
ଜୟପୁର: କରୋନାର ୨ଟି ଲହରରେ ବହୁ ଲୋକେ ଅକ୍ସିଜେନ୍ ଅଭାବରୁ ମୃତ୍ୟୁବରଣ କରିଥିଲେ। ଅନେକ ଲୋକଙ୍କ ଅମୂଲ୍ୟ ଜୀବନକୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ପିଏମ କେୟାର୍ସ ଫଣ୍ଡରୁ ସବୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଥିଲେ। ଏହି କ୍ରମରେ କୋରାପୁଟ ଜିଲ୍ଲାର ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ପିଏସଏ ଅକ୍ସିଜେନ୍ ପ୍ଲାଂଟ୍ ପ୍ରତିଷ୍ଠା କରିବାକୁ କାମ ଆରମ୍ଭ କରାଯାଇଛି। ତେବେ ୩ୟ ଲହର ଆସିବା ପୂର୍ବରୁ ଏହାକୁ ଉଦଘାଟନ କରିବା ଲକ୍ଷ୍ୟ ରଖି ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହୋଇଥିଲା। ଏବେ ସେତେଟା କରୋନା ସଂକ୍ରମିତ ଚିହ୍ନଟ ହେବା କମିଯିବା ପରେ ଏହାର କାମ ସଂପୁର୍ଣ୍ଣ ରୁପେ ଧିମେଇ ଯାଇଛି। ଯଦିଓ ପ୍ଲାଣ୍ଟର ବିଭିନ୍ନ ଯନ୍ତ୍ରାଂଶ ଆଣି ସ୍ଥାପନ କରି ଦିଆଯାଇଥିଲେ ହେଁ ଏହାକୁ ଲୋକାର୍ପିତ କରାଯାଇନି। ଅନ୍ୟପକ୍ଷରେ ଯନ୍ତ୍ରାଂଶ ଗୁଡ଼ିକ ସେଭଳି ଅବ୍ୟବହୃତ ହୋଇ ପଡ଼ି ରହିଲେ କଳଙ୍କି ଧରିବା ସମ୍ଭାବନାକୁ ବି ଏଡାଇ ହେବନି।
ସେହିପରି ଜିଲ୍ଲାର ବିଭିନ୍ନ ସିଏଚ୍ସି ଓ ଜିଲ୍ଲା ମୁଖ୍ୟଚିକିତ୍ସାଳୟ, କୋଭିଡ୍ ହସ୍ପିଟାଲ ପାଇଁ ବାହାରୁ ଟଙ୍କା ଦେଇ ଅକ୍ସିଜେନ୍ ସିଲଣ୍ଡର କିଣାଯାଉଛି। ଏହି ୟୁନିଟ୍ ଆରମ୍ଭ ହୋଇଥିଲେ ଏଠାରୁ ଏହି ସିଲଣ୍ଡର ଜିଲ୍ଲା ତମାମ ଯୋଗାଇବା ସହ ରାଜସ୍ବ ବଂଚି ପାରନ୍ତା ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି। ବହୁ କାମ ସରିଲାଣି, କିଛି ବୈଦ୍ୟୁତିକ ଓ ଯନ୍ତ୍ରାଂଶ ଲଗାଇବା କାମ ବାକି ରହିଛି ବୋଲି କହିଛନ୍ତି ଜିଲ୍ଲା ମେଡିକାଲ ଅଧିକାରୀ (ଡିଏମଓ) ଡଃ. ଆରଏନ୍ ମିଶ୍ର। ସଂପ୍ରତି କରୋନାର ପ୍ରକୋପ ଜିଲ୍ଲାରେ ନାହିଁ ଏବଂ ଏହାର କିଛି ଯନ୍ତ୍ରାଂଶର ସ୍ଥାପନ କାମ ବି ସରିନି ବୋଲି କହିଛନ୍ତି ସିଡିଏମଓ ଡଃ. ମକରନ୍ଦ ବେଉରା। ଏହି ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ନିର୍ମାଣାଧୀନ ଥିବା ୭ ମହଲା ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ରୋଗୀଙ୍କ ପାଇଁ କାମରେ ଲାଗିବ ବୋଲି କହିଛନ୍ତି ସିଡିଏମଓ ଡଃ. ବେଉରା। ତେବେ ୭ ମହଲା ଜିଲ୍ଲା ସଦରମହକୁମା ଡାକ୍ତରଖାନା ନିର୍ମାଣ କାମ ଆରମ୍ଭ ହୋଇ ନଥିବା ବେଳେ ଏହାର କାମ ସରିବା ପରେ ଏହାକୁ ସ୍ଥାପନ କରାଗଲେ ଏହି ଯନ୍ତ୍ରାଂଶ ସବୁ ଅକାରଣରେ ନଷ୍ଟ ହେବ ନାହିଁକି ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି। ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବାକୁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।
The post କେବେ ଆରମ୍ଭ ହେବ ଜିଲ୍ଲା ସଦରମହକୁମା ଡାକ୍ତରଖାନାର ଅକ୍ସିଜେନ ପ୍ଲାଣ୍ଟ first appeared on Sambad.from ଜିଲ୍ଲା | Sambad https://ift.tt/2ZTZPio
0 Comments