ଯାଜପୁର/କବାଟବନ୍ଧ  : ଧର୍ମଶାଳା ତହସିଲ ଅନ୍ତର୍ଗତ ଜେନାପୁର ଥାନା ଅଧୀନ ବାଘୁଆ ପାହାଡ଼ର ବେଆଇନ ଖାଦାନ ପାଣିରେ ପଡ଼ି ବିଦ୍ୟାଧର ମହାରଣା(୭୫)ଙ୍କର ଆଜି ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ବିଦ୍ୟାଧରଙ୍କ ଘର ବାଘୁଆ ପାହାଡ଼ ଠାରୁ ୨କିମି ଦୂର ଅଞ୍ଜିରା ପଞ୍ଚାୟତର ଶ୍ୟାମସୁନ୍ଦରପୁର ଗ୍ରାମ।

ବିଦ୍ୟାଧର କିପରି ବାଘୁଆ ପାହାଡ଼କୁ ଆସି ଖାଦାନ ପୋଖରୀରେ ପଡ଼ି ମୃତ୍ୟୁବରଣ କଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଧର୍ମଶାଳା ତହସିଲର ଅନେକ ପାହାଡ଼ରେ କଳାପଥର ଲିଜ୍ଧା‌ରୀ ଓ ପଥର ମାଫିଆମାନେ ବେଆଇନ ଭାବେ ଖାଦାନ ଖୋଳି ଶହ ଶହ ଫୁଟର ବିରାଟ ବିରାଟ ଗହ୍ବର ସୃଷ୍ଟି କରିଛନ୍ତି। ଫଳରେ ନିୟମିତ ଗୃହପାଳିତ ପ୍ରାଣୀ ଓ ଲୋକମାନେ ସେଥିରେ ପଡ଼ି ପ୍ରାଣ ହରାଉଛନ୍ତି। ଏହି ବେଆଇନ କାରବାରକୁ ରୋକିବା ପାଇଁ ପରିବେଶବିତ୍ ଓ ବୁଦ୍ଧିଜୀବୀ ନିୟମିତ ଦାବି କରୁଥିଲେ ମଧ୍ୟ ଅସାଧୁମେଣ୍ଟ ନିକଟରେ ବନ୍ଧା ପଡିଥିବା ପ୍ରଶାସନ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଏଡ଼ାଇ ଚାଲିଛି। ଫଳରେ ନିୟମିତ ଏହିଭଳି ଅଘଟଣ ଘଟି ଚାଲିଛି।
ପ୍ରକାଶ ଥାଉକି ଧର୍ମଶାଳା ତହସିଲ ଅଧୀନରେ ଥିବା ବାଘୁଆ, ବିଛାଖଣ୍ଡି, ଡଙ୍କାରୀ, ଲୁଣିବର, ବରଡ଼ା, ରାହାଡ଼ପୁର ପ୍ରଭୃତି ପାହାଡ଼ରୁ କଳାପଥର ଖନନ କରାଯାଇ ଶହ ଶହ ଗଭୀର ପୋଖରୀ ସୃଷ୍ଟି ହୋଇଛି। ଫଳରେ ସ୍ଥାନୀୟ ଲୋକ ଓ ଗୃହପାଳିତ ପ୍ରାଣୀଙ୍କ ପାଇଁ ଏହା ମୃତ୍ୟୁଯନ୍ତା ପାଲିଟିଛି। କୌଣସି କାରଣରୁ ପାହାଡ଼କୁ ଯିବାଆସିବା କରୁଥିବା ବେଳେ ଖସିପଡ଼ି ମୃତ୍ୟୁବରଣ କରୁଛନ୍ତି। ଗତ ସପ୍ତାହରେ ରାହାଡ଼ପୁର ପାହାଡ଼ର ଏକ ଗହ୍ବରରେ ଏକ ଗାଈ ଖସିପଡ଼ିବାରୁ ଚଢେଇଧରା ଅଗ୍ନିଶମ ବିଭାଗ କର୍ମଚାରୀ ଓ ଲୋକମାନେ ଉଦ୍ଧାର କରିଥିଲେ। ଏହି ଘଟଣା ପରେ ଆଜି ବାଘୁଆ ପାହାଡ଼ ୩ନମ୍ବର ଖାଦାନରେ ସୃଷ୍ଟି ହୋଇଥିବା ବିରାଟ ଗହ୍ବର ପାଣିରେ ବୃଦ୍ଧ ବିଦ୍ୟାଧର ପଡ଼ି ମୃତ୍ୟୁବରଣ କରିଛନ୍ତି। ଅଗ୍ନଶମ ବିଭାଗ କର୍ମଚାରୀ ଶବ ଉଦ୍ଧାର କରିଛନ୍ତି।

ଖଣି ନିୟମ ମୁତାବକ ଖାଦାନ ଖନନ ପରେ ଗାଡ଼ଗୁଡ଼ିକୁ ପୂରଣ କରାଯିବ। ଏପରିକି ସେଥିରେ ଗଛ ଲଗାଇ ପରିବେଶ ସୁରକ୍ଷା ପାଇଁ ପରାମର୍ଶ ଦିଆଯାଇଛି। ମାତ୍ର ପରିବେଶ ବିିଭାଗ ଓ ତହସିଲର ଅଧିକାରୀମାନେ ଲିଜଧାରୀ ଓ ପଥର ମାଫିଆଙ୍କ ଦ୍ବାରା ପ୍ରଭାବିତ ହୋଇ ଏହି ଦିଗ ପ୍ରତି ଆଖି ବୁଜି ଦେଇଛନ୍ତି।

The post ପାହାଡ଼ରେ ମୃତ୍ୟୁ ଗହ୍ବର: ବେଆଇନ ଖାଦାନରେ ପଡ଼ି ବୃଦ୍ଧଙ୍କ ଶୋଚନୀୟ ମୃତ୍ୟୁ first appeared on Sambad.

from ଜିଲ୍ଲା | Sambad https://ift.tt/3BWkIqo