ସିସିଟିଭିରେ କଏଦ ଚୋରିର ଦୃଶ୍ୟ, ଅପରାଧୀଙ୍କ ଟେର୍ ପାଉନି ପୁଲିସ

ଖୁଣ୍ଟା/କୁଆମରା/ଗୋପବନ୍ଧୁନଗର : ୨୪ ଘଣ୍ଟା ନପୂରୁଣୁ ପୁଣି ବନ୍ଧୁକ ମୁନରେ ଆଉ ଏକ ପେଟ୍ରୋଲ ପମ୍ପରୁ ଲୁଟପାଟ୍‌ କରିଛନ୍ତି ଦୁର୍ବୃତ୍ତ। ଗତ ଗୁରୁବାର ରାତି ୧୦ଟାରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ମାଣତ୍ରୀ-ବଡ଼ସାହି ରାସ୍ତାର ମାଳିହାତୀ ଗ୍ରାମ ନିକଟରେ ଥିବା ପେଟ୍ରୋଲ ପମ୍ପରୁ ଦୁର୍ବୃତ୍ତ ଲୁଟ୍‌ କରିଥିବା ବେଳେ ଗତକାଲି ସମାନ ସମୟ ଓ ସମାନ ଢଙ୍ଗରେ ଖୁଣ୍ଟା ଥାନା ଅଧୀନ ପୁରୁଣା ବାରିପଦାସ୍ଥିତ ମା’ ଭୁବନେଶ୍ବରୀ କିଷାନ ସେବା କେନ୍ଦ୍ର ପେଟ୍ରୋଲ ପମ୍ପରୁ ଲୁଟିଛନ୍ତି। ସମସ୍ତ ଦୃଶ୍ୟ ପେଟ୍ରୋଲ ପମ୍ପ ସିସିଟିଭିରେ କଏଦ୍‌ ହୋଇଛି। ଅଭିଯୋଗ ପରେ ପୁଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଥିବା ବେଳେ ମୁଖାପିନ୍ଧା ଅପରାଧୀଙ୍କୁ ଚିହ୍ନଟ କରାଯାଇ ପାରିନାହିଁ।

ଅଭିଯୋଗ ଅନୁଯାୟୀ; ମା’ ଭୁବନେଶ୍ବରୀ କିଷାନ ସେବା କେନ୍ଦ୍ର ପେଟ୍ରୋଲ ପମ୍ପ ପ୍ରତିଦିନ ରାତି ୧୦ଟାରେ ବନ୍ଦ ହୋଇଥାଏ। ଗତକାଲି ରାତି ଠିକ୍‌ ୯ଟା ୫୦ରେ ପେଟ୍ରୋଲ ପମ୍ପକୁ ଗୋଟିଏ ବାଇକ୍‌ରେ ୩ ଜଣ ଦୁର୍ବୃତ୍ତ ଆସି ପହଞ୍ଚିଥିଲେ। ସେହି ସମୟରେ ସେଠାରେ ଅନ୍ୟ ଗ୍ରାହକ ନଥିବା ବେଳେ ଦୁଇଜଣ ସେଲସ୍ ମ୍ୟାନଙ୍କ ରହିଥିଲେ। ସେମାନଙ୍କ ମଧ୍ୟରୁ ହରେକୃଷ୍ଣ ଦାସ ପେଟ୍ରୋଲ ଦେବା ପାଇଁ ପମ୍ପ ନିକଟରେ ଛିଡ଼ା ହୋଇଥିଲେ ଓ ମୃତ୍ୟୁଞ୍ଜୟ ବାରିକ ପାଣି ପିଇବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ହରେକୃଷ୍ଣଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସେ ଧରିଥିବା ଟଙ୍କା ବ୍ୟାଗ୍‌ ଝାମ୍ପି ନେଇଥିଲେ। ଦୁର୍ବୃତ୍ତମାନେ ହେଲ୍‌ମେଟ୍‌ ଓ ମୁଖା ପିନ୍ଧିଥିବା ସିସିଟିଭିରେ ଦେଖାଯାଇଛି। ସେଲସ୍ ମ୍ୟାନଙ୍କ କହିବା ଅନୁସାରେ ଅଭିଯୁକ୍ତମାନେ ଉଦଳା-ଦାମାସାହିଆଡ଼ୁ ଆସିଥିଲେ ଓ ଲୁଟ୍‌ ପରେ କୁଆମରା-ବାଲେଶ୍ଵର ରାସ୍ତାରେ ଚମ୍ପଟ ମାରିଥିଲେ। ଉକ୍ତ ବ୍ୟାଗ୍‌ରେ ୪ ହଜାର ୮୦ ଟଙ୍କା ଥିବା ପେଟ୍ରୋଲ ପମ୍ପ ମାଲିକ କାର୍ତ୍ତିକ କୁମାର ବେହେରା ଥାନାରେ ଅଭିଯୋଗ କରିଛନ୍ତି। ଖୁଣ୍ଟା ଥାନା ଆଇଆଇସି ସୂର୍ଣ୍ଣଲତା ମିଞ୍ଜ, କୁଆମରା ଫାଣ୍ତି ଅଧିକାରୀ ବଳରାମ ମହାରଣା ପ୍ରମୁଖ ଘଟଣାସ୍ଥଳରେ ଛାନ୍‌ଭିନ୍‌ କରିବା ସହ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଜାରି ରଖିଛନ୍ତି। ଏ ନେଇ ୩୩୯/୨୧ରେ ଏକ ମାମଲା ରୁଜୁ ହୋଇଛି।

ସୂଚନା ଯୋଗ୍ୟ, ଗତ ୫ ତାରିଖ ରାତି ପ୍ରାୟ ୧୦ଟା ବେଳେ ବହଳଦା ଥାନା ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥ ପାର୍ଶ୍ବ ବାସିଙ୍ଗୀ ପେଟ୍ରୋଲ ପମ୍ପରୁ ୨ ରାଉଣ୍ଡ ଗୁଳି ଫୁଟାଇ ପ୍ରାୟ ୨୦ ହଜାର ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ। ଗତ ୮ ଦିନ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ୩ଟି ପେଟ୍ରୋଲ ପମ୍ପରୁ ବନ୍ଧୁକ ମୁନରେ ଦୁର୍ବୃତ୍ତ ଲୁଟ୍‌ପାଟ୍‌ କରିଥିବା ବେଳେ ପୁଲିସ ଜଣକୁ ବି ଧରିବାରେ ସଫଳ ହୋଇପାରିନି। ଫଳରେ ପେଟ୍ରୋଲ ପମ୍ପ ମାଲିକମାନେ ଭୟଭୀତ ହୋଇପଡ଼ିଛନ୍ତି।

The post ପୁଣି ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍ first appeared on Sambad.

from ଜିଲ୍ଲା | Sambad https://ift.tt/3CeJuCu