ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ ଟିମନପୁର ପଞ୍ଚାୟତରେ ଭୂତ ଖାଉଛି ବାର୍ଦ୍ଧକ୍ୟ ଭତ୍ତା ଟଙ୍କା। ଟିମନପୁର ପଞ୍ଚାୟତ ହୀରାପୁର, ଗୋବିନ୍ଦପୁର ଓ ଟିମନପୁର ଗାଁର ମୃତ ବ୍ୟକ୍ତିଙ୍କ ନାମରେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ପୈଠ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଟିମନପୁର ପଞ୍ଚାୟତ ହୀରାପୁର ଗାଁର ରାଏଧର ଭୋଇ, ଜୟରାମ ଗହୀର, ନୂଆଦେଇ ଛତ୍ରିଆଙ୍କ ଭଳି ଗୋବିନ୍ଦପୁର ଓ ଟିମନପୁରରେ ୧୦ ଜଣଙ୍କ ମୃତ୍ୟୁ ହେବାର ବର୍ଷ ବର୍ଷ ବିତିଯାଇଛି। କିନ୍ତୁ ସେମାନଙ୍କ ନାମରେ ଆଜିପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ପୈଠ ହେଉଥିବା ଅଭିଯୋଗ ହେଉଛି। ଏହି ଟଙ୍କା ମୃତକଙ୍କ ପରିବାର ଲୋକ ପାଉନଥିବାରୁ ଟଙ୍କା କାହା ପକେଟ୍‌କୁ ଯାଉଛି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି।

ପୂର୍ବରୁ ବାର୍ଦ୍ଧକ୍ୟ ଭତ୍ତା ପଞ୍ଚାୟତ ପିଇଓ, ସରପଞ୍ଚ ମିଶି ହିତାଧିକାରୀଙ୍କ ହାତରେ ଦେଉଥିଲେ। ଏବେ ଅନ୍‌ଲାଇନ ପୈଠ ହେଉଛି। ଅନ୍‌ଲାଇନ୍‌ ପୈଠ ହେବା ପରେ ମୃତ ବ୍ୟକ୍ତିଙ୍କ ଆକାଉଣ୍ଟ୍‌ରେ ଟଙ୍କା ଆସୁଛି ବୋଲି ସମ୍ପର୍କୀୟମାନେ ଜାଣିବାକୁ ପାଇଛନ୍ତି। ଏଥିରେ କେଉଁମାନଙ୍କର ସମ୍ପୃକ୍ତି ଅଛି ଜିଲ୍ଲା ପ୍ରଶାସନ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି କରାଯାଉଛି। ଏନେଇ ସ୍ଥାନୀୟ ସରପଞ୍ଚ ଓ ପିଇଓଙ୍କୁ ପଚାରିବାରୁ ମୃତ ବ୍ୟକ୍ତିଙ୍କ ନାମ କାଟିବା ପାଇଁ ଲିଖିତ ଭାବେ ଦେଇଛୁ। ବର୍ତ୍ତମାନ କେମିତି ସେମାନଙ୍କ ନାମରେ ଟଙ୍କା ଆସିଛି ଆମେ ଜାଣିନାହୁଁ ବୋଲି କହିଛନ୍ତି। ସିନାପାଲି ବିଡିଓ ସଦାଶିବ ନାଏକଙ୍କୁ ପଚାରିବାରୁ, ଏହା ମିଛ କଥା ବୋଲି କହିଥିଲେ। ପ୍ରଥମକରି ହିତାଧିକାରୀଙ୍କ ଖାତାରେ ଭତ୍ତା ଟଙ୍କା ଜମା ହେଉଥିବାରୁ କିଛି ମୃତକଙ୍କ ନାଁରେ ଟଙ୍କା ଆସିଯାଇଛି ବୋଲି କହିଥିଲେ।

The post ଭୂତ ଖାଉଛି ଭତ୍ତା: ଟିମନପୁର ପଞ୍ଚାୟତରେ ମୃତ ବ୍ୟକ୍ତିଙ୍କ ନାମରେ ବାର୍ଦ୍ଧକ୍ୟ ଭତ୍ତା ପୈଠ ହେଉଥିବା ଅଭିଯୋଗ first appeared on Sambad.

from ଜିଲ୍ଲା | Sambad https://ift.tt/3BxHAfL