ସମ୍ବଲପୁର : ସମ୍ବଲପୁରରେ ପୁଣିଥରେ ଲଭ୍‌ ସେକ୍ସ ଓ ଧୋକାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଜଣେ ଯୁବକ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ପରେ ଗର୍ଭବତୀ ହୋଇଥିବା ଜାଣି ଫେରାର୍‌ ହୋଇଯାଇଥିବା ଘଟଣା ଏବେ ସମ୍ବଲପୁରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପୀଡ଼ିତା ଜଣକ ଜମନକିରା ଅଞ୍ଚଳର। ପିଲାଟି ଦିନରୁ ପୀଡ଼ିତାଙ୍କ ବାପା-ମା’ ନାହାନ୍ତି। ସେମାନେ ୩ ଭଉଣୀ, ପୀଡ଼ିତା ସବୁଠୁ ସାନ। ବଡ଼ ଭଉଣୀ ବିବାହିତ। ଅନ୍ୟ ୨ ଭଉଣୀ, ବଡ଼ ଭଉଣୀ ଓ ଭିଣୋଇଙ୍କ ସହ ରୁହନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ଘର ପାଖରେ ଥିବା ଏକ ରାଇସ୍‌ ମିଲ୍‌ରେ କାମ କରୁଥିବା ଚିନିବାହାଲ ଅଞ୍ଚଳର ଜଣେ ଯୁବକ ଭିନ୍ନକ୍ଷମ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲା। ପରେ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇଥିଲା। ଯୁବକ ଜଣକ ଯୁବତୀଙ୍କୁ ପ୍ରଲୋଭିତ କରି ନିଜ ଗାଁକୁ ଡାକିଥିଲା। ତାପରେ ଏକ ଘରେ ପ୍ରଥମ କରି ଶାରୀରିକ ସମ୍ପର୍କ ରଖିଥିଲା। ଏହା ପରଠୁ ଯୁବକ ଜଣକ ବିଭିନ୍ନ ବାହାନା କରି ଶାରୀରିକ ସମ୍ପର୍କ ରଖିବାରେ ଲାଗିଲା। ଗର୍ଭବତୀ ହେବାର ୩ ମାସ ପରେ ଯୁବତୀ ଜଣକ ଜାଣିବାକୁ ପାଇଥିଲେ। ଗର୍ଭବତୀ ଥିବା ଜାଣିବା ପରେ ଯୁବକଙ୍କୁ ସେ ବିଷୟରେ ଜଣାଇଥିଲେ। କିନ୍ତୁ ଯୁବକ ଜଣକ ଯୁବତୀଙ୍କ କଥାକୁ ବିଶ୍ବାସ କରି ନଥିଲା। ତାପରଠୁ ଯୁବକ ଜଣକ ଯୁବତୀଙ୍କ ସହ ଆଉ ଭଲରେ କଥା ହେଲାନି ଏବଂ ନମ୍ବର ଚେଞ୍ଜ କରିଦେଲା। ଯୁବକଙ୍କ ସାଙ୍ଗର ନମ୍ବର ଆଣି ଯୁବତୀ ଜଣକ ଯୋଗାଯୋଗ କରିବାରୁ ମେଡିସିନ୍‌ ଆଣି ଦେଇଦେବି ବୋଲି ଯୁବକ ଜଣକ କହିଥିଲା। ତେବେ ୭ ମାସ ପରେ ଯୁବକ ଜଣକ ଯୁବତୀଙ୍କୁ ଭେଟି ଗର୍ଭପାତ କରିବାକୁ କହିଥିଲା। ଜଣେ ଡାକ୍ତରଙ୍କ ପାଖକୁ ମଧ୍ୟ ନେଇଥିଲା। କିନ୍ତୁ ଯୁବତୀଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖି ଗର୍ଭପାତ କରିବାକୁ ମନା କରାଯାଇଥିଲା।

ତାପରେ ସେଠାରୁ ସେ ତାଙ୍କ ନାନିଙ୍କ ପାଖକୁ ପଳାଇ ଆସିଲେ। କିନ୍ତୁ ଏସବୁ ଜାଣିବା ପରେ ନାନି ଭିଣୋଇ ତାଙ୍କୁ ଘରୁ ବାହାର କରିଦେଲେ। ଏହାପରେ ଜଣେ ସ୍ବାର୍ଥ୍ୟବାଦୀ ମହିଳା ତାଙ୍କୁ ମିଳିଥିଲେ। ନିଜର ପିଲାଛୁଆ ହେଉନଥିଲା, ତେଣୁ ଯୁବତୀଙ୍କ ପିଲା ହେଲେ ନିଜ ପିଲା ହିସାବରେ ଗ୍ରହଣ କରିବେ ବୋଲି ଭାବି ଯୁବତୀଙ୍କୁ ନିଜ ସରଡ଼ା ସ୍ଥିତ ଘରେ ରଖିଥିଲେ। କିନ୍ତୁ ଯୁବତୀଙ୍କ ପିଲାକୁ ଗ୍ରହଣ କଲେ ଭବିଷ୍ୟତ ବିପଦ ଅଛି ବୋଲି ଜଣେ ଗୁଣିଆଙ୍କୁ ଦେଖାଇବାରୁ ସେ କହିଥିଲା। ତାପରେ ଉକ୍ତ ମହିଳା ଜଣକ ମଧ୍ୟ ତାଙ୍କୁ ଘରୁ ବାହାର କରିଦେଲା। ଏହାପରେ ଜଣେ ସମାଜସେବୀଙ୍କ ଦୃଷ୍ଟିରେ ପଡ଼ିବାରୁ ସେ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଯୁବକ ଜଣକ ଫେରାର୍‌ ହୋଇଯାଇଥିବା ବେଳେ ସୋମବାର ଯୁବତୀ ଜଣକ ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି ଜଣା ପଡ଼ିଛି।

The post ସମ୍ବଲପୁରରେ ପୁଣି ଲଭ୍‌ ସେକ୍ସ ଧୋକା: ଭିନ୍ନକ୍ଷମ ଯୁବତୀଙ୍କୁ ୮ ମାସର ଗର୍ଭବତୀ କରି ଯୁବକ ଫେରାର୍‌ first appeared on Sambad.

from ଜିଲ୍ଲା | Sambad https://ift.tt/3khmH2F