
ବରୀ/ବିଂଝାରପୁର : ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ ଉଦୟନାଥପୁର ପଞ୍ଚାୟତ କହରାଗଣ୍ଡ ଗ୍ରାମରେ ଘଟିଛି ହୃଦୟବିଦାରକ ଘଟଣା। ଗ୍ରାମ ନିକଟ ଚୁଙ୍ଗୁଡ଼ିଆ ନାଳରେ ଜାଲ ପକାଇ ମାଛ ଧରିବାବେଳେ ସାନ ଭାଇ ସମ୍ମୁଖରେ ମଝିଆ ଭାଇଙ୍କୁ କୁମ୍ଭୀର ଟାଣି ନେଇଛି। ବହୁ ଖୋଜାଖୋଜି ପରେ ବି ତାଙ୍କର ପତ୍ତା ମିଳିନି। ଏହି ଘଟଣା ପରେ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
ବୁଧବାର ଦିନ କହରାଗଣ୍ଡ ଗ୍ରାମର ମୁରଲୀଧର ମଲ୍ଲିକଙ୍କ ମଝିଆ ପୁଅ ସୌମ୍ୟରଂଜନ(୨୨) ଏବଂ ସାନପୁଅ ସୌଭାଗ୍ୟ (୧୬) ମାଛ ଧରିବାକୁ ଚୁଙ୍ଗୁଡ଼ିଆ ନାଳକୁ ଯାଇଥିଲେ। ଦୁଇଭାଇ ଜାଲର ଦୁଇମୁଣ୍ଡକୁ ଧରି ମାଛ ଧରୁଥିବା ବେଳେ ମଙ୍ଗଳା ଗଣ୍ଡ ନିକଟରେ ଏକ କୁମ୍ଭୀର ସୌମ୍ୟଙ୍କୁ ଟାଣିନେଇଥିଲା। ଏ ସଂପର୍କରେ ସୌମ୍ୟ ଚିତ୍କାର କରି ଜଣାଇ ପରେ ସାନଭାଇ ସୌଭାଗ୍ୟ କୂଳକୁ ଆସି ଗ୍ରାମବାସୀଙ୍କୁ ଡାକ ପକାଇଥିଲେ। ଏକ ଭୁଟୁଭୁଟି ଧରି ଖୋଜାଖୋଜି କରିଥିଲେ ମଧ୍ୟ ସୌମ୍ୟଙ୍କର କୌଣସି ପତ୍ତା ମିଳିନଥିଲା। ହେଲେ କୁମ୍ଭୀରଟି ପାଣିରେ ଭାସୁଥିବା ଲୋକମାନେ ଦେଖିବାକୁ ପାଇଥିଲେ। ଖବରପାଇ ବରୀ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ବରୀ ଅଗ୍ନିଶମ ବାହିନୀ ଓ ବରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶେଷ ଖବର ସୁଦ୍ଧା ସୌମ୍ୟ ଏବେ ବି ନିଖୋଜ ରହିଛନ୍ତି। ବରୀ ବିଧାୟିକା ସୁନନ୍ଦା ଦାସ ମଧ୍ୟ କହରାଗଣ୍ଡ ଗ୍ରାମରେ ପହଞ୍ଚି ମୁରଲୀଧରଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଏହି ଅପ୍ରତ୍ୟାଶିତ ଘଟଣାରେ କହରାଗଣ୍ଡ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପକ୍ଷରେ ଚୁଙ୍ଗୁଡ଼ିଆ ନାଳର ଦୁଇ ପାର୍ଶ୍ବରେ ଜନବସତି ଥିବାରୁ ଲୋକମାନେ ଏହା ଉପରେ ନିର୍ଭର କରିଥା’ନ୍ତି। ସ୍ନାନଶୌଚ ଠାରୁ ଆରମ୍ଭ କରି ଗାଈଗୋରୁମାନଙ୍କୁ ନଦୀ ଆରପାରିକୁ ନେବା ଆଣିବା କରିଥା’ନ୍ତି। ଆଜିର କୁମ୍ଭୀର ଆତଙ୍କ ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ବନ ବିଭାଗ ପକ୍ଷରୁ ଏହି କୁମ୍ଭୀରକୁ ଧରି ଅନ୍ୟତ୍ର ଛାଡ଼ିବାକୁ ଦାବି ହେଉଛି।
The post ଭାଇ ସମ୍ମୁଖରେ ଯୁବକଙ୍କୁ ଟାଣିନେଲା କୁମ୍ଭୀର first appeared on Sambad.from ଜିଲ୍ଲା | Sambad https://ift.tt/3bECJil
0 Comments