ଧଉଳି: ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ। ପର୍ଯ୍ୟଟକଙ୍କ କୋଳାହଳରେ ଧଉଳି ଶାନ୍ତିସ୍ତୂପ ପରିସର ଚଳଚଞ୍ଚଳ ହୋଇ ଉଠିଛି। ପିକନିକ କରିବାକୁ ଆସୁଥିବା ଦଳଗୁଡ଼ିକର ବିଭିନ୍ନ ପିଣ୍ଡିରେ ଭୋଜିଭାତର ଆସର ଜମୁଛି। ଏହାକୁ ଦୃଷ୍ଟିରେ ରଖି ଶାନ୍ତିସ୍ତୂପ ଅଞ୍ଚଳରେ ଭୋଜି ପିଣ୍ଡି ସଂଖ୍ୟା ବଢ଼ାଯାଇଛି। ପାର୍ବତୀ ପୁଷ୍କରିଣୀ ହୁଡ଼ାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଉ ୧୦ କଂକ୍ରିଟ ପିଣ୍ଡି ଏବଂ ଶୌଚାଳୟ କମ୍ପ୍ଲେକ୍ସ ନିର୍ମାଣ କେବେଠୁ ସରିଛି। ହେଲେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ନୂତନ ଭାବେ ନିର୍ମିତ ଭୋଜି ପିଣ୍ଡି ଏବଂ ଅନ୍ୟାନ୍ୟ ପ୍ରକଳ୍ପ ଏଯାଏ କାର୍ଯ୍ୟକ୍ଷମ ହୋଇପାରିନାହିଁ। ତେଣୁ ପିଣ୍ଡିରେ ଯିଏ ଯୋଉଠି ପାଇଲା ଭୋଜି କରୁଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗକୁ ଏ ବାବଦ କୌଣସି ଫି ମିଳୁନାହିଁ।

 

 

ଧଉଳିରେ ଭୋଜି କରିବା ପାଇଁ ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ପାଖାପାଖି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଛୋଟବଡ଼ କରି ୧୦ଟି ଭୋଜି ପିଣ୍ଡି ନିର୍ମିତ ହୋଇଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ ପର୍ଯ୍ୟଟନ ବିଭାଗ ଅନୁଦାନରେ ଐତିହ୍ୟସଂପନ୍ନ ପାର୍ବତୀ ପୋଖରୀ ହୁଡ଼ାରେ ଆଉ ଅତିରିକ୍ତ ୧୦ ଭୋଜି ପିଣ୍ଡି ନିର୍ମିତ ହୋଇଛି। ଏଥି ସହ୨୦ ଟଏଲେଟ ଓ ୨୦ ଗାଧୁଆ ଘର କମ୍ପ୍ଲେକ୍ସ ନିର୍ମିତ ହୋଇଛି। ଏଥି ପାଇଁ ୧ କୋଟି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଭୋଜି ପିଣ୍ଡି  ନିର୍ମାଣ ହୋଇଛି ସତ, ହେଲେ ପିଣ୍ଡିରୁ କୌଣସି ରାଜସ୍ବ ଆଦାୟ ହେଉନାହିଁ। ରାଜସ୍ବ ଆଦାୟ କଥା ପଡ଼ିଲେ ଏକପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜୁଛି।

ପର୍ଯ୍ୟଟନ ଅଧିକାରୀ ଅଞ୍ଜନ କୁମାର ବାରିକଙ୍କ ସୂଚନା ଅନୁସାରେ ଭୋଜିପିଣ୍ଡି ତଥା ଟଏଲେଟ ପରିଚାଳନା ଦାୟିତ୍ବରେ ଥିବା ଓଟିଡିସି ଧଉଳି ବିକାଶ ପରିଷଦକୁ ଏଯାଏଁ ଏହାକୁ ହସ୍ତାନ୍ତର କରି ନାହିଁ। ସେହିପରି ଟଏଲେଟ କମ୍ପ୍ଲେକ୍ସ ମଧ୍ୟ ଓଟିଡିସି ହାତରେ ରହିଛି। ତେଣୁ ଉପରୋକ୍ତ ପିଣ୍ଡି ପିଛା କେତେ ଟଙ୍କା ଆଦାୟ କରାଯିବ ତାହା ଏଯାଏ ସ୍ଥିର ହୋଇପାରି ନାହିଁ। ଏହା ବାଦ ଧଉଳି ପାଦ ଦେଶରେ ଯଥା-ବହିରଙ୍ଗେଶ୍ବର ପାର୍ଶ୍ବ, ଖଜୁଆପଡ଼ା, କାରଷ୍ଟାଣ୍ଡ ନିକଟ ଅଞ୍ଚଳରେ ଘରୋଇ ପିଣ୍ଡି ରହିଛି। ମହୋତ୍ସବ ପଡ଼ିଆ ନିକଟ ସ୍ଥାନ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟକମାନେ ମଧ୍ୟ ଖୋଲାରେ ଭୋଜି କରିବାରେ ଅସୁବିଧା ନାହିଁ। ଧଉଳିରେ ଭୋଜି କରିବାରେ ପାଣି କି ରାସନ ସାମଗ୍ରୀ କିଣାକିଣି କରିବାରେ କୌଣସି ସମସ୍ୟା ନାହିଁ। ଗ୍ୟାସ, ତମ୍ବୁ ଓ ଆନୁସଙ୍ଗିକ ଉପକରଣ ସହଜରେ ଭଡ଼ାରେ ମିଳିପାରୁଛି। ତେବ ପଞ୍ଚାୟତ ପରିସରରେ ସଂରକ୍ଷିତ ବଡ଼ପିଣ୍ଡିରୁ ୫୦୦ ଟଙ୍କା ଏବଂ ଛୋଟ ପିଣ୍ଡିରୁ ୩୦୦ ଟଙ୍କା ଅସୁଲ କରାଯାଉଛି।

The post ପର୍ଯ୍ୟଟନ ଋତୁରେ ଧଉଳି ଚଳଚଞ୍ଚଳ first appeared on Sambad.

from ଜିଲ୍ଲା | Sambad https://ift.tt/3nmSr8r