
କେନ୍ଦୁଝର : କେନ୍ଦୁଝର ସହର ଗାନ୍ଧୀ ଛକ ନିକଟରେ ଥିବା ପୌରସଂସ୍ଥାର ମାର୍କେଟ କମ୍ପ୍ଲେକ୍ସ ଏବଂ ସହରର ବିଭିନ୍ନ ଛକରେ ଖୁଲମଖୁଲା ମାଛମାଂସ ବିକ୍ରି ହେଉଛି । ଗାନ୍ଧୀ ଛକରେ ଥିବା ଭଙ୍ଗାଦଦରା ମାର୍କେଟ କମ୍ପେକ୍ସକୁ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ କରିବା ଏବଂ ସହରର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ମାଛମାଂସ ଦୋକାନକୁ ଗୋଟିଏ ସ୍ଥାନରେ କରିବା ପାଇଁ ପୌରପାଳିକା ଯୋଜନା କରିଥିଲା । ଏଥିନେଇ ଧାଙ୍ଗରପଡା ଶ୍ମଶାନ ନିକଟରେ ଦେଢ କୋଟି ଟଙ୍କାରୁ ଅଧିକ ଟଙ୍କା ବ୍ୟୟରେ ମାର୍କେଟ କମ୍ପ୍ଲେକ୍ସ ସହିତ ଗୋଦାମ ଗୃହ ନିର୍ମାଣ କରାଯାଇଥିଲା। ଜିଲ୍ଳାପାଳ ଆଶିଷ ଠାକରେ ଏହାକୁ ଉଦଘାଟନ କରିଥିଲେ । ମାତ୍ର ଜଣେ ଲୋକ ଗୋଟିଏ ଗୋଦାମ ଗୃହ ଭଡା ସୂତ୍ରରେ ନେଇଛନ୍ତି । ହେଲେ ପୌରପାଳିକା କେନ୍ଦୁଝର ସହରରୁ କୌଣସି ଦୋକାନୀଙ୍କୁ ସେଠାକୁ ନେବାରେ ସଫଳ ହୋଇପାରିଲା ନାହିଁ । ଗୋଟିଏ ବି ଦୋକାନ ସେଠାରେ ଖୋଲିଲା ନାହିଁ । ଦୋକାନୀଙ୍କୁ ସେଠାକୁ ନେବାର ପୌରସଂସ୍ଥା ସଂପୂର୍ଣ୍ଣ ଭାବେ ବିଫଳ ହୋଇଛି ବୋଲି ସଦର ବିଧାୟକ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି।
ସେ କହିଛନ୍ତି, ରାଜ୍ୟର ପ୍ରାୟ ସମସ୍ତ ସହରରେ ବର୍ଯ୍ୟବସ୍ତୁ ପରିଚାଳନାର ବ୍ୟବସ୍ଥା ରହିଛି। ହେଲେ ଆଜିପର୍ଯ୍ୟନ୍ତ କେନ୍ଦୁଝର ପୌରପାଳିକା ବର୍ଯ୍ୟବସ୍ତୁ ପରିଚାଳନା ନେଇ କୌଣସି ସ୍ଥାୟୀ ବ୍ୟବସ୍ଥା କରିପାରିଲା ନାହିଁ । ସହରରୁ ପ୍ରତିଦିନ ୨୦ରୁ ୨୫ ଟ୍ରିପ ବାହାରୁ ଥିବା ବର୍ଯ୍ୟବସ୍ତୁ କେତେବେଳେ ଜୁଡିଆ ଘାଟି ନିକଟରେ ପକାଯାଉଛି ତ ଆଉ କେତେବେଳେ ଫରେଷ୍ଟ ଗେଷ୍ଟହାଉସ ନିକଟରେ। କିଛିଦିନ ହେଲା ଫରେଷ୍ଟ ଗେଷ୍ଟ ହାଉସ ନିକଟରେ ପକାଉଥିବା ବର୍ଯ୍ୟବସ୍ତୁରେ ନିଆଁ ଲଗାଯିବାରୁ ଜଂଗଲ ପୋଡି ଯାଇଥିଲା । ବନ ବିଭାଗ ଏହା ଜାଣିବା ପରେ ଆଉ ସେଠାରେ ବର୍ଯ୍ୟବସ୍ତୁ ପକାଇବାକୁ ଦେଉନାହିଁ । ସେହି ରାସ୍ତାକୁ ସିଲ କରିଦେଇଛି। ଆଜି ପର୍ଯ୍ୟନ୍ତ ସେଠାରେ ନିଆଁ ଲାଗିଛି। ପ୍ରବଳ ମାତ୍ରରରେ ଧୂଆଁ ହୋଇ ପରିବେଶକୁ ପ୍ରଦୂଷିତ କରୁଛି ।
ପୌରପାଳିକା ବର୍ଯ୍ୟବସ୍ତୁ ପକାଇବାକୁ ପାଇଁ ଜାଗା ନପାଇ ଶେଷରେ ଦେଢ କୋଟି ଟଙ୍କା ବିନିମୟରେ ଧାଙ୍ଗରପଡା ନିକଟରେ ନିର୍ମାଣ ହୋଇଥିବା ମାଛ ମାର୍କେଟର ଦୋକାନ ଗୃହ ଓ ଗୋଦାମ ଗୃହ ସମ୍ମୁଖରେ ପକାଉଛନ୍ତି । ସେଠାରେ ନାହିଁ ନଥିବା ଦୁର୍ଗନ୍ଧ ହେଉଛି । ଗାଈ, ଛେଳି ସେହି ବର୍ଯ୍ୟବସ୍ତୁକୁ ଖାଉଛନ୍ତି । ପ୍ରବଳ ମାତ୍ରାରେ ଦୁର୍ଗନ୍ଧ ହେଉଥିବାରୁ ସେଠାରେ ଜଣେ ବ୍ୟକ୍ତି ନେଇଥିବା ଗୋଦାମ ଗୃହ ମଧ୍ୟ ଛାଡିଦେବାକୁ ପ୍ରକାଶ କରିଛନ୍ତି ବୋଲି ମାଝୀ ପ୍ରକାଶ କରିଛନ୍ତି । ସଠିକ ଯୋଜନା ନକରି ଦେଢ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାମରେ ଲାଗୁନି ବୋଲି ସେ କହିଛନ୍ତି। ବର୍ତ୍ତମାନ ସେଠାରେ ସହରର ବର୍ଯ୍ୟବସ୍ତୁ ପକାଇବାକୁ ଶ୍ରୀ ମାଝୀ ଘୋର ନିନ୍ଦା କରିଛନ୍ତି ।
ସହରବାସୀଙ୍କଠାରୁ ହୋଲଡିଂ ଟିକସ ଆଦାୟ ହେଉଥିବା କୋଟି କୋଟି ଟଙ୍କା ପ୍ରଶାସନ ଏହିପରି ବରବାଦ କରୁଛି । ଯାହାକି ଆଦୌ ଗ୍ରହଣୀୟ ନୁହେଁ । ଯଥାଶୀଘ୍ର ବର୍ଯ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ନିର୍ମାଣ ନକଲେ ବିଜେପି ରାଜରାସ୍ତାକୁ ଓହ୍ଲେଇବ ବୋଲି ଶ୍ରୀ ମାଝୀ ଚେତାବନୀ ଦେଇଛନ୍ତି ।
The post ଦେଢ କୋଟିର ମାର୍କେଟ କମ୍ପେକ୍ସ ବେକାର, ବର୍ଜ୍ୟବସ୍ତୁ ପରିଚାଳନାରେ କେନ୍ଦୁଝର ପୌରସଂସ୍ଥା ବିଫଳ: ମୋହନ first appeared on Sambad.from ଜିଲ୍ଲା | Sambad https://ift.tt/3qNIKBZ
0 Comments