ଜଗନ୍ନାଥପ୍ରସାଦ : ‘ବୟସ ୭୦ ଟପିଲାଣି। ଏଥିପାଇଁ ବାଦ୍ଧର୍କ୍ୟ ଭତ୍ତାଟିଏ କରାଇଦେବାକୁ ବହୁବାର ସରପଞ୍ଚଙ୍କୁ କାକୁତିମିନତି ହେଲୁ। କିନ୍ତୁ କିଛି ଲାଭ ମିଳିଲାନି। ଏଥିପାଇଁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବୁ।’ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଖମାରପଲ୍ଲୀ ପଞ୍ଚାୟତର ବହୁ ବୃଦ୍ଧବୃଦ୍ଧା ଏ ମର୍ମରେ ଚେତାବନୀ ଦେବା ସହ ଜନପ୍ରତିନିଧି ଓ ପ୍ରଶାସନ ବିରୋଧରେ ବିଷୋଦ୍‌ଗାର କରିଛନ୍ତି।
ସେମାନଙ୍କ ଅଭିଯୋଗ ହେଉଛି, ବୟସର ସାୟାହ୍ନରେ ପହଞ୍ଚିସାରିଥିଲେ ବି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭତ୍ତା ଯୋଜନାରେ ସେମାନେ ସାମିଲ ହୋଇପାରିନାହାନ୍ତି। ସନ୍ତାନସନ୍ତତି ସିନା ପେଟକୁ ଦାନା ଯୋଗାଇଦେଉଛନ୍ତି, ହେଲେ ହାତଖର୍ଚ୍ଚ କରିବାକୁ ପାଖରେ ଟଙ୍କାଟିଏ ବି ନାହିଁ। ଯୋଗ୍ୟ ବିବେଚିତ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ଭତ୍ତାଟିଏ କରାଇଦେବାକୁ ନିର୍ବାଚିତ ଜନପ୍ରତିନିଧି ଓ ସରକାରୀ ଅଧିକାରୀମାନେ ତତ୍ପରତା ଦେଖାଇନାହାନ୍ତି। ଆବେଦନ କରିଥିଲେ ବି ଫାଇଲ୍ ଘୁଞ୍ଚନି। ସବୁ କିଛି କେବଳ ପ୍ରତିଶ୍ରୁତି ପାଲଟିଛି। ଏବେ ପୁଣି ଆଗକୁ ନିର୍ବାଚନ ଆସୁଥିବାରୁ ଗାଁକୁ ନେତାମାନଙ୍କ ସୁଅ ଛୁଟିବ। ଯୋଡ଼ହସ୍ତରେ ସେମାନେ ସମସ୍ତ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବେ। କିନ୍ତୁ ନିର୍ବାଚନ ପରେ ତାହା ପାଣିର ଗାର ପାଲଟିବ। ଏହି ଶିକ୍ଷା ଆମେ ପାଇସାରିଛୁ। ଯେଉଁମାନେ ସାମାନ୍ୟ ଭତ୍ତାଟିଏ କରାଇପାରୁନାହାନ୍ତି, ସେମାନଙ୍କ ବିଶ୍ବାସ କରି ଆଉ ଲାଭ କିଛି ନାହିଁ। ତେଣୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଆଉ ଭୋଟ ଦ‌େବୁନି କି, ଅଭିଯୋଗ ବି କରିବୁ ନାହିଁ ବୋଲି ଖମାରପଲ୍ଲୀ ଗ୍ରାମର ରମେଶ ବେହେରା, ଇନ୍ଦ୍ର ଦିହୁଡ଼ି, ଯୁଧିଷ୍ଠିର ଦିହୁଡ଼ି, ଜମ୍ଭୁ ଗୌଡ଼, ଅମୂଲ୍ୟ ସାହୁ, ସୋମନାଥ ରଥ, କନକ ପାତ୍ର, କେଦାର ନାୟକ, ନାରସୁ ରାଉତ, ଗୌରୀ ବଢ଼େଇ, ପ୍ରଫୁଲ୍ଲ ବଢ଼େଇ ଓ ବିଜୟ କୁମାର ପାତ୍ର, ରାମଚନ୍ଦ୍ର ନାୟକ ପ୍ରମୁଖ କହିଛନ୍ତି ।
The post ‘ବାର୍ଦ୍ଧକ୍ୟ ଭତ୍ତାଟିଏ କରାଇପାରିଲେନି ସରପଞ୍ଚ, ଏଥର ଭୋଟ ବର୍ଜନ କରିବୁ’  first appeared on Sambad.

from ଜିଲ୍ଲା | Sambad https://ift.tt/3pXCqHK