ରାୟଗଡ଼ା: କାଶୀପୁର ବ୍ଲକର ୩ ଜିଲ୍ଲା ପରିଷଦ ଜୋନରେ ଆଦିବାସୀ ପ୍ରାର୍ଥୀଙ୍କୁ ଉପେକ୍ଷାକୁ ନେଇ ହାଇକୋର୍ଟରେ ରୁଜୁ ହୋଇଛି ମାମଲା। ମାମଲାର ବିଚାରଣ ରାୟଗଡ଼ା ଜିଲ୍ଲାପାଳଙ୍କ କୋର୍ଟରେ କରି ୨୧ ଦିନ ଭିତରେ ରାଜ୍ୟ ନିର୍ବାଚନ କମିଶନର ଓ ହାଇକୋର୍ଟକୁ ଅବଗତ କରିବା ପାଇଁ ଜଷ୍ଟିସ୍ ବିଶ୍ବଜିତ୍ ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦେଶରେ ରାୟଗଡ଼ା ଜିଲ୍ଲାପାଳଙ୍କ କୋର୍ଟରେ ଆଜି ଆଦିବାସୀ ସମାଜର ଉପଦେଷ୍ଟା ତଥା ଆଇନଜୀବୀ ଉପେନ୍ଦ୍ର ମାଝି ଉପସ୍ଥିତ ହୋଇ ପକ୍ଷ ରଖିଛନ୍ତି। ୩ଟି ଜିଲ୍ଲା ପରିଷଦ ଜୋନରେ ବହୁଳ ସଂଖ୍ୟକ ଆଦିବାସୀ ଥିବା ବେଳେ ଜାଣିଶୁଣି ଆଗାମୀ ପଞ୍ଚାୟତ ନିର୍ବାଚନରେ ଆଦିବାସୀ ପ୍ରାର୍ଥୀଙ୍କୁ ଉପେକ୍ଷା କରାଯାଇଛି। ଏହାର ସଠିକ୍ ବିଚାର କରିବା ସହିତ ଆଦିବାସୀଙ୍କ ବିକାଶ ଦୃଷ୍ଟିରୁ କୋର୍ଟ ସଠିକ୍ ନିଷ୍ପତ୍ତି ନେବାକୁ ଆଇନଜୀବୀ ଶ୍ରୀ ମାଝି କୋର୍ଟରେ ପ୍ରାର୍ଥନା କରିଛନ୍ତି।

ସୂଚନାନୁଯାୟୀ, ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ଚିଠା ପ୍ରସ୍ତାବ ଓ ସଂଶୋଧନ ତାଲିକାରେ କାଶୀପୁର ବ୍ଲକର ୩ଟି ଜିଲ୍ଲା ପରିଷଦ ଜୋନରେ ଆଦିବାସୀ ବର୍ଗ ପ୍ରାର୍ଥୀଙ୍କୁ ସଂରକ୍ଷଣ ଦିଆଯାଇନି। ୨୦୧୧ ଜାତିଭିତ୍ତିକ ଜନଗଣନା ଅନୁଯାୟୀ କାଶୀପୁର ବ୍ଲକରେ ଆଦିବାସୀଙ୍କ ସଂଖ୍ୟା ଗରିଷ୍ଠତା ଅଧିକ ରହିଥିଲେ ମଧ୍ୟ ‘କ’ ଜୋନରେ ଏସସି ମହିଳା, ‘ଖ’ ଜୋନରେ ଏସସି ପୁରୁଷ ଏବଂ ‘ଗ’ ଜୋନରେ ଓବିସି ବର୍ଗ ପ୍ରାର୍ଥୀଙ୍କୁ ସଂରକ୍ଷଣ ଦିଆଯାଇଛି। କାଶୀପୁର ଆଦିବାସୀ ସମାଜ ଏ ନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହିତ ନଭେମ୍ବର ୮ ତାରିଖରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲା। ଜଷ୍ଟିସ୍ ବିଶ୍ବଜିତ୍ ମହାନ୍ତି ନଭେମ୍ବର ୧୫ ତାରିଖରେ ମାମଲାର ବିଚାର ପାଇଁ ଅର୍ଡର ପାସ୍ କରିବା ପରେ ମାମଲା ରାୟଗଡ଼ା ଜିଲ୍ଲାପାଳଙ୍କ କୋର୍ଟକୁ ଆସିଥିଲା। ମାମଲାର ଶୁଣାଣି ହୋଇଥିବା ବେଳେ ଆଦିବାସୀଙ୍କ ସପକ୍ଷରେ ରାୟ ଯିବା ନେଇ ସମାଜ ଆଶା ରଖିଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ଏହା ପୂର୍ବରୁ ଚିଠା ପ୍ରସ୍ତାବ ସଂଶୋଧନ ନ କଲେ କାଶୀପୁର ବ୍ଲକର ଆଦିବାସୀ ଓ ପରଜା ସଂପ୍ରଦାୟ ପକ୍ଷରୁ ଭୋଟ ବର୍ଜନ ସହ ବ୍ଲକ୍ ଅଚଳ କରିବାକୁ ଆଦିବାସୀ ସମାଜର ସଭାପତି ଶିବରାମ ମାଝି ଚେତାବନୀ ଦେଇଥିଲେ। ୨୦୧୧ ଜଣଗଣନା ଅନୁଯାୟୀ କାଶୀପୁର ବ୍ଲକରେ ଆଦିବାସୀଙ୍କ ସଂଖ୍ୟା ୭୦ ହଜାର ୫୪୨ରୁ ଉର୍ଧ୍ବ ରହିଛି। କିନ୍ତୁ ୨୦୨୨ ପଞ୍ଚାୟତରାଜ ନିର୍ବାଚନ ପାଇଁ ସଂଖ୍ୟା ଗରିଷ୍ଠତା ଥାଇ ମଧ୍ୟ ଆଦିବାସୀ ବର୍ଗ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷଣ ଆସନ ରହିନି। ଏ ନେଇ ଜିଲ୍ଲାପାଳଙ୍କ ସମେତ ରାୟଗଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅତୁନ ସବ୍ୟସାଚୀ ନାୟକ, ରାଜ୍ୟ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାଶ, ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକାଙ୍କୁ ସାମଜ ଲିଖିତ ଅଭିଯୋଗ ପ୍ରଦାନ କରିଥିଲା। ସାମ୍ବାଦିକ ସମ୍ମିଳନୀରେ କାଶୀପୁର ଆଦିବାସୀ ସମାଜର ଆବାହକ ତଥା ଆଇନଜୀବୀ ଉପେନ୍ଦ୍ର ମାଝି, ସଂପାଦକ ଗୋବିନ୍ଦ ମାଝି, ଯୁଗ୍ମ ସଂପାଦକ ଗଜେନ୍ଦ୍ର ମାଝି, ପୂର୍ବତନ ବିଧାୟକ ବିଭୀଷଣ ମାଝି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କମଳ ଲୋଚନ ସାଅନ୍ତା ପ୍ରମୁଖ ଉପସ୍ଥିତ ଥିଲେ।

The post କାଶୀପୁର ୩ଟି ଜିଲ୍ଲା ପରିଷଦ ଜୋନରେ ଆଦିବାସୀଙ୍କୁ ଅଣଦେଖା: ହାଇକୋର୍ଟରେ ମାମଲା, ପକ୍ଷ ରଖିଲା ଆଦିବାସୀ ସମାଜ first appeared on Sambad.

from ଜିଲ୍ଲା | Sambad https://ift.tt/3E9APmF