ରାଉରକେଲା/ନୂଆଗାଁ: ଥରେ ନିର୍ବାଚିତ ପ୍ରତିନିଧି ହେଲେ ବଦଳିଯାଏ ଭାଗ୍ୟ। ଲକ୍ଷପତିରୁ ବନି ଯାଆନ୍ତି କୋଟିପତି। ବେଶପୋଷାକ, ଚାଲିଚଳନ ଠାରୁ ଆରମ୍ଭ କରି ସବୁକିଛି ପରିବର୍ତ୍ତନ ହୋଇଯାଏ। କିନ୍ତୁ, ଆଜି ବି ଏମିତି ଅନେକ ଜନପ୍ରତିନିଧି ଅଛନ୍ତି, ଯେଉଁମାନଙ୍କ ପାଖରେ ଚାରି ଚକିଆ ତ ଦୂର କଥା ଦୁଇ ଚକିଆଟିଏ ବି ନାହିଁ। ଚାଷବାସ କରି ପରିବାର ପ୍ରତିପୋଷଣ କରୁଛନ୍ତି। ନୀତି ଓ ଆଦର୍ଶକୁ ନେଇ ବଞ୍ଚୁଥିବା ସେମିତି ଜଣେ ସରପଞ୍ଚ ହେଲେ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ନୂଆଗାଁ ବ୍ଲକ ଅନ୍ତର୍ଗତ ଖୁଣ୍ଟଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ଜିତିନ ତିର୍କୀ। ଥରେ ନୁହେଁ ଦୁଇ ଦୁଇ ଥର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ହେଁ ପୂର୍ବରୁ ଯେମିତି ଥିଲେ ଏବେ ସେମିତି ଅଛନ୍ତି।

୨୦୦୧ରୁ ୨୦୦୬ ଏବଂ ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ ଦୁଇଥର ସରପଞ୍ଚ ହୋଇଥିବା ଜିତିନ ଏବେ ପରିବାର ପ୍ରତିପୋ‌ଷଣ ପାଇଁ ରାସ୍ତାକଡ଼ରେ ବସି ପନିପରିବା ବିକୁଛନ୍ତି। ପାଞ୍ଚ ଭଉଣୀ, ଜଣେ ମାତ୍ର ଭାଇଙ୍କୁ ନେଇ ତାଙ୍କ ପରିବାର। ପରିବାର ବୋଝ ତାଙ୍କ ବିବାହକୁ ରୋକି ଦେଇଛି। ସେ ଏବେ ଅବିବାହିତ। ଏକମାତ୍ର ଭାଇ ଓ ଅନ୍ୟ ଭଉଣୀ ବିବାହ କରି ପରିବାର ସହ ଭିନ୍ନ ଭିନ୍ନ ଜାଗାରେ ରହୁଛନ୍ତି। ସାନ ଭଉଣୀଙ୍କୁ ନେଇ ଏକାଠି ରହୁଛନ୍ତି ଜିତିନ। ସାନ ଭଉଣୀ ଘରର ରକ୍ଷଣାବେକ୍ଷଣ ଓ ଚାଷ ଦେଖୁଥିବାବେଳେ ଜିତିନ ପନିପରିବା ବିକ୍ରି କରନ୍ତି। ବଳକା ସମୟରେ ଗାଁ ଲୋକଙ୍କ ଭଲମନ୍ଦ କଥା ବୁଝନ୍ତି। ଏଥି ପାଇଁ ଜିତିନଙ୍କୁ ସମସ୍ତେ ଭଲ ପାଆନ୍ତି। ସ୍ଥାନୀୟ ମିଟିକୁନ୍ଦୁରି ଅଞ୍ଚଳର ମୂଳବାସିନ୍ଦା ଜିତିନଙ୍କ ପ୍ରତି ଅଛି ପଞ୍ଚାୟତବାସୀଙ୍କ ଅଶେଷ ଭଲ ପାଇବା। କାରଣ ଦୁର୍ନୀତିଠାରୁ ସେ ବହୁ ଦୂରରେ ଓ ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟା କର୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରି ସମସ୍ୟାର ସମାଧାନ ନିମନ୍ତେ ଅବିରାମ ଉଦ୍ୟମ କରିଥାନ୍ତି। ଲୋକଙ୍କ ସୁଖଦୁଃଖର ସାଥି ଭାବେ ସର୍ବଦା ଛିଡା ହେଉଥିବାରୁ ତାଙ୍କୁ ଲୋକଙ୍କ ଅକୁଣ୍ଠ ସମର୍ଥନ ମିଳିଥାଏ ବୋଲି କହନ୍ତି ଜିତିନ।

ଏପରିକି ସରପଞ୍ଚ ନିର୍ବାଚନ ନିର୍ଦ୍ଧଳୀୟ ହୋଇଥିଲେ ହେଁ ପ୍ରତ୍ୟେକ ପ୍ରାର୍ଥୀଙ୍କ ପଛରେ କୌଣସି ନା’ କୌଣସି ରାଜନୈତିକ ଦଳ ଓ ନେତାଙ୍କ ପ୍ରୋତ୍ସାହନ ରହିଥାଏ। ଜିତିନଙ୍କ କ୍ଷେତ୍ରରେ କିନ୍ତୁ ତା’ର ବ୍ୟତିକ୍ରମ ଦେଖିବାକୁ ମିଳେ। କୌଣସି ରାଜନୈତିକ ଦଳ କିମ୍ବା ନେତାଙ୍କ ପ୍ରୋତ୍ସାହନ ବିନା ଅତି ନଗଣ୍ୟ ଅର୍ଥ ବ୍ୟୟ କରି ନିଜସ୍ୱ ଲୋକପ୍ରିୟତା ଆଧାରରେ ସେ ଦୁଇ ଦୁଇ ଥର ନିର୍ବାଚିତ ହେବାରେ ସକ୍ଷମ ହୋଇଛନ୍ତି ବୋଲି କହିଛନ୍ତି ସେ। ନିର୍ବାଚନରେ ତାଙ୍କ ପ୍ରତିଦ୍ବନ୍ଦୀ ଲକ୍ଷ ଲକ୍ଷ ଟଙ୍କା ପାଣି ପରି ଖର୍ଚ୍ଚ କରିଛନ୍ତି। ହେଲେ ଜିତିନଙ୍କ ଲୋକପ୍ରିୟତା ଆଗରେ ଅନ୍ୟ ପ୍ରତିଦ୍ବନ୍ଦୀଙ୍କ ଅର୍ଥବଳ, ବାହୁ କାମ କରିଥାଏ। ପୁଣି ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ଏବଂ ସଚୋଟତାର ସହ ଜନସେବାକୁ ସବୁବେଳେ ଅଗ୍ରାଧିକାର ଦେବାପଛରେ ତା’ଙ୍କ ବାପା ଙ୍କ ପ୍ରେରଣା ଥିଲା ବୋଲି କହିଛନ୍ତି ଜିତିନ। ବାସ୍ତବରେ ସାମ୍ପ୍ରତିକ ସ୍ଥିତି ଓ କଳୁଷିତ ରାଜନୈତିକ ପଶାପାଲି ଖେଳ ଭିତରେ ଜିତିନଙ୍କ ଭଳି ଜଣେ ଜନପ୍ରତିନିଧି ବିରଳ। ସେ ବାସ୍ତବରେ ସମସ୍ତଙ୍କ ପାଇଁ ସାଜିଛନ୍ତି ଉଦାହରଣ।

The post ପନିପରିବା ବିକୁଛନ୍ତି ସରପଞ୍ଚ: ଖୁଣ୍ଟଗାଁ ପଞ୍ଚା‌ୟତରେ ଦୁଇଥର ଥିଲେ ସରପଞ୍ଚ first appeared on Sambad.

from ଜିଲ୍ଲା | Sambad https://ift.tt/3H9PT5G