
ଭୁବନେଶ୍ବର/ଭଦ୍ରକ/କୋରେଇ: ଯୌନପିପାସୁ ସୈତାନଙ୍କ ଟାର୍ଗେଟ୍ରେ କୋମଳମତି ଶିଶୁ। କରୋନା କାଳରେ ସ୍ମାର୍ଟଫୋନ୍ ବହୁଳ ବ୍ୟବହାର କରୁଥିବା ଶିଶୁମାନେ ଏମାନଙ୍କର ଶିକାର ପାଲଟି ଯାଇଛନ୍ତି। ବ୍ଲାକ୍ମେଲିଂ କିମ୍ବା ଟଙ୍କା ଲୋଭ ଦେଖାଇ ସେମାନଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ହାତେଇବା ପରେ ଏହାକୁ ଦଲାଲମାନେ ସୋସିଆଲ୍ ମିଡିଆରେ ଛାଡ଼ି ଦେଉଛନ୍ତି। ଏହା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଓଡ଼ିଶାରୁ ବିଦେଶକୁ ଏହାର ଚେର ଲମ୍ବିଛି। ଏଭଳି ଏକ ଅତି ସମ୍ବେଦନଶୀଳ ମାମଲାରେ ଆଜି ସିବିଆଇ ପକ୍ଷରୁ ଦେଶବ୍ୟାପୀ ବଡ଼ଧରଣର ଚଢ଼ଉ ହୋଇଛି। ଚଢ଼ଉ ସମୟରେ ଚମକାଇ ଦେଲା ଭଳି ତଥ୍ୟ ପଦାକୁ ଆସିଛି। ପ୍ରାୟ ୫୦ଟି ଗ୍ରୁପ୍ ଜରିଆରେ ୫ହଜାରରୁ ଅଧିକ ଦଲାଲ୍ ଶିଶୁଙ୍କ ଅଶ୍ଳୀଳ ଭିଡିଓକୁ ପ୍ରସାରଣ କରିଥିବା ଜଣାପଡ଼ିଛି। ବିଶ୍ବବ୍ୟାପୀ ଶହେରୁ ଅଧିକ ଦେଶରେ ଭାରତର ଶିଶୁମାନଙ୍କ ଭିଡିଓ ପହଞ୍ଚିଥିବା ସିବିଆଇ ଜାଣିବାକୁ ପାଇଛି। ଏହାକୁ ରୋକିବା ଲାଗି ସିବିଆଇ ପକ୍ଷରୁ ଏକ ସ୍ବତନ୍ତ୍ର ୟୁନିଟ୍ ଗଠନ କରାଯିବା ପରେ ଆଜି ଚଢ଼ଉ କରାଯାଇଛି।
ଓଡ଼ିଶା ସମେତ ୧୪ଟି ରାଜ୍ୟରେ ଚଢ଼ଉ
୨୩ ମାମଲାରେ ୮୩ ଅଭିଯୁକ୍ତ, ୫୦ ଅଟକ
ହ୍ବାଟ୍ସଆପ୍ ଗ୍ରୁପ୍ରେ ଅଶ୍ଳୀଳ ଭିଡିଓ କାରବାର
୧୦୦ ଦେଶରେ ବୁଲୁଛି ଶିଶୁଙ୍କ ଅଶ୍ଳୀଳ ଭିଡିଓ
ଓଡ଼ିଶାର ଯାଜପୁର, ଭଦ୍ରକ, ଢେଙ୍କାନାଳ ସମେତ ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, ବିହାର, ତାମିଲନାଡ଼ୁ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ, ହରିୟାଣା, ଛତିଶଗଡ଼, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶର ଚଢ଼ଉ କରାଯାଇଛି। ମୋଟ ୨୩ଟି ମାମଲା ରୁଜୁ ହୋଇଥିବା ବେଳେ ଓଡ଼ିଶାରୁ ୩ ଜଣଙ୍କ ସମେତ ୮୩ ଅଭିଯୁକ୍ତ ରହିଛନ୍ତି। ଚଢ଼ଉ ସମୟରେ ମୋବାଇଲ ଫୋନ୍, ଲାପଟପ୍, ପେନଡ୍ରାଇଭ୍, ହାର୍ଡଡିସ୍କ ଜବତ କରାଯାଇଛି। ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରୁ ୫୦ରୁ ଅଧିକଙ୍କୁ ଅଟକ ରଖାଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ, ସାରା ଦେଶରେ ଅନଲାଇନ୍ରେ ଚାଲିଥିଲା ଶିଶୁଙ୍କୁ ଯୌନଶୋଷଣ। ଅଶ୍ଳୀଳ ଭିଡିଓ ଏବଂ ଫଟୋ ତିଆରି କରାଯାଇ ଓନ୍ଲି ଚାଇଲ୍ଡ ସେକ୍ସ ଭିଡିଓ ଗ୍ରୁପ୍ରେ ପକାଯାଉଥିଲା। ଏହି କାମରେ ସକ୍ରିୟ ଦଲାଲମାନେ ବିପୁଳ ଟଙ୍କା ରୋଜଗାର କରୁଥିଲେ। ଗୋଟିଏ କି ଦୁଇଟି ନୁହେଁ, ଏକାଧିକ ହ୍ବାଟସଆପ୍ ଗ୍ରୁପ୍, ସୋସିଆଲ୍ ମିଡିଆ ସାଇଟ୍ରେ ଏହା ଉପଲବ୍ଧ ହେଉଥିଲା। ଏପରିକି ବିଦେଶରେ ମଧ୍ୟ ଏହାର ଚାହିଦା ବେଶ୍ ଅଧିକ ରହୁଥିଲା। ବିଦେଶରୁ ମଧ୍ୟ ଦଲାଲଙ୍କ ପାଖକୁ ଆସୁଥିଲା ଟଙ୍କା। ଏହି ଘଟଣା ଜଣାପଡ଼ିବା ପରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଥିଲା। ଅନଲାଇନ୍ ଯୌନ ଶୋଷଣ ଘଟଣାରେ ଅଭିଯୁକ୍ତଙ୍କୁ ଠାବ କରିବା ଓ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସିବିଆଇ ପକ୍ଷରୁ ଏକ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ନଭେମ୍ବର ୧୪ ଶିଶୁ ଦିବସରେ ସିବିଆଇ ଦିଲ୍ଲୀ ଶାଖାରେ ୨୩ଟି ମାମଲା ରୁଜୁ କରାଯାଇଥିଲା। ଏହା ପରେ ଚଢ଼ଉ ଲାଗି ଏକାଧିକ ଟିମ୍ ଗଠନ ହୋଇଥିଲା।
ଆଜି ଭୋର୍ ସମୟରେ ୧୦ରୁ ଅଧିକ ଟିମ୍ ଓଡ଼ିଶାର ଢେଙ୍କାନାଳ, ଯାଜପୁର ଓ ଭଦ୍ରକରେ ଚଢ଼ଉ କରିଥିଲେ। ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ ଜୁବୁଲି ଟାଉନ୍ କଲୋନି ସାହିରେ ସୁରେନ୍ଦ୍ର ନାୟକ ଘରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ସିବିଆଇ ଟିମ୍ ଉପରେ ପରିବାର ଓ ସ୍ଥାନୀୟ ଲୋକ ଆକ୍ରମଣ କରିଥିଲେ। ସୁରେନ୍ଦ୍ରଙ୍କ ସମ୍ପୃକ୍ତି ପ୍ରମାଣ ପାଇବା ପରେ ତଦନ୍ତକାରୀ ଟିମ୍ ତାକୁ ଉଠାଇ ଆଣିଥିବା ଜଣାପଡ଼ିଛି। ଅଶ୍ଳୀଳ ଭିଡିଓ ଛାଡ଼ିଥିବା ନେଇ ସେ ସ୍ବୀକାର ମଧ୍ୟ କରିଛି। ଯାଜପୁର କୋରେଇ ବ୍ଲକ୍ ଗୋଳେଇପୁର ପଞ୍ଚାୟତ କେଉଟନଗୁଆଁ ଗ୍ରାମରେ ଚଢ଼ଉ କରାଯାଇଛି। କେଉଟନଗୁଆଁ ଗ୍ରାମର ଅନିଲ ମାଝି ଏହି ଘଟଣାରେ ସମ୍ପୃକ୍ତ ଥିବା ସିବିଆଇ ଜାଣିବା ପରେ ଏହି ଚଢ଼ଉ କରାଯାଇଥିଲା। ଭୋର୍ରୁ ୪ଜଣିଆ ଏକ ଟିମ୍ ପହଞ୍ଚି ବନ୍ଦ କୋଠରିରେ ଅନିଲକୁ ଦୀର୍ଘ ୧୨ଘଣ୍ଟା ଧରି ଜେରା କରିଥିଲେ। ଅନିଲଙ୍କ ମୋବାଇଲ୍ ନମ୍ବରର କଲ୍ ରେକର୍ଡ ଯାଞ୍ଚ କରିଥିଲେ। କିଛି ସାମଗ୍ରୀ ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି। ସେହିପରି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍, ଗଣିଜାଙ୍ଗ ପଞ୍ଚାୟତର ବିନାୟକପୁର ଗ୍ରାମର ମନୋରଂଜନ ଦାସ(୩୦)ଙ୍କ ଘରେ ଚଢ଼ଉ ହୋଇଥିବା ଜଣାପଡ଼ିଛି। ମନୋରଞ୍ଜନ ଜଣେ ଅଟୋ ଚାଳକ।
ଏହି ବେଆଇନ ଘଟଣାରେ ସଂପୃକ୍ତି ଥିବା ଅଭିଯୋଗ ପାଇବା ପରେ ସିବିଆଇର ଏକ ସ୍ବତନ୍ତ୍ର ଟିମ୍ ଆଜି ତାଙ୍କ ଘରେ ଚଢ଼ଉ କରିଥିଲା। ସିବିଆଇ ଇନ୍ସପେକ୍ଟର୍ ପି. କେ. ମିଶ୍ରଙ୍କ ନେତୃତ୍ବରେ ୫ଜଣିଆ ଟିମ୍ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଦୀର୍ଘ ୨ ଘଣ୍ଟା ଧରି ଘର ଭିତରେ ତାଙ୍କୁ ପଚରାଉଚରା କରାଯାଇଥିଲା। ତାଙ୍କର ମୋବାଇଲ ଫୋନ୍ ଓ ଲାପଟପ୍ ଜବତ କରି ତାକୁ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ସିବିଆଇ ହାତରେ ବହୁ ତଥ୍ୟ ଲାଗିଛି। ଘଟଣାରେ ମନୋରଂଜନଙ୍କ ସହ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ସେ ସମ୍ପର୍କରେ ସିବିଆଇ ଟିମ୍ ତଥ୍ୟ ସଂଗ୍ରହ କରୁଛି। ଏହି ଘଟଣାରେ ଆହୁରି ଅନେକ ସଂପୃକ୍ତ ଥିବା ତଦନ୍ତ ବେଳେ ସିବିଆଇ ଅଧିକାରୀ ଜାଣିବାକୁ ପାଇଛନ୍ତି। ଉଲ୍ଲେଖଯୋଗ୍ୟ, ୫ ବର୍ଷ ପୂର୍ବେ ମନୋଜ ବାଙ୍ଗାଲୁରୁରେ ରହୁଥିଲେ। ସେଠାରେ ଏକ ହ୍ବାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ଫଟୋ ଓ ଭିଡିଓଗୁଡ଼ିକୁ ଛଡ଼ା ଯାଉଥିଲା। ଏହି ଗ୍ରୁପ୍ରେ ୪୮ଜଣ ସଦସ୍ୟ ଥିବା ବେଳେ ସେଥିରେ ମନୋଜ ମଧ୍ୟ ରହିଥିଲେ। ଉକ୍ତ ଗ୍ରୁପ୍ ଏବେ ମଧ୍ୟ କାର୍ଯ୍ୟକ୍ଷମ ରହିଛି।
The post ଅନଲାଇନ୍ରେ ଶିଶୁଙ୍କୁ ଯୌନ ଶୋଷଣ: ଓଡ଼ିଶାରେ ସିବିଆଇ ଚଢ଼ଉ, ୨୩ ମାମଲାରେ ୮୩ ଅଭିଯୁକ୍ତ, ୫୦ ଅଟକ first appeared on Sambad.from ଜିଲ୍ଲା | Sambad https://ift.tt/3nkFs7m
0 Comments