
ସମ୍ବଲପୁର : ସମ୍ବଲପୁର-ସୋନପୁର ୧୫ ନମ୍ବର ରାଜ୍ୟ ରାଜପଥର ଧନୁପାଲି ଛକରୁ ଭତରା ମଧ୍ୟରେ ଚାଲିଥିବା ସ୍ବେରେଜ୍ କାର୍ଯ୍ୟ ଏବେ ବିପଜ୍ଜନକ ମୋଡ଼ରେ ପହଞ୍ଚିଲାଣି। ଏହି ରାସ୍ତା ଉପରେ ଭତରା ସ୍ବପ୍ନେଶ୍ବର ନଗର ନିକଟରେ ପଥର ଫଟାଇବା ପାଇଁ କରା ଯାଉଥିବା ବିସ୍ଫୋରଣ ଲୋକଙ୍କ ଧନଜୀବନ ପ୍ରତି ବିପଦ ସୃଷ୍ଟି କଲାଣି। ଗତ ୨ ମାସ ଧରି ଉକ୍ତ ସ୍ଥାନରେ ହେଉଥିବା ବିସ୍ଫୋରଣ ନେଇ ଲୋକେ ସେମିତି ବି ଆଶଂକାରେ ରହିଥିଲେ। କିନ୍ତୁ ରବିବାର ଦିନ ୧୧ଟା ୪୦ ବେଳେ ହୋଇଥିବା ବିସ୍ଫୋରଣ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ବିସ୍ଫୋରଣରେ ଗାତ ଭିତରୁ ବଡ଼ବଡ଼ ପଥର ଖଣ୍ଡ ସବୁ ଉପରକୁ ଉଠି ରାସ୍ତାର ଉଭୟ ପାର୍ଶ୍ବରେ ପଡ଼ିଥିଲା। ଗୋଟିଏ ପଥର ଖଣ୍ଡ ଉଡ଼ି ଯାଇ ନିକଟରେ ଥିବା ଅଶ୍ବିନୀ ସାହୁଙ୍କ ଘର ଅଗଣାରେ ପଡ଼ିଥିଲା। ଆଉ ଏକ ବଡ଼ ପଥର ଖଣ୍ଡ ତାଙ୍କ ଘର ପାଚେରି ଉପରେ ପଡ଼ି ପାଚେରି ଭାଙ୍ଗି ଯାଇଥିଲା।
ସୌଭାଗ୍ୟବଶତଃ ସେଠାରେ କେହି ନଥିବାରୁ ଅଘଟଣ ଟଳି ଯାଇଥିଲା। ଏହାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଲୋକେ ସେଠାରେ ରୁଣ୍ଡ ହୋଇ ବିସ୍ଫୋରଣ ବନ୍ଦ କରିବାକୁ ଦାବି କରିଥିଲେ। ଏଭଳି ବିସ୍ଫୋରଣ ଲୋକଙ୍କ ଜୀବନ ନେବ ବୋଲି କହାକହି ହୋଇଥିଲେ। ସ୍ବେରେଜ୍ ବୋର୍ଡ ଓ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ଏହି ବିସ୍ଫୋରଣକୁ ପ୍ଲାଜ୍ମା ଥେରାପି ଆଖ୍ୟା ଦିଆଯାଇଛି। କୋରିଆର ଏକ ସଂସ୍ଥା ସହାୟତାରେ ଆଲୁମିନିୟମ୍ ପାଉଡର୍ ଓ କ୍ୟୁପ୍ରିକ୍ ଅକ୍ସାଇଡ୍ର ମିଶ୍ରଣରେ ବିଦ୍ୟୁତ୍ ପ୍ରବାହ କରାଇ ରସାୟନିକ ପ୍ରତିକ୍ରିୟା ଜରିଆରେ ପଥର ଭଙ୍ଗା ଯାଉଥିବା କହାଯାଉଛି। ତେବେ ଏହା କେଉଁ ପ୍ରକାର ପ୍ଲାଜ୍ମା ଥେରାପି ଯେଉଁଥିରେ ବିରାଟ ପଥର ଖଣ୍ଡ ଗୁଡ଼ିକ ଉଡ଼ି ଘରେ ପଡ଼ୁଛି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି। ଏହି ପଥର କାହା ଉପରେ ପଡ଼ିଥିଲେ କଣ ହୋଇଥାଆନ୍ତା ବୋଲି କହିବା ସହ ବିକଳ୍ପ ଉପାୟରେ ପଥର କଟାଯାଉ ବୋଲି ସେମାନେ ଦାବି କରିଥିଲେ।

ଏହି ଘଟଣା ପରେ ସ୍ବେରେଜ୍ ବୋର୍ଡର ବରିଷ୍ଠ ଅଧିକାରୀ ଗଣ ଉକ୍ତ ସ୍ଥାନ ପରିଦର୍ଶନ କରିଥିଲେ। ଏ ସଂପର୍କରେ ପ୍ରତିକ୍ରିୟା ରଖି ସ୍ବେରେଜ୍ ପ୍ରକଳ୍ପ ଯନ୍ତ୍ରୀ ଲକ୍ଷ୍ମୀ ନାରାୟଣ ଖଣ୍ଡୁଆଳ କହିଛନ୍ତି ଯେ ଏବେ ପଥର ଅଳ୍ପ ଗଭୀରତାରେ ଅର୍ଥାତ୍ ମାଟିର ମାତ୍ର ୧.୫ ମିଟର୍ ତଳେ ଥିବାରୁ ବୋଧେ ଏଭଳି ଘଟଣା ଘଟିଛି। ପଥର ଫଟାଇବା ପାଇଁ ଅତି ବେଶିରେ ୩ଟି ରସାୟନିକ ସେଲ୍ ବ୍ୟବହାର କରିବାକୁ କହା ଯାଇଥିବାବେଳେ ଆଜି ବୋଧେ ୪ଟି ସେଲ୍ ବ୍ୟବହାର କରା ଯାଇଥିଲା। ତେଣୁ ନିର୍ମାଣକାରୀ ସଂସ୍ଥା ଘରପୁରେକୁ ଏଥି ପାଇଁ ତାଗିଦ କରାଯାଇଛି। କୌଣସି ପରିସ୍ଥିତିରେ ଲୋକଙ୍କ ଧନଜୀବନ ପ୍ରତି ବିପଦ ସୃଷ୍ଟି ନହେବ ସେଥି ପ୍ରତି ଧ୍ୟାନ ଦେବାକୁ କହାଯାଇଛି ବୋଲି ଶ୍ରୀ ଖଣ୍ଡୁଆଳ କହିଥିଲେ।
The post ସ୍ବେରେଜ୍ କାମ ଯୋଗୁଁ ଆତଙ୍କ: ବିସ୍ଫୋରଣରେ ଉଡ଼ିଲା ପଥର ଖଣ୍ଡ first appeared on Sambad.ଶୀଘ୍ର ଆରମ୍ଭ ହେବ ରାସ୍ତା କାମ
ସ୍ବେରେଜ୍ କାମ ଯୋଗୁଁ ଧନୁପାଲି ଛକରୁ ଭତରା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଖାଲ, ଖମା, ମାଟି ଓ ପଥର ଗୁଣ୍ଡରେ ଉକ୍ତ ରାସ୍ତାର ବ୍ୟବହାରକାରୀ ମାନେ ଅତିଷ୍ଟ ହୋଇ ପଡ଼ିଲେଣି। ସାମାନ୍ୟ ପାଣି ସିଞ୍ଚନ କଲେ ଉକ୍ତ ରାଜପଥ କାଦୁଅ ହୋଇ ଯାଉଥିଲାବେଳେ ରବିବାର ଅସରାଏ ବର୍ଷାରେ ତାହା ଧାନ ବିଲର ଭ୍ରମ ସୃଷ୍ଟି କରିଥିଲା। ତେବେ ରାସ୍ତାର ପିଚୁ କାମ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ସ୍ବେରେଜ୍ ବୋର୍ଡ ପ୍ରକଳ୍ପ ଯନ୍ତ୍ରୀ ଲକ୍ଷ୍ମୀ ନାରାୟଣ ଖଣ୍ଡୁଆଳ କହିଛନ୍ତି। ସେ କହିଛନ୍ତି ଯେ ସରସ୍ବତୀ ଶିଶୁ ମନ୍ଦିର ପର୍ଯ୍ୟନ୍ତ ବା ଯେଉଁ ପର୍ଯ୍ୟନ୍ତ ସମ୍ଭବ ଆମେ ରାସ୍ତା ବିଟୁମିନ୍ କରିଦେବୁ। ସେଥି ପାଇଁ ପ୍ରଥମେ ରାସ୍ତା ଉପରେ ପଡ଼ିଥିବା ମାଟି, ପଥର ଗୁଣ୍ଡ ଆଦି କଢ଼ାଯିବ। ତା’ପରେ ପିଚୁ ଢଳେଇ ହେବ।
from ଜିଲ୍ଲା | Sambad https://ift.tt/3cdf09e
0 Comments