
ଭୁବନେଶ୍ବର: ଦୀପାବଳୀରେ ସଂଧ୍ୟା ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଲୋକମାନେ ସବୁଜ ବାଣ ଫୁଟାଇପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଲୋକ ଏବେ ଖୋଜି ଖୋଜି ବାଣ କିଣୁଛନ୍ତି। ସବୁଜ ବାଣ କ’ଣ ଅଧିକାଂଶ ଲୋକ ଜାଣିନଥିବାରୁ ବାଣ ବ୍ୟବସାୟୀମାନେ ଚୋରାରେ ପୁରୁଣା ବାଣ ବିକୁଛନ୍ତି। ଏପଟେ ପ୍ରଶାସନ କି ପୁଲିସ ଏପର୍ଯ୍ୟନ୍ତ ବାଣ ଦୋକାନ ଖୋଲିବାକୁ ଲାଇସେନ୍ସ ଦେଇନଥିବାରୁ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀ ବି ସବୁଜ ବାଣ ବିକ୍ରି କରିପାରୁନାହାନ୍ତି।
ବାଣକୁ ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ ବଢ଼ୁଥିବା ବେଳେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଏଥିରେ ସବୁଜ ବାଣ ବିକ୍ରି ଓ ବ୍ୟବହାର ସମ୍ବନ୍ଧିତ ସୁପ୍ରିମକୋର୍ଟ ଏବଂ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ସହ ସ୍ବତନ୍ତ୍ର ରିଲିଫ କମିସନରଙ୍କ ଗାଇଡଲାଇନ୍କୁ କଡ଼ାକଡ଼ି ଲାଗୁ କରିବାକୁ ମୁଖ୍ୟ ସଚିବ ସମସ୍ତ ଜିଲ୍ଲାପାଳ ଓ ପୁଲିସ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କହିଛନ୍ତି ଯେ କେବଳ ପେଟ୍ରୋଲିଅମ୍ ବିସ୍ଫୋରକ ନିରାପତ୍ତା ସଂସ୍ଥା (ପେସୋ) ଦ୍ବାରା ସ୍ବୀକୃତିପ୍ରାପ୍ତ ସବୁଜ ବାଣ ବିକ୍ରି ଓ ବ୍ୟବହାର ହୋଇପାରିବ। କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କ ଠାରୁ ଲାଇସେନ୍ସ ନନେଇ କୌଣସି ଦୋକାନୀ ବା ବ୍ୟକ୍ତି ସବୁଜ ବାଣ ବି ବିକ୍ରି କରିପାରିବେନି।
ବୈଠକରେ ଉନ୍ନୟନ କମିସନର ତଥା ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା କହିଥିଲେ ଯେ କେବଳ ମାତ୍ର ସବୁଜ କୋଡ୍ ବା ମାର୍କ ଦେଖାଇ କୌଣସି ବାଣ ବିକ୍ରି ବା ବ୍ୟବହାର କରାଯାଇପାରିବ ନାହିଁ। ବାଣ ବ୍ୟବସାୟୀମାନଙ୍କ ଦ୍ବାରା ଦେଖାଯାଇଥିବା ସାର୍ଟିଫିକେଟ୍ ପେସୋ ସାର୍ଟିଫିେକଟ୍ କି ନୁହେଁ ତାହା ପରୀକ୍ଷା କରାଯିବା ଆବଶ୍ୟକ। ପ୍ରତ୍ୟେକ ଥାନା, ଫାଣ୍ଡି ଏବଂ କ୍ଷେତ୍ରସ୍ତରୀୟ ପୁଲିସ ଅଧିକାରୀମାନଙ୍କୁ ସବୁଜ ବାଣର ବିକ୍ରି ଓ ବ୍ୟବହାର ସମ୍ବନ୍ଧିତ ନିର୍ଦ୍ଦେଶାବଳୀ ବିଷୟରେ ଠିକ୍ ଭାବେ ସଚେତନ କରାଇବା ପାଇଁ ପୁଲିସ ଡିଜି ଅଭୟ ଏହି ବୈଠକରେ ସମସ୍ତ ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
The post ବେଆଇନ୍ ବାଣ ବିକିଲେ କାର୍ଯ୍ୟାନୁଷ୍ଠାନ, ସବୁଜ ବାଣ ନିୟମ କଡ଼ାକଡ଼ି ଲାଗୁ ପାଇଁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ first appeared on Sambad.from ଜିଲ୍ଲା | Sambad https://ift.tt/2ZKPUMb
0 Comments