କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ‌ର ସ୍ନାତକୋତ୍ତର (ପିଜି) ଛାତ୍ରଛାତ୍ରୀ ଚାଟଶାଳୀ ଛାତ୍ରଛାତ୍ରୀଙ୍କ ଭଳି ଚଟାଣରେ ବସି ପଢୁଛନ୍ତି। ଏଭଳି ଦୃଶ୍ୟ ସହଜରେ ବିଶ୍ବାସଯୋଗ୍ୟ ହୋଇ ନଥିଲେ ବି ରାଜ୍ୟର ଐତିହାସିକ ଶିକ୍ଷାନୁଷ୍ଠାନ ରେଭେନ୍ସା ବିଶ୍ବବିଦ୍ୟାଳୟ ରୁରାଲ୍‌ ଡେଭଲପ୍‌ମେଣ୍ଟ (ଆର୍‌ଡି) ବିଭାଗରେ ଏହା ଦେଖିବାକୁ ମିଳୁଛି। ଛାତ୍ରଛାତ୍ରୀଙ୍କ ପାଇଁ ବସିବାକୁ ବେଞ୍ଚ୍‌ କି ଚେୟାର ନାହିଁ। ଗତ ଅଗଷ୍ଟ ମାସରୁ ଅଫ୍‌ ଲାଇନ୍‌ରେ ପାଠପଢା ଆରମ୍ଭ ହେବାପରଠୁ ଛାତ୍ରଛାତ୍ରୀ ଏନେଇ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ମାତ୍ର, କୌଣସି ସୁଫଳ ମିଳୁନାହିଁ। ସେମାନଙ୍କ ସହିତ ଜଣେ ତାଞ୍ଜାନିଆର ପିଲା ବି ପଢ଼ୁଛନ୍ତି। ଫଳରେ ରେଭେନ୍ସା ବିଶ୍ବବିଦ୍ୟାଳୟର ଗାରିମାକୁ ବିଦେଶରେ କ୍ଷୁଣ୍ଣ କରିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଆରଡି ବିଭାଗରେ ଦୁଇ ବର୍ଷୀୟ ପିଜି ପାଠ୍ୟକ୍ରମ ପାଇଁ ପ୍ରଥମ ବର୍ଷରେ ୪୦ ଓ ଦ୍ବିତୀୟ ବର୍ଷରେ ୪୦ ଏପରି ମୋଟ୍‌ ‌୮୦ଟି ସିଟ୍‌ ରହିଛି। କୋର୍ସ ଫି ବାବଦକୁ ବର୍ଷକୁ ୨୦ ହଜାର କରି ୨ବର୍ଷରେ ୪୦ ହଜାର ଟଙ୍କା ଆଦାୟ କରାଯାଉଛି। ବିଭାଗରେ ଏବେ ପ୍ରଥମ ବର୍ଷରେ ୪୧ଜଣ ଛାତ୍ରଛାତ୍ରୀ ଥିବାବେଳେ ଜଣେ ତାଞ୍ଜାନିଆ ଦେଶର ଛାତ୍ର ଅଛନ୍ତି। ସେହିପରି ଦ୍ବିତୀୟ ବର୍ଷରେ ଆଜି ସୁଦ୍ଧା ୨୭ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ପୂର୍ବରୁ ରୁରାଲ୍‌ ଡେଭଲ୍‌ପମେଣ୍ଟ ବା ଆରଡି ବିଭାଗଟି ବିଶ୍ବବିଦ୍ୟାଳୟର ବାଣିଜ୍ୟ ବ୍ଲକ୍‌ରେ ଥିବା ଅର୍ଥନୀତି ବିଭାଗର ଦୁଇଟି ଶ୍ରେଣୀ ଗୃହରେ ଚାଲିଥିଲା। ମାତ୍ର ଚଳିତ ବର୍ଷ ଜାନୁଆରିରେ କୁଳପତିଙ୍କ କାର୍ଯ୍ୟାଳୟ ପାର୍ଶ୍ବରେ ଥିବା ପୁରୁଣା ଏମ୍‌ବିଏ ବିଭାଗକୁ ଏହାକୁ ଅଣାଯାଇଛି। ଏଠାରେ ପୂର୍ବରୁ ଥିବା ବେଞ୍ଚ ଓ ଟେବୁଲକୁ ଏମ୍‌ବିଏର ନୂଆ କୋଠାକୁ ସ୍ଥାନାନ୍ତର କରାଯାଇଥିଲା।

ଆରଡି ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଏଠାରେ ଥିବା କିଛି ପୁରୁଣା ଓ ଭଙ୍ଗା ବେଞ୍ଚ ଓ ଟେବୁଲ ଦିଆଯାଇଥିଲା। ମାତ୍ର ଭଙ୍ଗା ବେଞ୍ଚ ଟେବୁଲକୁ ଛାତ୍ରଛାତ୍ରୀ ବ୍ୟବହାର ନକରି ନୂଆ ଦେବାକୁ କର୍ତ୍ତୃପକ୍ଷଙ୍କୁ କହିଥିଲେ। ଗତ ଅଗଷ୍ଟରୁ ଶ୍ରେଣୀ ଗୃହ ପାଠପଢା ଆରମ୍ଭ ହୋଇଥିବା ବେଳେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଦାବି ପୂରଣ କରିବା ଦିଗରେ କୌଣସି ପଦକ୍ଷେପ ନେଇ ନାହାନ୍ତି। ଗତ ତିନି ମାସରୁ ଅଧିକ ସମୟ ଧରି ଛାତ୍ରଛାତ୍ରୀ ତଳେ ବସି ପଢୁଥିବା ବେଳେ ଏହା ବିଶ୍ବବିଦ୍ୟାଳୟର ଚିତ୍ରକୁ ଦେଶବିଦେଶରେ ଖରାପ କରୁଛି। କିନ୍ତୁ ଛାତ୍ରଛାତ୍ରୀ ତଳେ ବସି ପଢିବା ସଂପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନାହିଁ ବୋଲି କୁଳସଚିବ ଡକ୍ଟର ଭକ୍ତ ଚରଣ ପ୍ରଧାନ କହିଛନ୍ତି। ଅନ୍ୟପଟେ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବେଞ୍ଚ ଓ ଚେୟାର ତିଆରି କରିବାକୁ ଯୋଜନା କରାଯାଇଛି ବୋଲି ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ଡକ୍ଟର ଅସୀମା ସାହୁ କହିଛନ୍ତି।

The post ରେଭେନ୍ସା ଆର୍‌ଡି ବିଭାଗର ଅଭାବନୀୟ ଦୃଶ୍ୟ: ଚଟା‌ଣରେ ବସି ପଢୁଛନ୍ତି ପିଜି ଛାତ୍ରଛାତ୍ରୀ first appeared on Sambad.

from ଜିଲ୍ଲା | Sambad https://ift.tt/31cSRWg