ବୌଦ୍ଧ : ବୌଦ୍ଧ ଏନ୍‌ଏସିକୁ ମ୍ୟୁନିସିପାଲିଟିକୁ ଉନ୍ନିତ କରିବା ଦାବି ନୂଆ ନୁହେଁ। ଜିଲ୍ଲା ଗଠନ ହେବା ପରଠାରୁ ବିଭିନ୍ନ ସଂଗଠନ ଦାବି ଉପସ୍ଥାପନ କରି ଆସୁଛନ୍ତି। ନାଗରିକ କମିଟି ପକ୍ଷରୁ ଲଗାତର ଭାବରେ ବିଭିନ୍ନ ସ୍ତରରେ ଦାବି କରାଯାଉଛି। ଗତ ସପ୍ତାହରେ ନାଗରିକ କମିଟି ପକ୍ଷରୁ ଅନୁ‌ଷ୍ଠିତ ଧାରଣାରେ ଜିଲ୍ଲାର ପ୍ରମୁଖ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ। ଏହାକୁ ପ୍ରମୁଖ ଦାବି କରି ଜିଲ୍ଲା ସଭାପତି ନବକୁମାର ମିଶ୍ରଙ୍କ ନେତୃତ୍ବରେ କଂଗ୍ରେସ ଦଳ ସୋମବାରଠାରୁ ତିନି ଦିନିଆ ଅହୋରାତ୍ର ଧାରଣା ଆରମ୍ଭ କରିଛି।

ଶ୍ରୀ ମିଶ୍ରଙ୍କ ଅଭିଯୋଗ ହେଲା, ପ୍ରସ୍ତାବିତ ବୌଦ୍ଧ ମ୍ୟୁନିସିପାଲିଟି ଅଧୀନକୁ ଆସୁଥିବା ସରସରା ଓ ମୁର୍ଷୁଣ୍ଡି ପଞ୍ଚାୟତର ଗ୍ରାମଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ପାଇଁ ସଂପୃକ୍ତ ପଞ୍ଚାୟତ ପକ୍ଷରୁ ଏନ୍‌ଓସି ମଧ୍ୟ ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରଶାସନ ମଧ୍ୟ ତଦନ୍ତ କରି ଅନ୍ତିମ ଚିଠା ଗତ ଅଗଷ୍ଟ ମାସରୁ ନଗର ଉନ୍ନୟନ ବିଭାଗକୁ ପଠାଇଥିବା ଜଣାଯାଇଛି। ତେଣୁ ପୌର ନିର୍ବାଚନ ଚିଠା ପ୍ରସ୍ତୁତ କରିବା ପୂର୍ବରୁ ବୌଦ୍ଧକୁ ମ୍ୟୁନିସିପାଲିଟି ଘୋଷଣା କରିବା କଥା। କିନ୍ତୁ ରାଜ୍ୟ ସରକାର ଚୁପ ରହିଛନ୍ତି। ଫଳରେ ଆଗାମୀ ଦିନରେ କଂଗ୍ରେସ ଦଳ ଧାରାବାହିକ ଆନ୍ଦୋଳନ କରିବ। ସେହିପରି କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ ଓ ପୁରୁଣାକଟକ ଆଦି ସହରଗୁଡ଼ିକ ଏନ୍‌ଏସି ଘୋଷଣା ପାଇଁ ସମସ୍ତ ଯୋଗ୍ୟତା ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଯାଇଛି। ଏବେ ରାଜ୍ୟ ସରକାର କେବଳ ଘୋଷଣା କରିବା ବାକି ରହିଛି।

ଏହା ପୂର୍ବରୁ କଂଗ୍ରେସ ଦଳ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲା। ଶିଶୁ ଦିବସ ପର୍ଯ୍ୟନ୍ତ ଦିଆଯାଇଥିବା ସମୟସୀମା ମଧ୍ୟରେ ଦାବିଗୁଡ଼ିକ ପୂରଣ ନହେବାରୁ ଧାରଣା ଆରମ୍ଭ ହୋଇଛି ବୋଲି ପ୍ରକାଶ କରିଛନ୍ତି। ଧାରଣାରେ ବରିଷ୍ଠ ନେତା ସୁଧୀର କର୍ଣ୍ଣ, ଜିଲ୍ଲା କଂଗ୍ରେସ ମୁଖପାତ୍ର ଶାନ୍ତନୁ ମହାପାତ୍ର, ଆଇନ ସେଲ ଅଧ୍ୟକ୍ଷ ବିଶ୍ବଜିତ ମିଶ, ଜିଲ୍ଲା ଉପସଭାପତି ସମରେଶ ମିଶ୍ର, ପ୍ରଦ୍ୟୁମ୍ନ ଧଳ, ଅର୍ଜୁନ ମହାନନ୍ଦିଆ, ତାରିଣୀ ଜେନା, ପ୍ରଦୀପ ଦାସ, ପଙ୍କଜ କର୍ଣ୍ଣ, ପୌଲସ୍ତି ପ୍ରଧାନ, ମହମ୍ମଦ ହାସନ, ମାନଭଞ୍ଜନ ସାମଲ, ନିରାକାର ବେହେରା, ଗୌରୀ ଲୁହା, ମମିତା ମହାନନ୍ଦିଆ, ମଞ୍ଜିତା ମହାନନ୍ଦିଆ, ରଞ୍ଜିତା ବେହେରାଙ୍କ ସହ ଅନେକ ଦଳୀୟ କର୍ମୀ ସାମିଲ ‌ହୋଇଛନ୍ତି।

The post ବୌଦ୍ଧକୁ ମ୍ୟୁନିସିପାଲିଟି ଘୋଷଣା ଦାବି, କଂଗ୍ରେସର ଅହୋରାତ୍ର ଧାରଣା first appeared on Sambad.

from ଜିଲ୍ଲା | Sambad https://ift.tt/3wPMHaj