
ଯଶିପୁର : ଶିମିଳିପାଳ କୋର୍ ଏରିଆରେ ୧୦୦ ଫୁଟ୍ ଉଚ୍ଚ ପାହାଡ଼ରୁ ଖସିପଡ଼ି ଏକ ବିରାଟକାୟ ହାତୀର ମୃତ୍ୟୁ ଘଟିଛି। ଘଟଣାଟି ୨ ସପ୍ତାହ ତଳର। ଶନିବାର ଦିନ ହାତୀର ମୃତଦେହ ଠାବ କରାଯିବା ପରେ ଏହା ସାମ୍ନାକୁ ଆସିଛି। ରବିବାର ବନ ବିଭାଗର ବରିଷ୍ଠ ପଦାଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ହାତୀର ମୃତଦେହ ବ୍ୟବଚ୍ଛେଦ କରି ପୋତି ଦେଇଛନ୍ତି।

ସୂଚନା ଅନୁଯାୟୀ, ୧୫ ଦିନ ତଳେ ଶିମିଳିପାଳ କୋର୍ ଏରିଆରେ ଲଗାଣ ବର୍ଷା ହୋଇଥିଲା। ବର୍ଷାର ପରିମାଣ ଏତେ ଅଧିକ ଥିଲା ଯେ ଶିମିଳିପାଳ ଅଭୟାରଣ୍ୟକୁ ଦୁଇ ଦିନ ପାଇଁ ବନ୍ଦ କରି ଦିଆଯାଇଥିଲା। ଘଞ୍ଚ ଅରଣ୍ୟର ମାଟିରାସ୍ତା ସବୁ ଧୋଇ ଯାଇଥିବା ଦର୍ଶାଇ ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟକଙ୍କୁ ଶିମିଳିପାଳ ପ୍ରବେଶ ଅନୁମତି ମିଳିନଥିଲା। ଏହି ସମୟରେ ହିଁ ହାତୀଟି ଉଚ୍ଚ ପାହାଡ଼ର ଖସଡ଼ା ରାସ୍ତାରୁ ତଳକୁ ଖସି ପଡ଼ିଥିବା କହିଛି ବନ ବିଭାଗ। ହାତୀଟି ତଳକୁ ଖସିବା ବେଳେ ପଥର ଦେହରେ ବାଡ଼େଇ ହୋଇ ଆଘାତ ପାଇଥିବା ଓ ଶେଷରେ ତଳେ ଥିବା ଏକ ବିରାଟ ଗଛ ଉପରେ ପଡ଼ି ପ୍ରାଣ ହରାଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ବନ ବିଭାଗ ଅନୁମାନ କରିଛି। ତେବେ ଶିମିଳିପାଳ କୋର୍ ଏରିଆ ବାଘ ଚଳପ୍ରଚଳ ଅଞ୍ଚଳ ହୋଇଥିବାରୁ ଏ ସଂକ୍ରାନ୍ତରେ ବନ ବିଭାଗ ୨ ସପ୍ତାହ ଧରି କିଛି ଜାଣି ପାରିନଥିଲା। ୨ ଦିନ ତଳେ ବ୍ୟାଘ୍ର ଗଣନା ଆରମ୍ଭ ହୋଇଥିବା ବେଳେ ଉତ୍ତର ଶିମିଳିପାଳ ନଅଣା ରେଞ୍ଜ ଅନ୍ତର୍ଗତ ଖଣ୍ଡାଧାର ବିଟ୍ର କୋର୍ ଏରିଆକୁ ଯାଇଥିବା ବାଘ ଗଣନା ଟିମ୍ ଓ ପାଟ୍ରୋଲିଂ ଟିମ୍କୁ ଦୁର୍ଗନ୍ଧ ହେବାରୁ ସେମାନେ ପାହାଡ଼ ପାଖକୁ ଯାଇ ହାତୀର ଗଳିତ ମୃତଦେହ ଠାବ କରିଥିଲେ।
ରବିବାର ସକାଳେ ଆର୍ସିସିଏଫ୍ ଏମ୍.ଯୋଗ ଜୟାନନ୍ଦ, ଏସିଏଫ୍ ପ୍ରଦୀପ କୁମାର ଦେ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପନିର୍ଦ୍ଦେଶକ ସାଇକିରଣ ଡିଏମ୍ଙ୍କ ନେତୃତ୍ବରେ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ହାତୀର ମୃତଦେହ ପାଖରେ ମହାବଳ ବାଘର ପାଦଚିହ୍ନ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି। ଯଶିପୁର ପ୍ରାଣୀ ଚିକିତ୍ସକ କୃଷ୍ଣଚନ୍ଦ୍ର ଟୁଡ଼ୁ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦୁଇ ଜଣ ପ୍ରାଣୀ ଚିକିତ୍ସକ ହାତୀର ଶବ ବ୍ୟବଚ୍ଛେଦ କରିଥିଲେ। ମୃତ ମାଈହାତୀର ବୟସ ପ୍ରାୟ ୪୦ ବର୍ଷ ହେବ ଓ ଏହା ତଳକୁ ଖସିପଡ଼ିବା ଯୋଗୁ ଆଘାତପ୍ରାପ୍ତ ହୋଇ ମୃତ୍ୟୁ ଘଟିଥିବା ସେମାନେ ରିପୋର୍ଟ ଦେଇଛନ୍ତି।
The post ୧୦୦ ଫୁଟ୍ ପାହାଡ଼ ଉପରୁ ଖସିଲା ହାତୀ, ପଥର ଓ ଗଛ ଉପରେ କଚାଡ଼ି ପଡ଼ିଲା first appeared on Sambad.from ଜିଲ୍ଲା | Sambad https://ift.tt/3lgjcKy
0 Comments