ଭୁବନେଶ୍ବର: ଦୁର୍ଘଟଣା ହେଉ ଅବା ଅନ୍ୟ କୌଣସି ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆସୁଥିବା ବ୍ୟକ୍ତିଙ୍କୁ ଜରୁରୀକାଳୀନ ଏବଂ ଉତ୍ତମ ଚିକିତ୍ସା ସେବା ପ୍ରଦାନର ଆବଶ୍ୟକତା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ଚିକିତ୍ସା ପ୍ରଦାନ କରୁଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ଭୂମିକା ମଧ୍ୟ ବେଶ୍‌ ମହତ୍ତ୍ବପୂର୍ଣ୍ଣ ରହିଥାଏ। ଏନେଇ ଏମ୍‌ସ ଭୁବ‌ନେଶ୍ବରର ଟ୍ରମା ଏବଂ ଜରୁରୀ ବିଭାଗ ପକ୍ଷରୁ ଏମ୍‌ସ ଭୁବନେଶ୍ବରର ଡାକ୍ତର, ନର୍ସିଂ କର୍ମଚାରୀ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଏକ ସ୍ବତନ୍ତ୍ର ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇଯାଇଛି। ‌ବେସିକ୍‌ ସର୍ଜିକାଲ୍‌ ସ୍କିଲ୍‌ ଏବଂ  ସିଲେଇ କୌଶଳ ସମ୍ପର୍କିତ ଏକ କର୍ମଶାଳାରେ ଡାକ୍ତର ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀଙ୍କୁ ଜରୁରୀ ସେବା ଆବଶ୍ୟକତା କରୁଥିବା ରୋଗୀଙ୍କୁ କିପରି ସଠିକ୍‌ ସମୟରେ ସର୍ବୋତ୍ତମ ଚିକିତ୍ସା ସେବା ପ୍ରଦାନ କରାଯାଇପାରିବ ସେନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କର ପ୍ଲାଷ୍ଟର କରିବା, ସିଲେଇ କରିବା ଭଳି ଚିକିତ୍ସାସେବା ସହିତ ଅନ୍ୟାନ୍ୟ ବିଭିନ୍ନ ଦିଗ ଉପରେ ତାଲିମ ପ୍ରଦାନ କରାଯାଇଥିଲା। ଏମ୍‌ସ ଭୁବନେଶ୍ବରର ରେସିଡେଣ୍ଟ୍‌ ଡାକ୍ତର, ଇଷ୍ଟର୍ଣ୍ଣ ଏବଂ ସ୍ବାସ୍ଥ୍ୟକର୍ମୀ ମାନେ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ।

Sambad

ଜରୁରୀକାଳୀନ ରୋଗୀ ସେବାରେ ନିୟୋଜିତ ପ୍ରାଥମିକ ସ୍ବାସ୍ଥ୍ୟ କର୍ମଚାରୀ ଏବଂ ଡାକ୍ତରମାନଙ୍କୁ ଏହି କ୍ଷେତ୍ରରେ ଆହୁରି ଅଧିକ ଦକ୍ଷ କରିବା ଏପରି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶଲ୍ୟ ଚିକିତ୍ସା (ଜେନେରାଲ୍‌ ସର୍ଜରୀ) ବିଭାଗର ପ୍ରଫେସର ଏବଂ ଟ୍ରମା ଓ ଜରୁରୀ ବିଭାଗର ମୁଖ୍ୟ ଡଃ. ତୁଷାର ଏସ୍‌ ମିଶ୍ର ପ୍ରକାଶ କରିଛନ୍ତି। ଆଗକୁ ଏପରି ଆହୁରି ଅଧିକ କର୍ମଶାଳାର ଆୟୋଜନ କର‌ାଯିବା ସହିତ ଏମ୍‌ସ ଭୁବନେଶ୍ବର ବାହାରୁ ମଧ୍ୟ ସମସ୍ତ ଡାକ୍ତର ମାନଙ୍କ ଅଂଶଗ୍ରହଣ ପାଇଁ ବ୍ୟବସ୍ଥା କରାଯିବ ବୋଲି କାର୍ଯ୍ୟକ୍ରମ ସଂଯୋଜକ ତଥା ଟ୍ରମା ଏବଂ ଜରୁରୀ ବିଭାଗର ବର୍ଣ୍ଣ‌ସ୍‌ ଏବଂ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗର ସହକାରୀ ପ୍ରଫେସର ଡଃ. ରିତେଶ ପଣ୍ଡା ସୂଚନା ଦେଇଛନ୍ତି। ଅସ୍ଥିଶଲ୍ୟ (ଅର୍ଥୋପେଡିକ୍‌) ବିଭାଗର ଡଃ. ସରୋଜ କୁମାର ପାତ୍ର, ଡଃ. ପ୍ରକାଶ ସସ୍‌ମଲ, ଡଃ. ମନୱାର ଅଲ୍ଲୀ, ଡଃ. ପଙ୍କଜ କୁମାର (ଶଲ୍ୟ ଚିକିତ୍ସା) ପ୍ରଶିକ୍ଷକ ଭାବେ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ। ପ୍ରଥମବର୍ଷ ସର୍ଜିକାଲ୍‌ ଛାତ୍ରଛାତ୍ରୀ ତଥା ଶିକ୍ଷାନବୀସ (ଇଣ୍ଟର୍ଣ୍ଣ)ଙ୍କ ପାଇଁ ଏପରି ବେସିକ୍‌ କୋର୍ସ ବାଧ୍ୟତାମୂଳକ ହେବା ଉଚିତ୍‌ ବୋଲି କର୍ମଶାଳାରେ ଅଂଶଗ୍ରହଣ କରିଥିବା ଦ୍ବିତୀୟବର୍ଷ ଛାତ୍ର ଡଃ. ଉମେଶ ମତବ୍ୟକ୍ତ କରିଛନ୍ତି। ଏପରି କର୍ମଶାଳା ଡାକ୍ତରୀ ଛାତ୍ରଛାତ୍ରୀ ତଥା ସ୍ବାସ୍ଥ୍ୟକର୍ମୀଙ୍କୁ ଗୁରୁତର ଅବସ୍ଥାରେ ଥିବା ଜରୁରୀକାଳୀନ ରୋଗୀଙ୍କୁ ଉତ୍ତମ ସେବା ପ୍ରଦାନରେ ବିଶେଷ ସହାୟକ ହେବ ବୋଲି ଏମ୍‌ସ ଭୁବନେଶ୍ବର ନିର୍ଦ୍ଦେଶିକା ଡଃ. ବି ଗୀତାଞ୍ଜଳୀ ଆଶାପୋଷଣ କରିଛନ୍ତି।

The post ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ପ୍ରଦାନ ନେଇ ତାଲିମ first appeared on Sambad.

from ଜିଲ୍ଲା | Sambad https://ift.tt/3Ebmhms