ସୁନ୍ଦରଗଡ଼: ପୁଲିସ୍‌ ବନ୍ଧୁକରେ ପୁଲିସ ଉପରକୁ ଗୁଳି! ବାପା ପୁଲିସ, ପୁଅ ହେଉଛି ଲୁଟେରା!! ପୁଲିସ ବାପାଙ୍କ ସର୍ଭିସ ବନ୍ଧୁକ ଦେଖାଇ ଆକ୍ସିସ ବ୍ୟାଙ୍କରୁ ୧୫ ଲକ୍ଷ ଲୁଟ୍‌ କରିଛି ପୁଅ। ଆଜି ଅପରାହ୍ନ ପ୍ରାୟ ୨ଟାରେ ସୁନ୍ଦରଗଡ଼ ଟାଉନ୍‌ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଦୁର୍ବୃତ୍ତ ଫିଲ୍ମ ଷ୍ଟାଇଲରେ ଲୁଟ୍‌ କରିଥିବାବେଳେ ପୁଲିସ ମଧ୍ୟ ସମାନ ଷ୍ଟାଇଲ୍‌ରେ ଗୋଡ଼ାଇ ଗୋଡ଼ାଇ ତାକୁ କାବୁ କରିଛି। ଏପରିକି ପୁଲିସ ଓ ଦୁର୍ବୃତ୍ତ ମଧ୍ୟରେ ୬ ରାଉଣ୍ଡ ଗୁଳି ଚାଳନା ମଧ୍ୟ ହୋଇଥିଲା। ଲୁଟେରା ଚମ୍ପଟ ମାରିବା ବେଳେ ଶଙ୍କରା ନିକଟରେ ପୁଲିସ ସହ ମୁହାଁମୁହିଁ ହୋଇଥିଲା। ଉଭୟ ପକ୍ଷରୁ ଗୁଳି ବିନିମୟ ପରେ ଲୁଟେରାକୁ ପୁଲିସ କାବୁ କରିଛି। ତାକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତା’ ନିକଟରୁ ଟଙ୍କା ସହ ବନ୍ଧୁକ ଜବତ ହୋଇଛି।

ସୂଚନା ଅନୁସାରେ ବର୍ତ୍ତମାନ ସୁନ୍ଦରଗଡ଼ ସଦର ଥାନାରେ ଅବସ୍ଥାପିତ ଜଣେ ପୁଲିସ ଏଏସ୍‌ଆଇ ମିତ୍ରଭାନୁ ନାଏକଙ୍କ ପୁଅ ଜୟଦେବ ନାଏକ ଆଜି ଅପରାହ୍ନ ୨ଟାରେ ସ୍ଥାନୀୟ ଆକ୍ସିସ୍‌ ବ୍ୟାଙ୍କକୁ ଏକ ବାଇକ୍‌ରେ ଆସିଥିଲା। ସେ ହାତରେ ଏକ ବ୍ୟାଗ୍‌ ନେଇ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲା। ପ୍ରଥମେ ବ୍ୟାଙ୍କର କ୍ୟାସିୟର ମୁଣ୍ଡରେ ବନ୍ଧୁକ ରଖି ଟଙ୍କା ମାଗିଥିଲା। ଏହାପରେ ମ୍ୟାନେଜର ଲଙ୍କେଶ୍ୱର ମହାରଣାଙ୍କ ମୁଣ୍ଡ ଉପରେ ବନ୍ଧୁକ ରଖି ୧୫ ଲକ୍ଷ ଟଙ୍କା ନେଇ ବାହାରକୁ ଯାଇଥିଲା। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଜୟଦେବ ଯେଉଁ ବାଇକ୍‌ରେ ଆସିଥିଲା, ତାକୁ ଛାଡ଼ି ଯାଇଥିଲା। ବ୍ୟାଙ୍କରୁ ବାହାରିବା ପରେ ବ୍ୟାଙ୍କ ଆଗଦେଇ ଯାଉଥିବା ଜଣେ ବାଇକ୍‌ ଆରୋହୀ ଯୁବକଙ୍କ ମୁଣ୍ଡ ଉପରେ ବନ୍ଧୁକ ରଖି ଆଗକୁ ବଢ଼ିଥିଲା। ଏହାମଧ୍ୟରେ ବ୍ୟାଙ୍କ ମ୍ୟାନେଜରଙ୍କ ଠାରୁ ସୂଚନା ପାଇ ପୁଲିସ ଏସଆଇ ଲକ୍ଷ୍ମୀକାନ୍ତ ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍‌ ଜୟଦେବକୁ ପିଛା କରୁଥିଲା। ସେପଟେ ବ୍ୟାଙ୍କ ଠାରୁ ମାତ୍ର ଗୋଟିଏ କିଲୋମିଟର ଯିବା ପରେ ଶଙ୍କରା ନିକଟରେ ପୁଲିସ ପିଛା କରୁଥିବା ଜାଣି ଦୁର୍ବୃତ୍ତ ବାଇକ୍‌ରୁ ଓହ୍ଲାଇ ଜଣେ ପୁଲିସ କର୍ମଚାରୀଙ୍କ ଘର ଭିତରକୁ ପଶି ଛାତ ଉପରକୁ ଚଢ଼ି ଯାଇଥିଲା। ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ, ଏହି ସ୍ଥିତି ବଲିଉଡ୍‌ ଫିଲ୍ମ ଦୃଶ୍ୟ ଠାରୁ କମ୍‌ ନଥିଲା। ପୁଲିସ ପହଞ୍ଚିଯିବାରୁ ଛାତ ଉପରୁ ଜୟଦେବ ପୁଲିସ ଉପରକୁ ଗୁଳି କରିଥିଲା। ଜବାବରେ ପୁଲିସ ମଧ୍ୟ ଗୁଳି କରିଥିଲା। ପୁଲିସ ଗୁଳି ଜୟଦେବର ଜଂଘରେ ବାଜିବାରୁ ସେ ଆହତ ହୋଇଥିଲା। ଏହାପରେ ପୁଲିସ ତାକୁ କାବୁ କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟଦେବ ଯେଉଁ ବନ୍ଧୁକରେ ସାହାଯ୍ୟରେ ଲୁଟ୍‌ କରିଥିଲା ଏବଂ ପୁଲିସ ଉପରକୁ ଗୁଳି କରିଥିଲା, ତାହା ତା’ ବାପାଙ୍କର ସର୍ଭିସ ପିସ୍ତଲ ବୋଲି କୁହାଯାଉଛି।

The post ପୁଲିସ ବନ୍ଧୁକରେ ପୁଲିସକୁ ଗୁଳି: ବ୍ୟାଙ୍କରୁ ୧୫ ଲକ୍ଷ ଲୁଟି ଧରାପଡ଼ିଲା first appeared on Sambad.

from ଜିଲ୍ଲା | Sambad https://ift.tt/3F3XNeH