ଧଉଳି: ଧଉଳି ଶାନ୍ତିସ୍ତୂପରେ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ୍ରାଫ ଏବଂ ଏନଡିଆରଏଫ ପ୍ରମୁଖ ଅଧିକାରୀବୃନ୍ଦ ଉପସ୍ଥିତ ରହି ପ୍ରାକୃତିକ ବିପର୍ଯ୍ୟୟ କିଭଳି ଭାବେ ପରିଚାଳନା କରାଯାଇ ପାରିବ ସେ ସଂପର୍କରେ ଲୋକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ଆକସ୍ମିକ ଅଗ୍ନିକାଣ୍ଡ ଓ ବିଦ୍ୟୁତ ସର୍ଟସର୍କିଟ ଜନିତ ଅଗ୍ନିକାଣ୍ଡ ବେଳେ କିଭଳି ଲୋକଙ୍କୁ ଉଦ୍ଧାର କରାଯିବା ସହ ବନ୍ୟା ସମୟରେ ଲାଇଫ ଜ୍ୟାକେଟ ଲୋକଙ୍କୁ ପିନ୍ଧାଇ ପାଣିରେ ବୁଡ଼ିଯାଉଥିବା ଲୋକଙ୍କର କିଭଳି ଜୀବନ ରକ୍ଷା କରାଯାଇ ପାରିବ ସେ ନେଇ ଶିକ୍ଷା ପ୍ରଦାନ କରାଯାଇଥିଲା।

ସେହିପରି ସିଡ଼ି ଓ ରସି ସାହାଯ୍ୟରେ ଛାତ କିମ୍ବା ବହୁତଳ ବିଶିଷ୍ଟ କୋଠା ଅଟାଳିକା ଉପରୁ ଲୋକଙ୍କୁ ଉଦ୍ଧାର କରିହେବ ସେନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ରୋଷେଇ ସମୟରେ ଗ୍ୟାସ ଟାଙ୍କିରେ ହଠାତ ନିଆଁ ଲାଗିଲେ ଚାଦର ହଉ କିମ୍ବା ବାଲତି ଭଳି ସାମଗ୍ରୀ ଘୋଡ଼ାଇ କିଭଳି ଲିଭାଯାଇ ପାରିବ ସେ ସଂପର୍କରେ ଉପସ୍ଥିତ ଅଧିକାରୀମାନେ ଶିକ୍ଷା ଦେଇଥିଲେ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ଏଡିଏମ ପ୍ରଫୁଲ୍ଲ କୁମାର ସ୍ବାଇଁଙ୍କ ସମେତ ପର୍ଯ୍ୟଟନ ଅଧିକାରୀ ଅଞ୍ଜନ କୁମାର ବାରିକ,ଡିପିଓ ସଚ୍ଚିଦାନନ୍ଦ ପତି, ସମାଜ ସେବୀ ହରେକୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଓଡ୍ରାଫ ଏବଂ ଏନଡିଆରଏଫ ଅଧିକାରୀ ଅଗ୍ନିଶମ ବିଭାଗର ଏସଆଇ ଡିକେ ସେଠୀଙ୍କ ଓଏଫଏସ ଡିକେ ବେହେରା ଭି ପାତ୍ରଙ୍କ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ବୃନ୍ଦଙ୍କ ତତ୍ବାବଧାନରେ ୮୦ ଜଣ କର୍ମଚାରୀ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

The post ଧଉଳି ଶାନ୍ତିସ୍ତୂପରେ ଅଗ୍ନିଶମ ବିଭାଗର ମକଡ୍ରିଲ first appeared on Sambad.

from ଜିଲ୍ଲା | Sambad https://ift.tt/3c43InK