
ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ତିଲେଶ୍ୱର ପଞ୍ଚାୟତର ଖଣ୍ଡହତା ଗ୍ରାମରେ କାଳୀ ପୂଜା ଉପଲକ୍ଷେ ହେବାକୁ ଥିବା ଯାତ୍ରା ପରିବେଷଣ ଉପରେ ପୁଲିସ ରୋକ ଲଗାଇଛି। ଫଳରେ ଏହାକୁ କେନ୍ଦ୍ର କରି ପୁଲିସ ଓ ଯାତ୍ରାପ୍ରେମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହେବା ଘଟଣା ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।
ପ୍ରାପ୍ତ ସୂଚନାନୁସାରେ, ପୁରୁଣାକଟକ ପୁଲିସ ଶୁକ୍ରବାର ରାତି ୭ଟା ବେଳେ ଖଣ୍ଡହତା ଗ୍ରାମ କାଳୀ ପୂଜା ପେଣ୍ଡାଲ ନିକଟରେ ପହଞ୍ଚି ହେବାକୁ ଥିବା ଯାତ୍ରା ବନ୍ଦ କରିବାକୁ କହିଥିଲା। ହେଲେ ଗ୍ରାମର ଯାତ୍ରାପ୍ରେମୀମାନେ ଅନ୍ୟ ଏକ ଗ୍ରାମରେ ପୂର୍ବ ରାତିରେ ଯାତ୍ରା ହୋଇଥିବା ଦର୍ଶାଇ ‘ଆମର ଦେଢ଼ ଲକ୍ଷ ଟଙ୍କା କ୍ଷତିପୂରଣ ଦେଲେ ବନ୍ଦ କରିବୁ’ ବୋଲି ଅଡ଼ି ବସିଥିଲେ। ପରେ ଆଇଆଇସିଙ୍କ ସମେତ ୧୫ରୁ ଅଧିକ ପୁଲିସ କର୍ମଚାରୀ ସେଠାରେ ପହଞ୍ଚି ବୁଝାମଣା ପ୍ରୟାସ କରିଥିଲେ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍ଥିତି ଆୟତ୍ତ କରିବାରେ ବିଫଳ ହୋଇଥିଲେ। ଏ ପ୍ରସଙ୍ଗକୁ ନେଇ ଉଭୟ ପକ୍ଷ ମଧ୍ୟରେ ବହୁ ସମୟ ଧରି ବାକବିତଣ୍ଡା ହୋଇଥିବା ବେଳେ ମାମଲା ଭିନ୍ନ ମୋଡ଼ ନେବା ଆଶଙ୍କା କରି ଅଧିକ ପୁଲିସ ଫୋର୍ସ ସେଠାରେ ପହଞ୍ଚି ଲାଠି ଚାଳନା କରିଥିଲେ। ଲାଠି ଚାଳନା ହେବା ମାତ୍ରେ ଯାତ୍ରାପ୍ରେମୀଙ୍କ ପକ୍ଷରୁ ମଧ୍ୟ ଢେଲା ପଥର ମାଡ଼ ହୋଇଥିଲା। ତେବେ ସୌଭାଗ୍ୟକୁ ସେହି ସମୟରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯିବାରୁ ଅନ୍ଧାର ଯୋଗୁଁ ଖଣ୍ଡଯୁଦ୍ଧରେ ବିରାମ ଲାଗିଥିଲା। ଅନ୍ୟପଟେ ପୁଲିସ ସେଠାକୁ ଗୀତ ଗାଇବାକୁ ଯାଇଥିବା ପୁରୁଣାକଟକ ପଞ୍ଚାୟତ ରାଜିଙ୍ଗ ଗ୍ରାମର କଣ୍ଠଶିଳ୍ପୀ ପ୍ରସନ୍ନଜିତ ସାମଲଙ୍କୁ ତାଙ୍କ ଘରୁ ବିଳମ୍ବିତ ରାତିରେ ଉଠାଇଆଣି ଥାନାରେ ଅଟକ ରଖିଥିବା ଜଣାଯାଇଛି।
The post ଯାତ୍ରା ପରିବେଷଣକୁ ନେଇ ପୁଲିସ-ଜନତା ଖଣ୍ଡଯୁଦ୍ଧ first appeared on Sambad.from ଜିଲ୍ଲା | Sambad https://ift.tt/3CROZYF
0 Comments