
ଭୁବନେଶ୍ବର: ଅଗ୍ନି ନିର୍ବାପକ ବ୍ୟବସ୍ଥା ନ କଲେ କିମ୍ବା ଅଗ୍ନିକାଣ୍ଡ ସମ୍ପର୍କରେ ମିଥ୍ୟା ତଥ୍ୟ ପ୍ରଦାନ କଲେ ଅଧିକ ଅର୍ଥ ଦଣ୍ଡ ଦେବାକୁ ପଡ଼ିବ। ଏଥି ପାଇଁ ରାଜ୍ୟ ସରକାର ପ୍ରଚଳିତ ଓଡ଼ିଶା ଅଗ୍ନିଶମ ସେବା ଆଇନ୍, ୧୯୯୩ରେ ସଂଶୋଧନ କରିବାକୁ ଯାଉଛନ୍ତି। ଏହା ସହ କମ୍ପାନିମାନଙ୍କୁ ଓଡ଼ିଶା ଅଗ୍ନିଶମ ସେବା ଆଇନ୍ର ପରିସରଭୁକ୍ତ କରି ଅଗ୍ନି ସୁରକ୍ଷା ପ୍ରମାଣପତ୍ର ରଖିବାକୁ ବାଧ୍ୟତାମୂଳକ କରାଯିବ। ଏଥିରେ ବିଫଳ ହେଲେ ଦଣ୍ଡବିଧାନ କରାଯିବ। ଆଇନରେ ଏହି ସଂଶୋଧନ ପ୍ରସ୍ତାବ ଆଜି ରାଜ୍ୟ କ୍ୟାବିନେଟ୍ର ଅନୁମୋଦନ ପାଇଛି।
ଓଡ଼ିଶାରେ ଅଗ୍ନିନିରୋଧ ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରିବା ନିମନ୍ତେ ଓଡ଼ିଶା ଅଗ୍ନିଶମ ସେବା ଆଇନ୍, ୧୯୯୩ ପ୍ରଣୟନ କରାଯାଇଛି। ଏହା ମଧ୍ୟରେ ଅଗ୍ନିଶମ ସେବାର କାର୍ଯ୍ୟ ପରିସର ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଏକ ସଂଶୋଧିତ ଆଦର୍ଶ ବିଲ୍ ପ୍ରସ୍ତୁତ କରି ସେହି ଭିତ୍ତିରେ ସମସ୍ତ ରାଜ୍ୟଙ୍କୁ ନିଜସ୍ବ ଆଇନ ଓ ନିୟମାବଳୀକୁ ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ତେଣୁ ଓଡ଼ିଶା ସରକାର ଅଗ୍ନିଶମ ସେବା ଆଇନ୍, ୧୯୯୩ର ସଂଶୋଧନ ନିମନ୍ତେ ଏକ ଚିଠା ବିଲ୍ ପ୍ରସ୍ତୁତ କରିଛନ୍ତି, ଯାହା କି କ୍ୟାବିନେଟ୍ରେ ପାରିତ ହୋଇଛି। ଏହି ଚିଠା ବିଲ୍ରେ ଥିବା ବ୍ୟବସ୍ଥା ଅନୁଯାୟୀ ଓଡ଼ିଶା ଅଗ୍ନିଶମ ଓ ଜରୁରୀ ସେବା ସଂସ୍ଥାକୁ ଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ଠାରେ ନ୍ୟସ୍ତ କ୍ଷମତା ଅଗ୍ନିଶମ ସେବା ଡିଜିଙ୍କୁ ହସ୍ତାନ୍ତର କରାଯିବ। ଡିଜି ମଧ୍ୟ ତାଙ୍କ କ୍ଷମତାର କିଛି ଅଂଶକୁ ଅଧସ୍ତନ ଅଧିକାରୀଙ୍କୁ ହସ୍ତାନ୍ତର କରିପାରିବେ। ଚିଠା ବିଲ୍ରେ ଅଗ୍ନିଶମ ସଂକ୍ରାନ୍ତୀୟ ବିବାଦଗୁଡ଼ିକର ଆପୋଷ ସମାଧାନର ନୂଆ ବ୍ୟବସ୍ଥା ରଖିବାକୁ ପ୍ରସ୍ତାବ ଦିଆଯାଇଛି। ତେବେ ଅଗ୍ନିଶମ ଡିଜି କିମ୍ବା ଅନ୍ୟ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତି କିମ୍ବା ଆଦେଶକୁ ପାଳନ କରିବାରେ ଅସମର୍ଥ ହେଲେ, ଏହା ଆପୋଷ ସମାଧାନଭୁକ୍ତ ହୋଇପାରିବ ନାହିଁ।
The post ଅଗ୍ନି ନିର୍ବାପକ ବ୍ୟବସ୍ଥା ନ କଲେ ଅଧିକ ଅର୍ଥ ଦଣ୍ଡ: ଅଗ୍ନିଶମ ସେବା ଆଇନରେ ହେବ ସଂଶୋଧନ first appeared on Sambad.from ଜିଲ୍ଲା | Sambad https://ift.tt/3FJdt7O
0 Comments