
ବୈପାରିଗୁଡା: ଅଜଣା ରୋଗର ଶିକାର ହୋଇ ଜଣେ ନାବାଳିକାର ଦୁଃଖଦ ମୃତ୍ୟୁ ଘଟିଥିବା ଜଣାପଡିଛି। ଘଟଣା ଅନୁଯାୟୀ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ପଞ୍ଚାୟତର ପକୁଲପଡା ରାଜୁଗୁଡାର ନରହରି ଗୁଣ୍ଠାଙ୍କ ଝିଅ ଚନ୍ଦ୍ରମୁଖୀ ଗୁଣ୍ଠା (୭)ର ଆକସ୍ମିକ ଭାବେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଚନ୍ଦ୍ରମୁଖୀ ବୁରୁଡିପୁଟରେ ନିଜ ସଂପର୍କୀୟଙ୍କ ଘରେ ରହି ପାଠ ପଢ଼ୁଥିଲା। ପ୍ରଥମ ଶ୍ରେଣୀ ପାସ୍ କରିଥିବା ବେଳେ କରୋନା କଟକଣା ହେତୁ ସ୍କୁଲ ବନ୍ଦ ରହିଥିବାରୁ ନିଜ ଗାଆଁକୁ ଫେରିଆସି ପରିବାର ସହ ରହୁଥିଲା। ଗତକାଲି ରାତିରେ ଚନ୍ଦ୍ରମୁଖୀର ସ୍ବାସ୍ଥ୍ୟ ଅଚାନକ ବିଗିଡି ଗଲା।
ଅସ୍ବାଭାବିକ ଭାବେ ଚନ୍ଦ୍ରମୁଖୀର ହାତ ଗୋଡ ଅଚଳ ହୋଇପଡିବା ସହ ଦାନ୍ତ କାମୁଡି ଅଚେତ ଅବସ୍ଥାରେ ପଡ଼ିରହିଲା। ବାପା ନରହରି ଝିଅର ଏପ୍ରକାର ଅବସ୍ଥା ଦେଖି ଚିକିତ୍ସା ପାଇଁ ଜଣେ ଗୁଣିଆ ପାଖରେ ଚନ୍ଦ୍ରମୁଖୀକୁ ନେଇ ପହଞ୍ଚିଥିଲେ। ତେବେ ଗୁଣିଆ ଜଣକ ଚିକିତ୍ସା ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେ ଚିକିତ୍ସା କରିପାରିବ ନାହିଁ ବୋଲି ଫେରେଇ ଦେଇଥିଲା। ଆଜି ବଡ଼ି ସକାଳୁ ଚନ୍ଦ୍ରମୁଖୀକୁ ପରିବାର ଲୋକେ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ତେବେ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଚିକିତ୍ସା ଆରମ୍ଭ କରିବା ସମୟରେ ହିଁ ଚନ୍ଦ୍ରମୁଖୀର ମୃତ୍ୟୁ ହୋଇଯାଇଥିଲା। ଏସଂପର୍କରେ ଡାକ୍ତରଙ୍କୁ ପଚାରିବାରୁ ରୋଗ ଚିହ୍ନଟ କରିବା ପୂର୍ବରୁ ଚନ୍ଦ୍ରମୁଖୀର ମୃତ୍ୟୁ ହୋଇଯାଇଥିବାରୁ ମୃତ୍ୟୁର କାରଣ ଜାଣିବା ସମ୍ଭବ ହୋଇପାରି ନାହିଁ ବୋଲି ପ୍ରକାଶ କରିଛନ୍ତି।
The post ଅଜଣା ରୋଗରେ ନାବାଳିକାର ମୃତ୍ୟୁ first appeared on Sambad.from ଜିଲ୍ଲା | Sambad https://ift.tt/3qvaLhM
0 Comments