ଛତ୍ରପୁର : ଗଞ୍ଜାମ ଥାନା ଇଲାକା ମଲାଡ଼ ଅଞ୍ଚଳରେ ୨୦୧୬ ମସିହା ଡିସେମ୍ବର ୩୧ ତାରିଖ ‘ଜିରୋ ନାଇଟ୍‌’ରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତିକରି ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜାରଞ୍ଜନ ପାଢ଼ୀ ୪ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଡି.ବୁଲେୟା‌, ଆର୍.ତ୍ରିଲୋଚନ ଓ ଆର୍.ଚିଟିକୁ ୨୦ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି। ସେହିପରି ଆଉ ଜଣେ ଅଭିଯୁକ୍ତ ଆର୍.କେଶବକୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଦିଆଯାଇଛି। ଏହାସହ ୪ ଜଣ ଦୋଷୀ ୩୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବେ। ଉକ୍ତ ଜରିମାନା ଅର୍ଥକୁ ପୀଡ଼ିତାଙ୍କୁ ଦିଆଯିବ ବୋଲି ବିଚାରପତି ଚୂଡ଼ାନ୍ତ ରାୟରେ ଦର୍ଶାଇଛନ୍ତି। ତେବେ ପ୍ରମାଣ ଅଭାବରୁ ଅନ୍ୟତମ ଅଭିଯୁକ୍ତ ବି.ଭୀମା ପାତ୍ର ଓ ଡି.ରବିଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ସରକାରଙ୍କ ପକ୍ଷରୁ ଓକିଲ ରମେଶ ଚନ୍ଦ୍ର ଚୌଧୁରୀ ମକଦ୍ଦମା ପରିଚାଳନା କରିଥିବା ବେଳେ ସରକାରୀ ଓକିଲ ଡମିନାଥ ସାହୁ ସହଯୋଗ କରିଥିଲେ।

ସୂଚନାନୁସାରେ, ୨୦୧୬ ମସିହା ଡିସେମ୍ବର ୩୧ ତାରିଖ ରାତିରେ ତିନି ଅଭିଯୁକ୍ତ ବୁଲେୟା, ତ୍ରିଲୋଚନ ଓ ଚିଟି ଉକ୍ତ ଯୁବତୀଙ୍କୁ ତାଙ୍କ ଘରେ ଏକୁଟିଆ ପାଇ ଦୁଷ୍କର୍ମ କରିଥି‌ଲେ। ପରେ ସକାଳେ କେଶବ ତାଙ୍କୁ ଦୁଷ୍କର୍ମ କରିଥିଲା। ଏହି ଘଟଣା ସେତେବେଳେ ସମଗ୍ର ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଥିଲା। ଘଟଣାର ୪ ଦିନ ପରେ ଅର୍ଥାତ୍ ୨୦୧୭ ମସିହା ଜାନୁଆରି ୪ ତାରିଖରେ ପୀଡ଼ିତା ଗଞ୍ଜାମ ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।

The post ‘ଜିରୋ ନାଇଟ୍’ ଗଣଦୁଷ୍କର୍ମ ମାମଲାରେ ଗୁରୁତ୍ବପୂର୍ଣ ରାୟ: ୩ ଜଣଙ୍କୁ ୨୦ ବର୍ଷ ଜେଲ୍, ଜଣକୁ ୩ ବର୍ଷ ସଶ୍ରମ ଜେଲ୍‌ଦଣ୍ଡ first appeared on Sambad.

from ଜିଲ୍ଲା | Sambad https://ift.tt/3d5ItCz