ଭବାନୀପାଟଣା : କବି ଅଖିଳ ନାୟକଙ୍କ ମର ଶରୀର ରବିବାର ବିଳମ୍ବିତ ରାତିରେ ଭବାନୀପାଟଣା ସହରସ୍ଥିତ ନକଟିଗୁଡ଼ା ବାସଭବନରେ ପହଞ୍ଚିଥିଲା। ସୋମବାର ସକାଳୁ ତାଙ୍କ ମରଶରୀରକୁ ଭବାନୀପାଟଣା ସହରସ୍ଥିତ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପରିସରକୁ ନିଆଯାଇଥିଲା। କଲେଜ୍‌ ଛକଠାରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତାର ୨ପାର୍ଶ୍ବରେ ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରିୟ ଅଧ୍ୟାପକଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେଠାରୁ ଧର୍ମଗଡ଼ ବ୍ଲକ୍‌ ରଇନଗୁଡ଼ା ଜନ୍ମମାଟିକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

ବାଟରେ ଜୁନାଗଡ଼ ଓ ଧର୍ମଗଡ଼ଠାରେ ସଭାପତି ବିରଞ୍ଚି ଜାଲଙ୍କ ନେତୃତ୍ବରେ ସିଡ୍ୟୁଲ କାଷ୍ଟ ଫେଡେରେସନ୍‌ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। କଳାହାଣ୍ଡି ବିଶ୍ବବିଦ୍ୟାଳୟର ବଂଶଧାରା ହଷ୍ଟେଲର ଛାତ୍ର ଓ ଅନ୍ୟ ଛାତ୍ରଛାତ୍ରୀଙ୍କ ପକ୍ଷରୁ ମହମବତି ଜଳାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଜନ୍ମମାଟି ରଇନଗୁଡ଼ାଠାରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଅଖିଳ ନାୟକ ଅମର ରହେ ସ୍ଲୋଗାନରେ ଗାଁ ଲୋକେ ଅଶ୍ରୁପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

The post ରଇନଗୁଡ଼ାଠାରେ କବି ଅଖିଳ ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ first appeared on Sambad.

from ଜିଲ୍ଲା | Sambad https://ift.tt/3Hpx5iP