ବାରିପଦା: ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜରେ ଦେଖାଦେଇଛି ସ୍ବତଃସ୍ଫୁର୍ତ୍ତ ବିରୋଧର ପରିଭାଷା। ଆଜି ବିନା କୌଣସି ରାଜନୈତିକ ଦଳ କିମ୍ବା କୌଣସି ସଂଗଠନ ସହାୟତାରେ ଏକକାଳୀନ ବାରିପଦା ଓ କପ୍ତିପଦା ସବଡିଭିଜନର ୧୧ଟି ବ୍ଲକ୍ ସମ୍ମୁଖରେ ମୌଳିକ ସମସ୍ୟାର ସମାଧାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ୧୦ ଦିନ ନପୁରୁଣୁ ଜିଲ୍ଲାର ସଦରମହକୁମା ବାରିପଦା ବ୍ଲକ୍ ସମେତ ଶ୍ୟାମାଖୁଣ୍ଟା ଏବଂ ଅନ୍ୟାନ୍ୟ ବ୍ଲକରେ ଏପରି ବିକ୍ଷୋଭ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଜିଲ୍ଲାରେ ସକ୍ରିୟ ରାଜନୈତିକ ଦଳଗୁଡ଼ିକ ନିକଟରେ ମଧ୍ୟ ବିଶେଷ କୌଣସି ସୂଚନା ନଥିବା ଜଣାପଡ଼ିଛି।

ଆଜି ପୂର୍ବାହ୍ନରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଗ୍ରାମବାସୀ ନିଜ ଅଞ୍ଚଳ ଏବଂ ଗ୍ରାମରେ ରହିଥିବା ରାସ୍ତା, ପାନୀୟ ଜଳ ଭଳି ବହୁ ମୌଳିକ ସମସ୍ୟାର ସମାଧାନ ପାଇଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ପ୍ରଦର୍ଶନ କରିବା ସହିତ ଦାବିପତ୍ର ପ୍ରଦାନ କରିଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ସମସ୍ୟା ଗୁଡିକର ସମାଧାନ କରାନଯାଏ ତେବେ ଗ୍ରାମବାସୀମାନେ ସାମୂହିକ ଭୋଟ ବର୍ଜନ କରିବାର ନିଷ୍ପତି ନେଇଥିବା ଦାବିପତ୍ରରେ ଉଲ୍ଲେଖ କରିଥିବା ଜଣାପଡିଛି । ବାରିପଦା ବ୍ଲକ୍ ଆଗରେ ମଧ୍ୟ ଆଜି ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସଂଖ୍ୟାଧିକ ମହିଳା-ପୁରୁଷ।

ତେବେ ଏପରି ସ୍ବତଃସ୍ଫୁର୍ତ୍ତ ଆନ୍ଦୋଳନ ବିଜେଡି, ବିଜେପି ଭଳି ରାଜନୈତିକ ଦଳଗୁଡ଼ିକ ପାଇଁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶୁଭ ସୂଚନା ନୁହେଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଜିଲ୍ଲାରେ ବିକାଶ ହୋଇଥିଲେ ମଧ୍ୟ ଏବେବି ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ସହିତ ଏକାଧିକ ମୌଳିକ ସମସ୍ୟା ସହିତ ଯୁଝୁଛନ୍ତି ଜିଲ୍ଲାବାସୀ। ତେଣୁ ଏପରି ଆନ୍ଦୋଳନ ମୁଣ୍ଡ ଟେକୁଥିବା କୁହାଯାଉଛି। ଏପରି ହେଲେ ସରକାରୀ ଦଳ ବିଜେଡି ପାଇଁ ମଧ୍ୟ ସମସ୍ୟା ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି।

The post ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜରେ ବିରୋଧର ଭିନ୍ନ ତରିକା first appeared on Sambad.

from ଜିଲ୍ଲା | Sambad https://ift.tt/3BEM4RQ