କୋରାପୁଟ: ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ସ୍ବାସ୍ଥ୍ୟସେବା ଗମ୍ଭୀର ହେବାରେ ଲାଗିଛି। ତେବେ ଲୋକଙ୍କୁ ଏଥିରୁ ମୁକ୍ତି ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ଜିଲ୍ଲାକୁ ସାମିଲ କରାଯାଇଛି। ଦେୟମୁକ୍ତ ସ୍ବାସ୍ଥ୍ୟସେବା ପାଇବା ପାଇଁ ଶେଷ ସପ୍ତାହ ଆଡକୁ ଜିଲ୍ଲାରେ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ କରାଯିବ। ହେଲେ ୧୪ ଲକ୍ଷ ଲୋକ ସଂଖ୍ୟା ବିଶିଷ୍ଟ ଜିଲ୍ଲାକୁ ୩ ଲକ୍ଷ ୭୦ ହଜାର କାର୍ଡ ଆସିଥିବା ଜଣାପଡିବା ପରେ ଯୋଜନାର ସଫଳତାକୁ ନେଇ ପ୍ରଶ୍ନ ଉଠିଛି। ଏତିକି କାର୍ଡରେ କେବଳ ୩୫ ପ୍ରତିଶତ ଲୋକଙ୍କୁ ସେବା ମିଳୁଥିବାବେଳେ ୬୫ ପ୍ରତିଶତ ଲୋକ ଏଥିରୁ ବଞ୍ଚିତ ହେବା ଜଳଜଳ ଦିଶୁଛି। ଆଗାମୀ ଦିନରେ ଏହି ଯୋଜନା ତୃଣମୂଳସ୍ତରରେ ପହଞ୍ଚିବ କି ନାହିଁ ତାକୁ ନେଇ ଜିଲ୍ଲାବାସୀ ସନ୍ଦୀହାନ ହୋଇପଡ଼ିଛନ୍ତି।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ସରକାରଙ୍କ ଏକ ମହତ୍ତ୍ବାକାଂକ୍ଷୀ ଯୋଜନା। ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ସହ ସମାଜର ଆର୍ଥିକ ଅନଗ୍ରସର ପରିବାରଙ୍କୁ ସ୍ୱାସ୍ଥ୍ୟ ସେବାଜନିତ ଖର୍ଚ୍ଚରୁ ମୁକ୍ତି ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଅନ୍ୟପକ୍ଷରେ ଏହି ଯୋଜନା ଦ୍ବାରା ପ୍ରଥମତଃ ସାର୍ବଜନୀନ ଦେୟ ମୁକ୍ତ ସେବା (ଜାତି, ଆୟ, ବାସସ୍ଥାନ ନିର୍ବିଶେଷରେ) ଓଡିଶାର ସମସ୍ତ ସରକାରୀ ସ୍ୱାସ୍ଥ୍ୟ ଉପକେନ୍ଦ୍ରଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସମସ୍ତଙ୍କ ସକାଶେ ଉପଲବ୍ଧ କରିବା। ଦ୍ବିତୀୟତଃ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ଊର୍ଦ୍ଧ୍ବ ଚିକିତ୍ସାଳୟରେ ଓଡିଶାର ୭୦ ଲକ୍ଷରୁ ଅଧିକ ଆର୍ଥିକ ଅନଗ୍ରସର ପରିବାର ପିଛା ବାର୍ଷିକ ୫ ଲକ୍ଷ ଓ ପରିବାରର ମହିଳା ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ସେବା ଯୋଗାଇଦେବା। ତେବେ ଯେତିକି କାର୍ଡ ଆସିଛି ସମୁଦ୍ରକୁ ଶଙ୍ଖେ ହୋଇଥିବାରୁ କୋରାପୁଟ ଭଳି ଗରିବ ଜିଲ୍ଲାରେ ସରକାରଙ୍କ ଏହି ଉଦ୍ଦେଶ୍ୟ କେତେ ସଫଳ ହେବ ତାକୁ ନେଇ ଜିଲ୍ଲାବାସୀ ଚିନ୍ତା ପ୍ରକଟ କରିଛନ୍ତି।

କୋରାପୁଟ ଜିଲ୍ଲାର ୧୪ ବ୍ଲକରେ ସାଧାରଣତଃ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଲୋକ ଭରି ରହିଛନ୍ତି। ପାହାଡପର୍ବତ ଘେରା ଏହି ଜିଲ୍ଲାର ଲୋକେ ଜିଲ୍ଲା ଚିକିତ୍ସାଳୟ ଓ ଏସଏଲଏନ ମେଡିକାଲ କଲେଜ ଉପରେ ନିର୍ଭରଶୀଳ। ଯଦି ଏହିଠାରେ ରୋଗର ନିଦାନ ହୋଇପାରିଲାନି ତେବେ ପ୍ରଥମ ପସନ୍ଦ ଆନ୍ଧ୍ରର ବିଶାଖାପାଟଣା ଓ ପରେ ଛତିଶଗଡର ରାୟପୁର। ଏହିଠାରୁ ଲୋକେ ପଡୋଶୀ ରାଜ୍ୟକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି। ଏହି ଯୋଜନା ମାଧ୍ୟମରେ କିଛି ରହାତି ମିଳିବ ବୋଲି ଆଶା କରାଯାଉଥିଲା। ହେଲେ ମାତ୍ର ୩ଲକ୍ଷ ୭୦ ହଜାର ଲୋକଙ୍କୁ ଏହି କାର୍ଡ ମିଳିବାକୁ ରହିଥିବାବେଳେ ଅନ୍ୟମାନେ କିପରି  ସୁଯୋଗ ନେବେ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ପ୍ରତି ବ୍ଲକକୁ ପ୍ରାୟ ୨୦ ହଜାରରୁ ୨୭ ହଜାର କାର୍ଡ ପଡୁଛି। ଏହି କାର୍ଡ ଦ୍ବାରା ୧୫୮୯ ପ୍ରକାର ରୋଗରୁ ମୁକ୍ତି ମିଳିବାକୁ ଥିବାବେଳେ କିପରି ସବୁ ପରିବାରକୁ ଏହି ସୁବିଧା ମିଳିବ ତାହାକୁ ନେଇ ଲୋକେ ସନ୍ଦୀହାନ ହୋଇପଡ଼ିଛନ୍ତି।

ଏନେଇ ଆମେ ଜିଲ୍ଲାର ବୁଦ୍ଧିଜୀବୀ ଭବାନୀ ମିଶ୍ରଙ୍କୁ ଭେଟିଥିଲୁ। ତାଙ୍କ କହିବାନୁଯାୟୀ କୋରାପୁଟ ଜିଲ୍ଲା ପାଇଁ ସ୍ବାସ୍ଥ୍ୟ ସେବା ଗୁରୁତ୍ବପୂର୍ଣ୍ଣ। ସରକାର ସିନା ଏସଏଲଏନ ମେଡିକାଲ କଲେଜ କରିଦେଲେ କିନ୍ତୁ ସୁବିଧା ନାହିଁ। ଲୋକେ ମେଡିକାଲ କଲେଜ ଶୁଣି ଆସି ଯେଉଁ ହଇରାଣ ହେଉଛନ୍ତି ତାହା ଆଖିରେ ନ ଦେଖିଲେ ବିଶ୍ବାସ କରି ହେବନି। ଏଣେ ଜିଲ୍ଲାକୁ ମାତ୍ର ୩ ଲକ୍ଷ ୭୦ ହଜାର କାର୍ଡ କେଉଁ କୋଣକୁ ନୁହେଁ। ଦ୍ବିତୀୟ ପର୍ଯ୍ୟୟ କରି ଏହି ସ୍ମାର୍ଟସଂଖ୍ୟାକୁ ବୃଦ୍ଧି କରାଯାଉ ବୋଲି ସେ ଦାବ କରିଛନ୍ତି। ଏନେଇ ସିଡିଏମଓ ମକରନ୍ଦ ବେଉରାଙ୍କୁ ଭେଟିବାରୁ ତାଙ୍କ କହିବାନୁସାରେ ଚଳିତ ମାସ ଶେଷ ସପ୍ତାହ ଆଡକୁ ମୁଖ୍ୟମନ୍ତ୍ରୀ ଏହି ସେବାକୁ ଜିଲ୍ଲାରେ ଲୋକାର୍ପିତ କରିବାର ଯୋଜନା ରହିଛି। ଜିଲ୍ଲା ପାଇଁ ୩ଲକ୍ଷ ୭୦ ହଜାର କାର୍ଡ ପ୍ରଦାନ କରାଯାଇଛି, ଆସନ୍ତା ଦିନରେ ସରକାରଙ୍କ ଯୋଜନା କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।

The post ୧୪ ଲକ୍ଷ ଲୋକଙ୍କୁ ୩ ଲକ୍ଷ ୭୦ ହଜାର ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ first appeared on Sambad.

from ଜିଲ୍ଲା | Sambad https://ift.tt/3FAN4ZQ