼େଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କ ରଣନୀତି ଏବଂ ସାଂଗଠନିକ ଦକ୍ଷତା ଉପରେ ନିର୍ଭର କରୁଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ତେବେ ଆଜିର ବୈଠକରେ ଏକାଠି ହୋଇଥିବା ମୟୂରଭଞ୍ଜ ବିଜେପିର ସବୁ ନେତା ଆଗକୁ ମଧ୍ୟ ଏକାଠି ରହିପାରୁଛନ୍ତି କି ନାହିଁ ତାହା ମଧ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ମତପ୍ରକାଶ ପାଇଛି।

 

The post ପଞ୍ଚାୟତ ନିର୍ବାଚନ ବାସ୍ନା; ପଞ୍ଚାୟତ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା ବିଜେପି first appeared on Sambad.

from ଜିଲ୍ଲା | Sambad https://ift.tt/3G3Vwlh

Post a Comment

0 Comments