କେସିଙ୍ଗା : ମମିତା ମେହେର ହତ୍ୟା ମାମଲାରେ ପୀଡ଼ିତ ପରିବାରକୁ ନ୍ୟାୟ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ। ବୁଧବାର ଭବାନୀପାଟଣାରୁ ଏକ ରାଲି ବାହାରି ନର୍ଲା, ମଦନପୁର ରାମପୁର ଓ କର୍ଲାମୁଣ୍ଡାର  ବିଭିନ୍ନ ଅଞ୍ଚଳରେ ଶୋଭାଯାତ୍ରା କରିବା ସହ ସାଧାରଣ ସଭାମାନ କରିଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ, ନଚେତ ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ ବୋଲି ବର୍ଷିଛନ୍ତି। ମନ୍ତ୍ରୀ ତାଙ୍କ ପଦରେ ରହିଲେ ମମିତା କେବେ ବି ନ୍ୟାୟ ପାଇବେ ନାହିଁ ବୋଲି କହିଛନ୍ତି।

ବିଶେଷ କରି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ ବିଭିନ୍ନ ତଥ୍ୟ ଦେଇ ତାଙ୍କ ସହ ହତ୍ୟାକାରୀ ଗୋବିନ୍ଦଙ୍କ ସମ୍ପର୍କ ଥିବା କଥାକୁ ପୁଣି ଦୋହରାଇଥିଲେ। ସରକାର କାହିଁକି କଲ୍‌ ରେକର୍ଡ ଯାଞ୍ଚ କରୁ ନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ମନ୍ତ୍ରୀଙ୍କୁ ବହିଷ୍କାର କରା ନଗଲେ ଆସନ୍ତା ୮ ତାରିଖ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବିରୋଧ କରାଯିବ ବୋଲି କହିଛନ୍ତି। ରାଜ୍ୟର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ନାରୀମାନେ ସୁରକ୍ଷିତ ନୁହଁନ୍ତି। ଏଣୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯାଉ ବୋଲି ଶ୍ରୀ ଦାସ ଦାବି କରିଛନ୍ତି। ଆସନ୍ତା ୭ତାରିଖ ଦିନ ମୃତ ମମିତାଙ୍କ ଉଦ୍ଦେଶ୍ୟରେ ୨ମିନିଟ ନିରବ ପ୍ରାର୍ଥନା କରାଯିବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ୭ ତାରିଖ ସୁଦ୍ଧା ପଦକ୍ଷେପ ନନେଲେ ଆଗକୁ ଆନ୍ଦୋଳନ ଜୋର୍‌ ହେବ ଏବଂ ସମସ୍ତଙ୍କ ମୁଖା ଖୋଲାହେବ ବୋଲି କହିଛନ୍ତି।

ଏହି ସଭାରେ ଜିଲ୍ଲା ସଭାପତି ଭାରତ ବେମାଲ, ଉପସଭାପତି ପରମାନନ୍ଦ ମାଝୀ, ଧନୁ ଗହୀର, ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ତ୍ରିଲୋଚନ ପାଣିଗ୍ରାହୀ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ମହମ୍ମଦ ସାହେବ, ପୂର୍ବ ଅଧ୍ୟକ୍ଷ ରାମକୁମାର ଜୈନ, ଜ୍ୟୋତ୍ସ୍ନା ବଗର୍ତ୍ତି, ପୂର୍ବ କାଉନ୍‌ସିଲର ବିଜୟ ଦୀପ, ଟିକେମନ ଦୀପ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଉପସ୍ଥିତ ଥିଲେ।

The post ମମିତା ହତ୍ୟା ମାମଲାରେ କଂଗ୍ରେସର ଶୋଭାଯାତ୍ରା, ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବର୍ଷିଲେ ଭକ୍ତ first appeared on Sambad.

from ଜିଲ୍ଲା | Sambad https://ift.tt/3bGdcoV