କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ଶୁଭାରମ୍ଭ ପୂର୍ବରୁ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ତାତି ଦେଖିବାକୁ ମିଳିଛି। କାର୍ଯ୍ୟକ୍ରମରେ ଯୋଗଦେବାକୁ କେନ୍ଦୁଝର ଗସ୍ତରେ ଆସିଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ଟାବେଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନ ଶୁଭାରମ୍ଭ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ସଂସ୍କୃତି ଭବନରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯିବାବେଳେ ବିଜେପି ଯୁବ ମୋର୍ଚ୍ଚାର କର୍ମକର୍ତ୍ତାମାନେ ସହରର ବିଭିନ୍ନ ଗଳିକନ୍ଦିରେ ଛକି ରହିଥିଲେ। କାଶୀପୁରଠାରେ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ହେମରଞ୍ଜନ ବାରିକ ଗୋ ବ୍ୟାକ୍‌ ନାରା ଦେଇ ପାଇଲଟିଂ ଗାଡ଼ି ସମେତ ମନ୍ତ୍ରୀ ଶ୍ରୀ ମାର୍ଣ୍ଡିଂ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିଲେ। ତେବେ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଉକ୍ତ ଗାଡ଼ିରେ ନଥି‌ଲେ। ପଛରେ ଅନ୍ୟ ଏକ ଘରୋଇ ଗାଡ଼ିରେ ସେ ଆସୁଥିବା ଜଣାପଡ଼ିଥିଲା। ଅଣ୍ଡାମାଡ଼ ଘଟଣାପରେ ଘଟଣାସ୍ଥଳରେ ସାଦା ପୋଷାକରେ ମୁତୟନ ହୋଇଥିବା ପୁଲିସ କର୍ମଚାରୀମାନେ ଶ୍ରୀ ବାରିକଙ୍କୁ ସେଠାରୁ ଉଠାଇ ନେଇ ଟାଉନ ଥାନାରେ ଅଟକ ରଖିଥିଲେ। କାର୍ଯ୍ୟକ୍ରମ ଶେଷ‌ ହେବା ପରେ ଅପରାହ୍‌ଣରେ ତାଙ୍କୁ ଛଡ଼ା ଯାଇଥିବା ସୂଚନା ମିଳିଛି।

The post କେନ୍ଦୁଝରରେ ମମିତା ମେହେର ତାତି: ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଗାଡ଼ିକୁ ଅଣ୍ଡାମାଡ଼ first appeared on Sambad.

from ଜିଲ୍ଲା | Sambad https://ift.tt/3FxzCWC