ନୂଆଗାଁ ବ୍ଲକ୍‌ରେ ‘ମୋ ଗୁହାଳ’ ଯୋଜନା ବିଫଳ: କଂକ୍ରିଟ୍‌ ରାସ୍ତା ପାଲଟିଛି ଗୋରୁଙ୍କ ଆଶ୍ରୟସ୍ଥଳୀ

ନୂଆଗାଁ  : ଗ୍ରାମାଞ୍ଚଳରେ ଗୋମାତାଙ୍କ ସୁରକ୍ଷା ନିମନ୍ତେ ଗୋପାଳକମାନଙ୍କୁ ଉତ୍ସାହିତ କରାଇବା ପାଇଁ ସରକାରଙ୍କ ପକ୍ଷରୁ ‘ମୋ ଗୁହାଳ’ ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଥିଲେ ସୁଦ୍ଧା ଏହା ନୂଆଗାଁ ବ୍ଲକ୍‌ରେ ଏକପ୍ରକାରର ଫେଲ୍‌ ମାରିଛି। ତେବେ ପ୍ରାୟ ଜାଗାରେ ଏହି ଯୋଜନା ବିଷୟରେ ଜନସାଧାରଣ ଅବଗତ ନଥିବା ବେଳେ ଲୋକଙ୍କ ପାଖରେ ମୋ ଗୁହାଳ ସଂପର୍କିତ ତଥ୍ୟ ପହଞ୍ଚାଇବାରେ ପ୍ରଶାସନ ପଛଘୁଞ୍ଚା ଦେଉଥିବା ପରିଲକ୍ଷିତ ହେଉଛି। ପ୍ରାୟ ଗ୍ରାମରେ ଲୋକଙ୍କ ପାଖରେ ଆବଶ୍ୟକତା ମୁତାବକ ଗୁହାଳ ନଥିବା କାରଣରୁ ଘର ସାମ୍ନାରେ ଥିବା କଂକ୍ରିଟ୍‌ ରାସ୍ତା ଗୋମାତାଙ୍କ ଆଶ୍ରୟସ୍ଥଳୀ ପାଲଟିଥିବା ଦେଖିବାକୁ ମିଳିଛି।

ନୂଆଗାଁ ବ୍ଲକ୍‌ ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାବେଳେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଆଦିବାସୀ ଲୋକଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଗୋପାଳନ ଦ୍ବାରା ନିଜ ନିଜର ରୋଜଗାର ପନ୍ତ୍ରା ଆପଣାଇ ନେଇଛନ୍ତି। ଫଳରେ ଅନେକ ପରିବାର ଏଥିରେ ଉପକୃତ ହେବା ସହ ପରିବାର ପ୍ରତିପୋଷଣ କରିଥାନ୍ତି। ଗୋପାଳନ ପ୍ରତି ଲୋକମାନଙ୍କର ଦିନକୁ ଦିନ ବଢୁଥିବା ଆଗ୍ରହକୁ ଦେଖି ଗ୍ରାମାଞ୍ଚଳରେ ମନରେଗାରେ ୧ ଲକ୍ଷ ୧୩ ହଜାର ଟଙ୍କା ବ୍ୟୟରେ ସରକାରଙ୍କ ତରଫରୁ ଗୋମାତାଙ୍କ ନିମନ୍ତେ ଗୁହାଳ ନିର୍ମାଣ କରିବା ପାଇଁ ସ୍ଥିର କରାଯାଇଛି। ଏହାର ସଫଳ ରୂପାୟନ କରି ମୋ ଗୁହାଳ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବ୍ଲକ୍‌ ଏବଂ ପ୍ରାଣୀ ବିଭାଗର ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଯେଉଁ ବ୍ୟକ୍ତିଙ୍କ ପାଖରେ ୬ଟି କିମ୍ବା ଅଧିକ ଗାଈ ଥିବେ ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବା ନେଇ ନିର୍ଦ୍ଦେଶ ଥିଲା।

ତେବେ ନୂଆଗାଁ ବ୍ଲକର ଉଦୟପୁର, କୋରଡା, ଜାକେଡା, ଗୁମୀ, କାପ୍ତାପଲ୍ଲୀ, ନୂଆଗାଁ, ମାଈଛେଳି, ପାରାଢିପି ଆଦି ପଂଚାୟତରେ ବସବାସ କରୁଥିବା ଗୋପାଳକଙ୍କ ପାଖରେ ୬ରୁ ଅଧିକ ପରିମାଣରେ ଗୋରୁ ରଖିଥିଲେ ସୁଦ୍ଧା ସେମାନଙ୍କ ପାଖରେ ଏହି ଯୋଜନା ପହଂଚାଇବାରେ ପ୍ରଶାସନ ଏକ ପ୍ରକାରର ବିଫଳ ହେବା ସହ ଚାଷୀମାନଙ୍କୁ ଏକପ୍ରକାରର ଉପେକ୍ଷା କରାଯାଉଥିବା ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି। ଆଗାମୀ ଦିନରେ ପ୍ରକୃତ ଚାଷୀମାନଙ୍କୁ ଚିହ୍ନଟ କରି ନୂଆଗାଁ ବ୍ଲକ୍‌ରେ ମୋ ଗୁହାଳ ଯୋଜନାକୁ ସଫଳ କରାଇବା ପାଇଁ ଚାଷୀମାନେ ଦାବି କରିଛନ୍ତି। ତେବେ ଚାଷୀମାନଙ୍କର ଏହି ଦାବି ପ୍ରଶାସନକୁ କେତେ ଦୂର ପ୍ରଭାବିତ କରିପାରୁଛି ତାହା ଦେଖିବାକୁ ବାକି ରହିଲା।

The post ନୂଆଗାଁ ବ୍ଲକ୍‌ରେ ‘ମୋ ଗୁହାଳ’ ଯୋଜନା ବିଫଳ: କଂକ୍ରିଟ୍‌ ରାସ୍ତା ପାଲଟିଛି ଗୋରୁଙ୍କ ଆଶ୍ରୟସ୍ଥଳୀ first appeared on Sambad.

from ଜିଲ୍ଲା | Sambad https://ift.tt/3nY6Bfh

Post a Comment

0 Comments