
ବାଲେଶ୍ୱର : ମହାପଞ୍ଚକ ଅବସରରେ ବାଲେଶ୍ୱର ସହରର ବିଭିନ୍ନ ଅଞ୍ଚଳରେ କାର୍ତ୍ତିକେଶ୍ୱରଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଶତାଧିକ ଭକ୍ତ ତଥା ମାନସିକଧାରୀ ରାତିସାରା ଉଜାଗର ରହି ନିଜ ପରିବାର ପାଇଁ ମଙ୍ଗଳ ମନାସିଛନ୍ତି। ମାର୍ଗଶୀର ମାସ ବିଛା ସଂକ୍ରାନ୍ତିିରେ ଏହି ପୂଜା ଅନୁଷ୍ଠିତ ହୋଇଥାଏ। ରାତିରେ ବୁଢ଼ାବଳଙ୍ଗ ନଦୀର ବାଲିଘାଟରୁ ଘଟ ଉତ୍ତୋଳନ କରାଯାଇ ମଣ୍ଡପରେ ପହଞ୍ଚିବା ପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥାଏ। ଏହାପରେ ଷୋଡ଼ଶ ଉପଚାର ପୂଜା ମାଧ୍ୟମରେ ବାବା କାର୍ତ୍ତିକଙ୍କୁ ଆରାଧନା କରାଯାଇଥାଏ। ସକାଳେ କଳସ ବିସର୍ଜନ କରିବା ପରେ ଉପବାସ ଥିବା ଶ୍ରଦ୍ଧାଳୁମାନେ ପ୍ରସାଦ ଗ୍ରହଣ କରିଥାଆନ୍ତି।
ସହରର ସବୁଠୁ ବିଶାଳକାୟ ମୂୂର୍ତ୍ତି ଏଠାରେ ଦେଖିବାକୁ ମିଳିଥାଏ। ମୟୂରବାହାନ ଉପରେ ବିରାଜମାନ ବାବା ବୁଢ଼ାକାର୍ତ୍ତିକଙ୍କ ବିଶାଳ ମୃଣ୍ମୟ ମୂର୍ତ୍ତି ବେଶ୍ ଆକର୍ଷଣୀୟ ହୋଇଥାଏ। ବାବାଙ୍କ ଉଭୟପାର୍ଶ୍ୱରେ ଖେଳନା କଣ୍ଢେଇ ରଖାଯିବା ସହିତ ଡାଲାରେ ବିଭିନ୍ନ ପ୍ରକାର ଫଳମୂଳ ଭୋଗ ଲଗାଯିବାର ପରମ୍ପରା ରହିଛି। ସବୁଠି କାର୍ତ୍ତିକଙ୍କୁ କୁମାର ରୂପରେ ପୂଜା କରାଯାଉଥିବା ବେଳେ ଏଠାରେ ବୁଢ଼ାକାର୍ତ୍ତିକ ପୂଜା ପାଇଥାନ୍ତି। ୧୮୩୭ ମସିହାରୁ ଆରମ୍ଭ ହୋଇଥିବା ବୁଢ଼ାକାର୍ତ୍ତିକ ପୂଜା ଏଥର ୧୮୪ ବର୍ଷରେ ପଦାର୍ପଣ କରିଛି। ବାବାଙ୍କ ମହିମା ଉପରେ ଅଗାଢ଼ ବିଶ୍ୱାସ ଥିବାରୁ ସ୍ଥାନୀୟ ଅଞ୍ଚଳରୁ ବହୁ ଲୋକଙ୍କର ଏଠାରେ ସମାଗମ ହୋଇଥାଏ। ପୂର୍ବ ପରମ୍ପରା ଅନୁସାରେ ମଣ୍ଡପରେ ୭ ଦିନ ରହିବା ପରେ ଅଷ୍ଟମ ଦିନ ବୁଢ଼ାବଳଙ୍ଗ ନଦୀରେ ବାବାଙ୍କ ମୂର୍ତ୍ତି ବିସର୍ଜ୍ଜନ କରାଯାଏ। ବିସର୍ଜନ ଦିନ ସକାଳେ ବାଳକଭୋଜନ ଏବେ ବି ବଜାୟ ରହିଛି। ସ୍ଥାନୀୟ ବାସିନ୍ଦା ଓ ପରିଚାଳନା କମିଟିର କର୍ମକର୍ତାମାନେ ଏହି ପୂୂଜାକୁ ପରିଚାଳନା କରିଥାଆନ୍ତି।
The post ବାରବାଟୀର ନିଆରା ବୁଢ଼ାକାର୍ତ୍ତିକ ପୂଜା, ୧୮୪ ବର୍ଷ ଧରି ବଜାୟ ରହିଛି ପରମ୍ପରା first appeared on Sambad.from ଜିଲ୍ଲା | Sambad https://ift.tt/3DrLAjP
0 Comments