କଟକ : ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯-୨୦ ବର୍ଷ ପାଇଁ ଓଡ଼ିଆ ସିନେମା ନିମନ୍ତେ ପୁରସ୍କାର ଘୋଷଣା କରାଯାଇଛି। ଏଥି ପାଇଁ ୨୭ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯିବ। ହେଲେ ଏହି ଚୟନ କେତେଦୂର ନିରପେକ୍ଷ ଓ ଯୁକ୍ତିସଙ୍ଗତ ସେ ନେଇ ସିନେ ନିର୍ଦ୍ଦେଶକ ତଥା କୋରିଓଗ୍ରାଫର୍‌ ବବି ଇସ୍‌ଲାମ ପ୍ରଶ୍ନ କରିଛନ୍ତି।

ସର୍କିଟ ହାଉସ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବବିଙ୍କ ଅଭିଯୋଗ ହେଲା ଯେଉଁ ସିନେମାଗୁଡ଼ିକୁ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରାଯାଇଛି, ସେଥିରୁ ଅଧିକାଂଶ ଅନ୍ୟ ରାଜ୍ୟର ସିନେମାର ନକଲ। ଅଥଚ ଓଡ଼ିଆ ଘରର ବା ଓଡ଼ିଶାର ମୌଳିକ କଥାବସ୍ତୁ ଆଧାରିତ ଓଡ଼ିଆ ସିନେମାକୁ ଅଣଦେଖା କରାଯାଇଛି। ସେ କହିଛନ୍ତି, ଓଡ଼ିଆ ସିନେମା ଏବେ ଦୁର୍ଦ୍ଦଶା ମଧ୍ୟରେ ଗତିକରୁଛି। ପଡ଼ୋଶୀ ରାଜ୍ୟର ସିନେମାକୁ ନକଲ କରି ଓଡ଼ିଆ ଚଳଚ୍ଚିତ୍ର ପ୍ରସ୍ତୁତ କରିବା ପରମ୍ପରାକୁ ଦର୍ଶକ ଗ୍ରହଣ କରୁନାହାନ୍ତି କି ପ୍ରେକ୍ଷାଳୟକୁ ଆସି ଓଡ଼ିଆ ସିନେମା ଦେଖୁନାହାନ୍ତି। ଏହି ଦୁର୍ଦ୍ଦଶାରୁ ଓଡ଼ିଆ ସିନେମାକୁ ବଞ୍ଚାଇବା ପାଇଁ କିଛି ପ୍ରଯୋଜକ/ନିର୍ଦ୍ଦେଶକ ଅବଶ୍ୟ ଅଣ୍ଟା ଭିଡ଼ିଛନ୍ତି। ଏକ ଖାଣ୍ଟି ଓଡ଼ିଆ ଘରର କଥାକୁ ନେଇ ସିନେମା ତିଆରି କରୁଛନ୍ତି। ଯାହାକି ସାହସିକ, ସ୍ବାଗତଯୋଗ୍ୟ ଓ ସମୟୋଚିତ ପଦକ୍ଷେପ। କିନ୍ତୁ ସେମାନଙ୍କୁ ହତୋତ୍ସାହ ହେବାକୁ ପଡ଼ୁଛି।

ଉଦାହରଣ ଦେବାକୁ ଯାଇ ସେ କହିଛନ୍ତି, ୨୦୧୯ ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିବା ‘ଛବିରାଣୀ’ ସିନେମା ରାଜ୍ୟର ପ୍ରଥମ କମର୍ସିଆଲ୍‌ ବାୟୋପିକ ଓଡ଼ିଆ ସିନେମା। ୧୯୮୦ ମସିହାରେ ଓଡ଼ିଶାରେ ଘଟିଥିବା ଏକ ମାର୍ମିକ ଘଟଣା ଉପରେ ଏହା ଆଧାରିତ। କିନ୍ତୁ ସିନେମାକୁ ପୁରସ୍କାର ପାଇଁ‌ ଯୋଗ୍ୟ ହୋଇଥିବା କୌଣସି ଗୋଟିଏ ବିଭାଗରେ ବି ସ୍ଥାନ ମିଳିଲାନି। କେବଳ ଏହା ଗୋଟିଏ ନୁହେଁ, ଏହି ପରି ଅନ୍ୟାନ୍ୟ ଦୃଷ୍ଟାନ୍ତ ରହିଛି। ଏହି ପରମ୍ପରା ବଜାୟ ରହିଲେ, ଆଗକୁ ଆଉ କେହି ପ୍ରଯୋଜକ ଓ ନିର୍ଦ୍ଦେଶକ ଓଡ଼ିଆ ମୌଳିକ କଥାବସ୍ତୁ ଥିବା ସିନେମା ପ୍ରସ୍ତୁତ କରିବା ଦିଗରେ ଆଗ୍ରହ ରଖିବେ ନାହିଁ।

ତେଣୁ ରାଜ୍ୟ ସରକାର ତାଙ୍କ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ଆବଶ୍ୟକ। ନଚେତ୍‌ ଆଇନର ଆଶ୍ରୟ ନିଆଯିବ ବୋଲି ବବି ଚେତାବନୀ ଦେଇଛନ୍ତି। ଏଥି ସହିତ ଯେଉଁଦିନ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦିଆଯିବ ସେ ଦିନ ଆୟୋଜନ ସ୍ଥଳ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନିର୍ଦ୍ଦେଶକ ଅରୁଣ ମହାନ୍ତି, ଅଭିନେତା ଅମନ ପରାସର ଓ ମିଟୁ ମିଥୁନ ଉପସ୍ଥିତ ଥିଲେ।

The post ଚଳଚ୍ଚିତ୍ର ପୁରସ୍କାର ଚୟନକୁ ନେଇ ଅସନ୍ତୋଷ first appeared on Sambad.

from ଜିଲ୍ଲା | Sambad https://ift.tt/3mW3dCi