
କଟକ: ମଦ ନିଷେଧ ପ୍ରସଂଗକୁ ନେଇ ୨୦୧୩ରୁ ହାଇକୋର୍ଟରେ ବିଚାରାଧୀନ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସମ୍ପର୍କିତ ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଜବାବ ସହିତ ଏକ ଅତିରିକ୍ତ ସତ୍ୟପାଠ ଦାଖଲ କରାଯାଇଥିବା ଦର୍ଶାଯାଇଛି। ଅକ୍ଟୋବର ୨୫ରେ ସରକାରଙ୍କ ତରଫରୁ ଜବାବ ଦାଖଲ କରାଯାଇଛି। ଏହାକୁ ମାମଲାର ରେକର୍ଡ ସହିତ ସଂଲଗ୍ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସରକାରଙ୍କ ଜବାବର କପି ଆବେଦନକାରୀଙ୍କୁ ପ୍ରଦାନ କରାଯିବ। ପରବର୍ତ୍ତୀ ଶୁଣାଣି ପୂର୍ବରୁ ସରକାରଙ୍କ ସତ୍ୟପାଠ ଉପରେ ଆବେଦନକାରୀ ପ୍ରତିଜବାବ ରଖିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୨, ଜାନୁଆରି ୧୭କୁ ଧାର୍ଯ୍ୟ କରାଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ ସରକାର ଏହି ମାମଲାରେ ଜବାବ ଦାଖଲ କରି ନଥିଲେ। ଗତ ସେପ୍ଟେମ୍ବର ୧୫ରେ ହାଇକୋର୍ଟ ମାମଲାର ଶୁଣାଣି କରି କହିଥିଲେ, ଯଦି ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ଦାଖଲ କରା ନ ଯାଏ ତେବେ ଭର୍ଚୁଆଲ୍ ମୋଡ୍ରେ ଅବକାରୀ ସଚିବ ବ୍ୟକ୍ତିଗତ ଭାବେ ହାଜର ହେବେ। ଏଥିସହିତ ଯଦି ନଭେମ୍ବର ୧ ତାରିଖ ଦିନ ବା ତା’ ପୂର୍ବରୁ ମାମଲାରେ ଜବାବ ଦାଖଲ କରା ନ ଯାଏ ତେବେ ସରକାର ୧୦ ହଜାର ଟଙ୍କା ହାଇକୋର୍ଟ ବାର୍ ଆସୋସିଏସନ୍ ୱେଲଫେୟାର ଫଣ୍ଡ୍ରେ ଖର୍ଚ୍ଚ ବାବଦରେ ଜମା କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ମାମଲାର ବିବରଣୀ ଅନୁଯାୟୀ ସାରା ରାଜ୍ୟରେ ସମସ୍ତ ପ୍ରକାର ମଦ ନିଷେଧ କରାଯାଉ ବୋଲି ଦର୍ଶାଇ ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆ ୨୦୧୩ରେ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ଜବାବରେ ଉଲ୍ଲେଖ କରାଯାଇଥିଲା ଯେ ନିଷିଦ୍ଧ ମଦ ତିଆରି ଓ ବିକ୍ରିକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଓଡ଼ିଶା ପ୍ରୋହିବିସନ୍ ଅାକ୍ଟ, ୧୯୫୬ ଅନୁସାରେ ସାରା ରାଜ୍ୟରେ ମଦ ସଂପୂର୍ଣ୍ଣ ଭାବେ ନିଷେଧ କରାଯିବା କଥା। ଏହି ଆଇନ ଏବେ ମଧ୍ୟ ବଳବତ୍ତର ଥିବାବେଳେ ନିୟମ ଅନୁସାରେ ରାଜ୍ୟରେ ସବୁ ପ୍ରକାର ମଦ ଉତ୍ପାଦନ ଓ ବିକ୍ରି ଉପରେ କଟକଣା ଜାରି କରାଯିବା କଥା। ଏହାପରେ ଗତ ଏପ୍ରିଲ ୫ରେ ହାଇକୋର୍ଟ ଏହି ପ୍ରସଂଗରେ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୌତମ କୁମାର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।
The post ହାଇକୋର୍ଟରେ ମଦ ନିଷେଧ ପ୍ରସଙ୍ଗରେ ସରକାରଙ୍କ ସତ୍ୟପାଠ: ଆବେଦନକାରୀଙ୍କୁ ପ୍ରତିଜବାବ ଦାଖଲ ପାଇଁ ନିର୍ଦ୍ଦେଶ first appeared on Sambad.from ଜିଲ୍ଲା | Sambad https://ift.tt/3wRUGnx
0 Comments