ରାୟଗଡ଼ା: ୫ ଦଫା ଦାବି ପୂରଣ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡ଼ିଶା ସମବାୟ କର୍ମଚାରୀ ମହାସଂଘ। ସରକାର ଦାବି ପୂରଣରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ୮ ତାରିଖରୁ କଳା ବ୍ୟାଜ୍ ପରିଧାନ ସହ ୧୪ ତାରିଖରୁ କର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି। ଫଳରେ ରାୟଗଡ଼ା ଜିଲ୍ଲାର ୧୧ ଲ୍ୟାମ୍ପସରେ ସପ୍ତାହେ ହେଲା ତାଲା ଝୁଲୁଛି। ଆଜି ମହାସଂଘ ପକ୍ଷରୁ ସମବାୟ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ଘେରାଉ କରି ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

୫ ଦଫା ଦାବିପତ୍ରରେ ମହାସଂଘ ଉ‌ଲ୍ଲେଖ କରିଛି ସମବାୟ ବିଭାଗ ନିବନ୍ଧକ ୨୦୨୧ ଅଗଷ୍ଟ ୩୦ ତାରିଖରେ ଦେଇଥିବା ନିଯୁକ୍ତି ପ୍ରସ୍ତାବକୁ ରଦ୍ଦ କରି ୨୭୦୮ ପ୍ରାଥମିକ ସମବାୟ ସମିତି ଓ ଲ୍ୟାମ୍ପସରେ କାର୍ଯ୍ୟରତ କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଉ। ସେହିପରି ୭ମ ବେତନ କମିଶନଙ୍କ ସୁପାରିଶ ଅନୁଯାୟୀ ସମସ୍ତ କର୍ମଚାରୀଙ୍କୁ ଦରମା, ମହଙ୍ଗା ଭତ୍ତା କାର୍ଯ୍ୟକାରୀ, ରାଜ୍ୟ ସରକାରଙ୍କ ଦ୍ବାରା ପ୍ରକାଶିତ ସମିତି ଓ ଲ୍ୟାମ୍ପସ ପ୍ରଶାସନିକ ପାଣ୍ଠି କାର୍ଯ୍ୟକାରୀ, ଆସନ୍ତା ସମବାୟ ବଜେଟରେ କର୍ମଚାରୀଙ୍କ ଦରମା ଓ ଭତ୍ତା ନିମନ୍ତେ ଏକ ହଜାର କୋଟି ଟଙ୍କାର ବଜେଟ୍ ମଞ୍ଜୁର, କରୋନାରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ସମସ୍ତ କର୍ମଚାରୀଙ୍କ ନିମନ୍ତେ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ପ୍ରଦାନ, ସମବାୟ ତ୍ରିସ୍ତରୀୟ ବ୍ୟବସ୍ଥାର ଉଚ୍ଛେଦ କରାଯାଇ କେରଳ, ପଞ୍ଜାବ, ହରିଆନା, ରାଜସ୍ଥାନ, କର୍ଣ୍ଣାଟକ ଭଳି ଦୁଇସ୍ତରୀୟ ବ୍ୟବସ୍ଥା ପ୍ରଚଳନ, ନୟାଗଡ଼ ଜିଲ୍ଲା ଗୋଲଗାଁ ସେବା ସମବାୟ ସମିତିର ସମ୍ପାଦକ ମାନସ ଚନ୍ଦ୍ର ମିଶ୍ର ପ୍ରଶାସନିକ ଅଧିକାରୀଙ୍କ ତାଡ଼ନା ସହିନପାରି ଆତ୍ମହତ୍ୟା କରିଥିବାରୁ  ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଓ ପରିବାରର ଜଣଙ୍କୁ ଚାକିରୀ ପ୍ରଦାନ ସହ ଦୋଷୀକୁ ଦଣ୍ଡ ଦେବାକୁ ମହାସଂଘ ଦାବି କରିଛି। ରାମନାଗୁଡ଼ା ଲ୍ୟାମ୍ପ ପରିଚାଳନା ନିର୍ଦେଶକ ବିଶିକେଶନ ରଥ, କଲ୍ୟାଣସିଂହପୁର ଲ୍ୟାମ୍ପସ ପରିଚାଳନା ନିର୍ଦେଶକ ସି. ଏଚ୍. କୋଟେଶ୍ବର ରାଓ, ବହୁମୂଖୀ ସମବାୟ ସମିତି ସଂପାଦକ ବି. ଭେଙ୍କଟ ରାମଣା ପ୍ରମୁଖ ଆନ୍ଦୋଳନରେ ନେତୃତ୍ବ ନେଇଥିବା ବେଳେ ସମସ୍ତ ଲ୍ୟାମ୍ପସର ପରିଚାଳନା ନିର୍ଦେଶକ ସାମିଲ୍ ହୋଇଥିଲେ।

The post ଓଡ଼ିଶା ସମବାୟ କର୍ମଚାରୀ ମହାସଂଘର ଆନ୍ଦୋଳନ: ସପ୍ତାହେ ହେଲା ୧୧ ଲ୍ୟାମ୍ପସରେ ଝୁଲୁଛି ତାଲା first appeared on Sambad.

from ଜିଲ୍ଲା | Sambad https://ift.tt/3x5XOfz