ପଟାଙ୍ଗି: କୋଟିଆ ପଞ୍ଚାୟତର ନେରେଡ଼ିବାସଲାରେ ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ‘ପରବ-୨୦୨୧’ ଉଦ୍‌ଘାଟନୀ ଉତ୍ସବ ଆୟୋଜନ କରିବ କୋରାପୁଟ ଜିଲ୍ଲା ପ୍ରଶାସନ। ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ବି ଆରମ୍ଭ ହୋଇ ସାରିଛି। କୋଟିଆ ପଞ୍ଚାୟତ ଓଡ଼ିଶାର ଥିଲା ଏବଂ ରହିଛି ବୋଲି ଦର୍ଶାଇବାକୁ ଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏମିତି ନିଷ୍ପତ୍ତି ନିଆଯାଇଛି। ସୀମାନ୍ତ ଅଞ୍ଚଳର ଲୋକଙ୍କୁ ନେଇ ଲୋକ ମହୋତ୍ସବ ଆରମ୍ଭ କରିବା ବହୁ ଦୃଷ୍ଟିରୁ ଗୁରୁତ୍ବ ବି ବହନ କରୁଛି। କିନ୍ତୁ ଓଡ଼ିଶାର ଏଭଳି ପଦକ୍ଷେପକୁ ନେଇ ଆନ୍ଧ୍ର ବ୍ୟସ୍ତ ଓ ବିବ୍ରତ ଥିବା ଆଜି ପ୍ରମାଣିତ ହୋଇଛି। ପୂର୍ବରୁ କୌଣସି ସୂଚନା ନଥାଇ ଆଜି ନେରେଡିବାଲସାରେ ସାଲୁର ବିଧାୟକ ଏବଂ ପ୍ରଶାସନିକ ଅଧିକାରୀ ସରକାରୀ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଯାହାକୁ ନେଇ ପୁଣି ଚର୍ଚ୍ଚା ଓ ବତର୍କ ଆରମ୍ଭ ହୋଇଛି।

ଓଡ଼ିଶା ପକ୍ଷରୁ ସୀମାରେ ସୁରକ୍ଷା ବଢ଼ାଇ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ତେଣୁ ଅନୁପ୍ରବେଶ ଉଦ୍ଦେଶ୍ୟ ନେଇ ଆସୁଥିବା ଆନ୍ଧ୍ରର ସରକାରୀ କର୍ମଚାରୀ ଏକାଧିକ ଥର ତଡ଼ା ଖାଇଛନ୍ତି। ତଥାପି ଗଳା ବାଟ ଦେଖି ପଶିବାକୁ ଉଦ୍ୟମ ଜାରି ରଖିଥିଲେ। ଏହାରି ମଧ୍ୟରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସବୁଠାରୁ ବଡ଼ ଉତ୍ସବ ‘ପରବ’ ନେରେଡ଼ିବାଲସାରେ ଆୟୋଜନ ହେଉଥିବା ଖବର ପାଇଥିବା ଆନ୍ଧ୍ର। ତେଣୁ ଓଡ଼ିଶାର କାର୍ଯ୍ୟକ୍ରମ ପୂର୍ବରୁ ଜନସମର୍ଥନ ଜୁଟାଇବାକୁ ପୂରା ଜୋର ଲଗାଇ ଦେଇଛି। ଏହିକ୍ରମରେ ଆଜି ତରବରିଆ ଭାବେ ସାଲୁର ବିଧାୟକ ରାଜନ ଦୋରା, ପାର୍ବତୀପୁରମ ଆଇଟିଡିଏ ପ୍ରକଳ୍ପ ଅଧିକାରୀ କୁର୍ମନାଥଙ୍କ ସହ ଅନ୍ୟ ଅଧିକାରୀ ନେରେଡିବାଲସା ନିକଟସ୍ଥ ତାଡ଼ିବାଲସାରେ ପହଞ୍ଚିଥିଲେ। ସରକାରୀ କାର୍ଯ୍ୟକ୍ରମର ଆୟୋଜନ କରି ଶତାଧିକ ଲୋକଙ୍କୁ ଏକାଠି କରିଥିଲେ। ଏଠାରେ ୯ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ହାଟ ବଜାର ବିଶ୍ରାମ ଗୃହ ଏବଂ ୧୬ଲକ୍ଷ ଟଙ୍କାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଫେଡରେସନ ପାଇଁ ଭବନ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେହିପରି ଉପସ୍ଥିତ ଅଞ୍ଚଳବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିବା ଜଣାପଡ଼ିଛି।

କେଉଁ ଆଧାରରେ ଆନ୍ଧ୍ର ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଗଲା ଜଣାପଡ଼ୁନାହିଁ। ଅନ୍ୟପଟେ ଓଡ଼ିଶା ପକ୍ଷରୁ ଆଗକୁ ଏଠାରେ ପଞ୍ଚାୟତ ନିର୍ବାଚନ ହେବ। ସେହିପରି ପରବ ବି ଆୟୋଜନ କରାଯିବ। ତେଣୁ ନେରେଡ଼ବାଲସା ଏବେ ଦୁଇ ରାଜ୍ୟର ଫୋକସ୍‌ରେ ରହିଛି। ଏଥିରୁ ଆଗକୁ ଲଢ଼େଇ ରୋଚକ ହେବ ବୋଲି ଅନୁମାନ କରାଯାଉଛି। ଦେଖିବାକୁ ବାକି ରହିଲା ନେରେଡିବାଲସା ଅଞ୍ଚଳର ଲୋକ ଏହି ଛକାପଞ୍ଝାରେ କେଉଁ ଭଳି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

The post କୋଟିଆରେ ପଶିଲେ ସାଲୁର ବିଧାୟକ, ବିଭିନ୍ନ ପ୍ରକଳ୍ପ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ first appeared on Sambad.

from ଜିଲ୍ଲା | Sambad https://ift.tt/3mBKkVk