କେନ୍ଦ୍ରମନ୍ତ୍ରୀଙ୍କ ବୈପାରିଗୁଡା ବ୍ଲକ ଗସ୍ତ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ

ବୈପାରିଗୁଡା: କେନ୍ଦ୍ର ଆଦିବାସୀ କଲ୍ୟାଣ ଏବଂ ଜଳଶକ୍ତି ବିଭାଗର ରାଷ୍ଟ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ ଶନିବାର କୋରାପୁଟ ଜିଲ୍ଲା ବୈପାରିଗୁଡା ଗସ୍ତରେ ଆସି ପହଞ୍ଚିଥିଲେ। ବୈପାରିଗୁଡାସ୍ଥିତ ବୀରଖମ୍ବ ବ୍ରିଜ ନିକଟରେ ମନ୍ତ୍ରୀ ଶ୍ରୀ ଟୁଡୁ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ବୀରଖମ୍ବ ଉଦ୍ଦେଶ୍ୟରେ ନଡ଼ିଆ ଭାଙ୍ଗି ଆଶୀର୍ବାଦ କାମନା କରିବା ପରେ ବ୍ଲକର ପ୍ରସିଦ୍ଧ ଦୁରୁଆ ନୃତ୍ୟ ସହ ମନ୍ତ୍ରୀଙ୍କୁ ପାଛୋଟି ନିଆଯାଇଥିଲା। ଏହାପରେ ମନ୍ତ୍ରୀ ଶ୍ରୀ ଟୁଡୁ କୋଲାର ପଞ୍ଚାୟତର ସଦରମହକୁମାରେ ପହଞ୍ଚିଥିଲେ। ପଞ୍ଚାୟତବାସୀ ମନ୍ତ୍ରୀଙ୍କୁ ସ୍ବାଗତ ଜଣାଇବା ପରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ବୃକ୍ଷ ରୋପଣ କରିଥିଲେ। ଆୟୋଜିତ ଏହି ସାଧାରଣ ସଭାରେ ସ୍ଥାନୀୟ ବିଡ଼ିଓ ଅଭିମନ୍ୟୁ କବି ଶତପଥୀ ସଭାପତିତ୍ବ କରିଥିଲାବେଳେ ମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସରୋଜିନୀ କାଣ୍ଡକୀ, ଉପାଧ୍ୟକ୍ଷ ତ୍ରିଲୋଚନ ଜେନା, ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଗୁପ୍ତା, କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପାଡାଲ, ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ, ସାଂସଦ ପ୍ରତିନିଧି କୃଷ୍ଣ କୁଲଦୀପ, ପିଏଆଇଟିଡିଏ, ଜିଲ୍ଲା ମଂଗଳ ଅଧିକାରୀ ପ୍ରମୁଖ ଉପସ୍ଥିତ ମଞ୍ଚାସୀନ ଥିଲେ।

Sambad

ବିଡିଓ ଶ୍ରୀ ଅଭିମନ୍ୟୁ କବି ଶତପଥୀ ସ୍ବାଗତ ଭାଷଣ ଦେଇ ଇଂରାଜୀ ଭାଷାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ କୋରାପୁଟ ଜିଲ୍ଲା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମାଧ୍ୟମରେ ପିଲାମାନେ ଇଂରାଜୀ ଶିକ୍ଷା ଲାଭ କରି ଦେଶ ଏବଂ ବିଦେଶରେ ନିଜ ପ୍ରତିଭା ବିକଶିତ କରିପାରିବେ ବୋଲି ପ୍ରକାଶ କରିଥିଲେ। ବ୍ଲକ ଅଧ୍ୟକ୍ଷା ସରୋଜିନୀ କାଣ୍ଡକି ବୈପାରିଗୁଡା ବ୍ଲକର ଦୀର୍ଘଦିନର ସ୍ବପ୍ନ ପୂରଣ ହୋଇଥିବା ପ୍ରକାଶ କରିବା ସହ ଏହି ଅନୁଷ୍ଠାନ ମଣିଷ ଗଢିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। ଉପାଧ୍ୟକ୍ଷ ଶ୍ରୀ ଜେନା ବିଦ୍ୟାଳୟ ପାଇଁ ଦଶ ଏକର ଜମି ପ୍ରଦାନ କରାଯାଇଥିବାରୁ ଆଉ ଦଶ ଏକର ଜମି ପ୍ରଦାନ ନିମନ୍ତେ ତହସିଲଦାରଙ୍କୁ ଅନୁରୋଧ କରିଥିଲେ। ଯାହାଦ୍ବାରା ଛାତ୍ରମାନଙ୍କ ପାଇଁ ଖେଳ ପଡିଆ, ବ୍ୟାୟାମ ଶାଳା, ସୁଇମିଂ ପୁଲ, ବଗିଚା ଇତ୍ୟାଦି ଉପଲବ୍ଧ ହୋଇପାରିବ ବୋଲି ପ୍ରକାଶ କରିଥିଲେ। ମନ୍ତ୍ରୀ ଶ୍ରୀ ଟୁଡୁ ଆଦିବାସୀ ବହୁଳ ଅଞ୍ଚଳର ଛାତ୍ରଙ୍କର ଶିକ୍ଷାର ବିକାଶ ଦିଗରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ବେଶ ସହାୟକ ହେବ ବୋଲି ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ।

The post କେନ୍ଦ୍ରମନ୍ତ୍ରୀଙ୍କ ବୈପାରିଗୁଡା ବ୍ଲକ ଗସ୍ତ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ first appeared on Sambad.

from ଜିଲ୍ଲା | Sambad https://ift.tt/3BLZ3kV

Post a Comment

0 Comments