ବରଗଡ଼ : ବରଗଡ଼ ଜିଲ୍ଲାବାସୀଙ୍କ ପାଇଁ ସତର୍କ ଘଣ୍ଟି ବାଜିିଛି। ଏଠାରେ ଏକ ନୂଆ ସମସ୍ୟା ମୁଣ୍ଡ ଟେକିଛି। ଯାହାକୁ ରୋକିବା ପାଇଁ ପ୍ରଶାସନିକ ସ୍ତରରେ କିଛି ଉଦ୍ୟମ ହେଉନାହିଁ। କାରଣ ଏବେ ଧୂଳିଗୁଣ୍ତ ସହରବାସୀଙ୍କୁ ଅସ୍ତବ୍ୟସ୍ତ କରି ଦେଉଛି। ସ୍ଥିତି କ୍ରମଶଃ ସଂଗୀନ ହେଉଥିବା ରିପୋର୍ଟ କହୁଛି। ସ୍ୱାସ୍ଥ୍ୟକର ପରିବେଶରେ ପ୍ରତି ଘନମିଟରରେ ଧୂଳିକଣା ୧୦୦ ମାଇକ୍ରୋଗ୍ରାମ ମଧ୍ୟରେ ରହିବା ଉଚିତ। ବାୟୁମଣ୍ତଳରେ ଧୂଳିକଣା ୨୫୦ ଷ୍ଟାଣ୍ତାର୍ଡରୁ ବେଶି ହେଲେ ଶ୍ୱାସକ୍ରିୟା ଅସୁବିଧା ସୃଷ୍ଟି ହୁଏ। ବରଗଡ଼ରେ ବ୍ୟସ୍ତବହୁଳ ରାସ୍ତାରେ ଏହା ୨୨୦ ଷ୍ଟାଣ୍ତାର୍ଡ ପର୍ଯ୍ୟନ୍ତ ଅତିକ୍ରମ କରୁଛି। ଏହି ମାନ ଜିଲ୍ଲାରେ ଗୁରୁବାର ୧୬୧ ଷ୍ଟାଣ୍ଡାର୍ଡ ରେକର୍ଡ କରାଯାଇଛି। ବୁଧବାର ଏହା ଚଳିତ ମାସର ସର୍ବାଧିକ ୧୭୫କୁ ଅତିକ୍ରମ କରିଥିଲା।

ବିଶେଷଜ୍ଞଙ୍କ ରିପୋର୍ଟ ଅନୁସାରେ, ବାୟୁମଣ୍ଡଳର ଏଭଳି ମାନ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ କ୍ଷତିକାରକ। ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା (ଡବ୍ଲୁଏଚ୍‌ଓ)ବାର୍ଷିକ ଗାଇଡ୍‌ଲାଇନ୍‌ ଠାରୁ ବରଗଡ଼ର ବାୟୁମଣ୍ଡଳ ୧୫ଗୁଣା ପ୍ରଦୂଷିତ ବୋଲି କୁହାଯାଇଛି। ଏପରିକି ରାସ୍ତା ପାଖ‌ରେ ରହୁଥିବା ଲୋକଙ୍କୁ ଘର କବାଟ ଏବଂ ଝରକା ଦେଇ ରହିବାକୁ ପରାମର୍ଶ ଦିଆଯାଇଛି। ହୃଦ୍‌ରୋଗୀ ଏବଂ ଶ୍ୱାସ ସମସ୍ୟା ଥିବା ଲୋକଙ୍କୁ ବାହାରକୁ ବାହାରିବା ଘାତକ ହୋଇପାରେ ବୋଲି ସଦ୍ୟ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ରହିଛି। ଏପରିକି ସ୍ୱାସ୍ଥ୍ୟବାନ୍‌ ଲୋକମାନେ ମାସ୍କ କିମ୍ବା ହେଲ୍‌ମେଟ୍‌ ପିନ୍ଧିବାକୁ କୁହାଯାଇଛି। ବରଗଡ଼ ସହରର ରାସ୍ତାର ଉଭୟ କଡ଼ରେ ବସବାସ କରୁଥିବା ଲୋକେ ଧୂଳିଗୁଣ୍ତରେ ଅତିଷ୍ଟ ହୋଇପଡ଼ିଲେଣି।

ସହରର ବ୍ୟସ୍ତତମ ରାସ୍ତାରେ ଅନବରତଃ ଗାଡ଼ି ଚଳାଚଳ ଯୋଗୁଁ ଧୂଳି ଗୁଣ୍ତ ପ୍ରବଳ ଉଡ଼ୁଛି। କୁହୁଡ଼ି ସହ ଧୂଳିଗୁଣ୍ଡ ମିଶି ବାତାବରଣକୁ ଆହୁରି ପ୍ରଦୂଷିତ କରି ଦେଉଛି। ବିକାଶ ଛକ-ହଳଦୀପାଲି ଛକ ରାସ୍ତା, ତୋରା-ମାଷ୍ଟରଟିକ୍ରା, ରେଳଷ୍ଟେସନ-ଗୁରୁଦ୍ବାରା ଛକ ରାସ୍ତା ପାଖାପାଖି ଇଲାକା ବିଷାକ୍ତ ପାଲଟି ଯାଇଛି। ବିକାଶ ଛକ-ହଳଦୀପାଲି ଛକ ରାସ୍ତା ସଂପ୍ରସାରଣ କାମ ମାତ୍ରାଧିକ ବିଳମ୍ବରେ ଚାଲିଛି। ରାସ୍ତାକଡ଼ରେ ପଥର ଗୁଣ୍ଡ ପଡ଼ୁଛି। କିନ୍ତୁ ଏହା ଉପରେ ପାଣି ସଂଞ୍ଚନ କରାଯାଉନାହିଁ। ସେହିପରି ତୋରାରୁ ମାଷ୍ଟରଟିକ୍ରା ରାସ୍ତାରେ ଅନବରତଃ ଗାଡ଼ି ଚଳାଚଳ ଯୋଗୁଁ ଧୂଳିଗୁଣ୍ଡ ଭରି ରହୁଛି। ଧୂଳି ଯୋଗୁଁ ଚାଷବାସ ମଧ୍ୟ ପ୍ରଭାବିତ ହେଉଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ରାଜପଥ ବ୍ୟତୀତ ସହର ଭିତରେ ମଧ୍ୟ ଧୂଳିକଣା ଅଚ୍ଛାଦିତ ହୋଇ ରହୁଛି।

The post ବରଗଡ଼ ପାଇଁ ସତର୍କ ଘଣ୍ଟି; ବାୟୁମଣ୍ଡଳ ଅସ୍ୱାସ୍ଥ୍ୟକର: ‌ରିପୋର୍ଟ first appeared on Sambad.

from ଜିଲ୍ଲା | Sambad https://ift.tt/30I1AzO