ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଇଲାକାରେ ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ନାବାଳିକାଙ୍କୁ ପୋଲସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଆଉ ଏହି ଅମାନୁଷିକ କାର୍ଯ୍ୟରେ ସଂପୃକ୍ତ ସଂପର୍କୀୟ (ବୟସ ୩୦)କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ପୋଲସରା ଥାନାରେ କେସ୍ ନମ୍ବର ୪୧୭/୨୦୨୧, ଆଇପିସି ୩୬୩, ୩୭୬ (୨) (୧), ୩୭୬ (ଏବି) ଓ ‌‌ପୋକ୍‌ସୋ ଆକ୍ଟ୍ ଅନୁସାରେ ମାମଲା ରୁଜୁ ହୋଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ନାବାଳିକାଜଣକ ଦୁଇଦିନ ତଳେ ତାଙ୍କ ମାଆଙ୍କ ସହ ଅଜାଘରକୁ ଯାଇଥିଲେ। ସେଠାରେ ରହିବା ପରେ ପୁଣି ଆଜି ଆଉ ଏକ ଗାଁରେ ଥିବା ଆଉ ଜଣେ ସଂପର୍କୀୟଙ୍କ ଘରକୁ ଯାଇଥିଲେ। ସେଠାରେ ଅଭିଯୁକ୍ତ ତାଙ୍କୁ ବିଲକୁ ନେଇ ଦୁଷ୍କର୍ମ କରିବା ସହ ହତ୍ୟା ଉଦ୍ୟମ କରିଥିଲା। ଆଜି ସନ୍ଧ୍ୟାରେ ହଠାତ୍ ନାବାଳିକାଙ୍କୁ ଗୁରୁତର ଓ ଅଚେତ ଅବସ୍ଥାରେ ଧାନବିଲରୁ ଉଦ୍ଧାର କରାଯାଇଥିଲା। ତାଙ୍କ ବେକରେ ବି ଆଘାତ ଚିହ୍ନ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି। ପୁଲିସ ଏହି ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତକୁ ପଚରାଉଚରା ଜାରି ରହିଛି।

The post ପୋଲସରାରେ ଚାଞ୍ଚଲ୍ୟ: ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ first appeared on Sambad.

from ଜିଲ୍ଲା | Sambad https://ift.tt/3CC9Nm3