କମୁନି ହାତୀ ଉପଦ୍ରବ: କନ୍ତଲେଇ ମନ୍ଦିର ରୋଷଘର ଭାଙ୍ଗିଲେ, ଧାନ ଓ କୋବି ଫସଲ ନଷ୍ଟ କଲେ

ତେଲକୋଇ : ଗତକାଲି ଦିନରେ ତେଲକୋଇ ରେଞ୍ଜ ଖୁଣ୍ଟାପଡା ରୁଗୁଡିସାହି ନିକଟ ଆମ୍ବ ବଗିଚାରେ ଥିବା ହାତୀ ପଲ ଏବେ ଭୀମକାଣ୍ଡ ପଞ୍ଚାୟତ କୋଇଲିସୁତା ନିକଟସ୍ଥ ଜଙ୍ଗଲରେ ରହିଛନ୍ତି। ଏହି ପଲରେ ୨ଟି ଦନ୍ତା, ୫ଟି ମାଈ ଓ ୪ଟି ଛୁଆହାତୀ ରହିଛନ୍ତି। ଦୁଇଦିନ ଭିତରେ ଏହି ହାତୀ ପଲ ବ୍ୟାପକ ଧାନ, କୋବି ଓ ପନିପରିବା ଫସଲ ନଷ୍ଟ କରିବା ସହିତ ଘରଦ୍ୱାର ନଷ୍ଟ କରିଛନ୍ତି।

ଗତକାଲି କନ୍ତଲେଇ ଗ୍ରାମର ସିଦ୍ଧ ପାତାଳେଶ୍ୱର ଶିବ ମନ୍ଦିର ରୋଷଘର, ଯଜ୍ଞ ମଣ୍ଡପ ଓ ଦାନବାକ୍ସ ଭାଙ୍ଗି ଦେଇଛନ୍ତି। ଏଥି ସହିତ କନ୍ତଲେଇ ଗ୍ରାମର ଲକ୍ଷ୍ମୀକାନ୍ତ ମହାନ୍ତଙ୍କ ଗୋଟିଏ ଏକର ପାଚିଲା ଧାନ ଖାଇବା ସହିତ ମାଡିଦଳି ନଷ୍ଟ କରିଦେଇଛନ୍ତି। ସ୍ଥାନୀୟ ଲୋକେ ଚାରି ଦିଗରେ ରହି ନିଆଁ ହୁଳା, ଲାଇଟ୍ ପକାଇବା ସହ ହୋହଲ୍ଲା କରିବାରୁ ହାତୀଗୁଡିକ କୌଣସି ଆଡ଼େ ଯାଇ ପାରି ନଥିଲେ। ଫଳରେ ନିର୍ଦ୍ଧିଷ୍ଟ ଧାନ କ୍ଷେତରେ ପଶି ରହିଥିଲେ। ପରେ କନ୍ତଲେଇ-ଗୋଳାଗାଡିଆ ଦେଇ କୋଇଲିସୁତା ଆଡ଼କୁ ଯାଇଥିଲେ। ବନ ବିଭାଗ କର୍ମଚାରୀ ହାତୀ ଘଉଡ଼ାଇବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ନିଜ ନିଜ ଫସଲ ବଞ୍ଚାଇବା ପାଇଁ ଦଳଦଳ ଜଗି ରହୁଥିବାରୁ ହାତୀ ପଲ ଆଗକୁ ବଢ଼ିବାରେ ସମସ୍ୟା ସୃଷ୍ଟି ହେଉଛି। ଫଳରେ ହାତୀ ବିରକ୍ତି ମଧ୍ୟ ହେଉଛନ୍ତି। କେତେକ କ୍ଷେତ୍ରରେ ବନ କର୍ମଚାରୀଙ୍କୁ ସହଯୋଗ ପରିବର୍ତ୍ତେ ଲୋକେ ପାଟିତୁଣ୍ଡ କରୁଛନ୍ତି। ଫଳରେ ସେମାନେ ମଧ୍ୟ ଲୋକଙ୍କ ରୋଷରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି।

ଏହି ହାତୀ ପଲ ପୂର୍ବ ରାତିରେ ଦୁଲ୍ଲଭପୁର ଗ୍ରାମର ଇନ୍ଦ୍ରମଣି ପରିଡା ଓ ତପନ କୁମାର ସାହୁଙ୍କ ଫୁଲ କୋବି ବଗିଚା ଓ ହିମାଂଶୁ ପରିଡା, ଗଜେନ୍ଦ୍ର ପରିଡ଼ାଙ୍କ ଧାନ ଫସଲ ନଷ୍ଟ କରିଥିଲେ। ଖୁଣ୍ଟାପଡା ଗ୍ରାମର ସୁରେଶ ଚନ୍ଦ୍ର ସାହୁ, ଦୁଃଖବନ୍ଧୁ ପ୍ରଧାନ, ବିଶ୍ବନାଥ ପ୍ରଧାନ, ଜ୍ଞାନେନ୍ଦ୍ର ପ୍ରଧାନ, ବଳଭଦ୍ର ପ୍ରଧାନ, ଭୁବନେଶ୍ବର ପ୍ରଧାନ, ଆଦିକନ୍ଦ ସାହୁ, ମମତା ସାହୁ, ଅଞ୍ଜନ ପ୍ରଧାନ, କୁଳମଣି ପ୍ରଧାନ, ପ୍ରବୀର ପ୍ରଧାନ, ଗିରିଜା ଭୂଷଣ ପ୍ରଧାନ, ଲୋଚନ ସେଠୀ, ଲକ୍ଷ୍ମୀଧର ସେଠୀ, ବିଦ୍ୟାଧର ପାତ୍ରଙ୍କ ଧାନ ଫସଲ ନଷ୍ଟ କରିଦେଇଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଲୋକେ ଦାବି କରିଛନ୍ତି।

The post କମୁନି ହାତୀ ଉପଦ୍ରବ: କନ୍ତଲେଇ ମନ୍ଦିର ରୋଷଘର ଭାଙ୍ଗିଲେ, ଧାନ ଓ କୋବି ଫସଲ ନଷ୍ଟ କଲେ first appeared on Sambad.

from ଜିଲ୍ଲା | Sambad https://ift.tt/3kMrV6S

Post a Comment

0 Comments