
ରାଉରକେଲା/ଗୁରୁଣ୍ଡିଆ : ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଗୁରୁଣ୍ଡିଆ ପଞ୍ଚାୟତର ଶିଶୁ ଉଦ୍ୟାନ ଚିତ୍ର ସାଂସଦଙ୍କ ଆଦର୍ଶ ପଞ୍ଚାୟତର ବିକାଶ ବଖାଣୁଛି। କେବଳ ଶିଶୁ ଉଦ୍ୟାନ ନୁହେଁ ରାସ୍ତା ଆଲୋକୀକରଣ ସହ ଅନ୍ୟାନ୍ୟ ପ୍ରକଳ୍ପରେ ମଧ୍ୟ ସେହି ସମାନ ସ୍ଥିତି। ଯେତେଗୁଡ଼ିକ ବିକାଶମୂଳକ କାମ ଆଦର୍ଶ ପଞ୍ଚାୟତରେ ସରିଛି। ଆଗକୁ ହେବାକୁ ଯାଉଥିବା ପ୍ରକଳ୍ପଗୁଡ଼ିକ ସାଂସଦ ଜୁଏଲ ଓରାମ ସମୀକ୍ଷା କରିଛନ୍ତି କି ? ଯଦି ସାଂସଦ ଏସବୁ ପ୍ରକଳ୍ପର ସ୍ଥିତି ନିଜେ ପରଖିଥାନ୍ତେ, ଆଜି ଏଭଳି ସ୍ଥିତି ଉପୁଜି ନଥାନ୍ତା ? ଏମିତି ପ୍ରଶ୍ନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ।
ଶିଶୁ ଉଦ୍ୟାନ, ରାସ୍ତା ଆଲୋକୀକରଣ ନୁହେଁ ବର୍ଷ ବର୍ଷ ଧରି ପ୍ରସ୍ତାବରେ ଅଟକିଛି ବହୁ ପ୍ରତୀକ୍ଷିତ କଲ୍ୟାଣ ମଣ୍ଡପ। ଏଥିପାଇଁ ଗୁରୁଣ୍ଡିଆ ପଞ୍ଚାୟତରେ ଜାଗା ଚିହ୍ନଟ ହୋଇଛି। କିନ୍ତୁ ଅଦ୍ୟାବଧି କାମ ଆରମ୍ଭ ହୋଇ ନାହିଁ। କେବେ ନିର୍ମାଣ କାମ ଆରମ୍ଭ ହେବ କାହାରି ପାଖରେ ସଠିକ୍ ଉତ୍ତର ନାହିଁ। ୧୨ ଲକ୍ଷ ଟଙ୍କାରେ ନିର୍ମିତ ଶିଶୁ ଉଦ୍ୟାନ୍ ଓ ହନୁମାନଙ୍କ ପ୍ରତିମୂର୍ତ୍ତି ଜରାଜୀର୍ଣ୍ଣ ଅବସ୍ଥାରେ ସେମିତି ପଡିଛି। ତାଲା ଝୁଲୁଥିବା ପାର୍କ ଉଦ୍ଘାଟନ ହୋଇ ନାହିଁ କିନ୍ତୁ ଶିଶୁମାନଙ୍କ ଆମୋଦପ୍ରମୋଦ ପାଇଁ ଲାଗିଥିବା ଖେଳ ଉପକରଣ ଭାଙ୍ଗିରୁଜି ଗଲାଣି। କହିବାକୁ ଗଲେ ପାର୍କ ଏକ ପ୍ରକାର ଜଙ୍ଗଲରେ ପରିଣତ ହୋଇଛି। ସେମିତି ତହସିଲ ଅଫିସ୍ରୁ ପାର୍କ ଓ ଏହାର ଚତୁଃପାର୍ଶ୍ବରେ ୬ ଲକ୍ଷ ଟଙ୍କାରେ ହୋଇଥିବା ଆଲୋକୀକରଣ ବ୍ୟବସ୍ଥା ବି ୬ ମାସ ଗଲାଣି। ଅର୍ଦ୍ଧାଧିକ ବିଦ୍ୟୁତ୍ ଖୁଣ୍ଟି ରାସ୍ତାରେ ଭାଙ୍ଗି ପଡିଛି। କିଛି ଖୁଣ୍ଟିରେ ଆଲୋକ ଜଳୁନି। ପୁଣି କେଉଁଠି ମିଞ୍ଜିମିଞ୍ଜି ହୋଇ ଜଳୁଛି। ମରାମତି କରିବାକୁ ଯେମିତି କାହାରି ପାଖରେ ସମୟ ନାହିଁ। ଗୁରୁଣ୍ଡିଆ ବସ୍ଷ୍ଟାଣ୍ଡ ଓ ଯାତ୍ରୀ ପ୍ରତୀକ୍ଷାଳୟ ବାବଦରେ ୬୫ ଲକ୍ଷ ୭୬ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ବସ୍ଷ୍ଟାଣ୍ଡରେ ହୋଇଥିବା କାମ୍ କିନ୍ତୁ ଓଲଟା ଚିତ୍ର ବୟାନ କରୁଛି।

ମିଳିଥିବା ସୂଚନା ମୁତାବକ ଆଦର୍ଶ ପଞ୍ଚାୟତରେ ୭୯ଟି ପ୍ରକଳ୍ପ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଅଦ୍ୟାବଧି କୁଆଡେ ୫୪ରୁ ଅଧିକ ପ୍ରକଳ୍ପ କାମ ସରିଛି। ଆହୁରି ପ୍ରାୟ ୧୭ ପ୍ରକଳ୍ପ କାମ ଚାଲିଛି। ସେମିତି ବସ୍ଷ୍ଟାଣ୍ଡର ଗାଡୱାଲ୍ ଓ ପାଚେରୀ ନିର୍ମାଣରେ ୩୦ ଲକ୍ଷ , ବଡଗାଁ ସୀତାରାମ ହାଉସ ସମ୍ମୁଖରେ ପ୍ରାୟ ୪ ଲକ୍ଷ ଟଙ୍କା ବ୍ୟୟରେ ସୌରଚାଳିତ ପାଇପ ପାଣି ଯୋଗାଣ ବ୍ୟବସ୍ଥା, ବସ୍ଷ୍ଟାଣ୍ଡରେ ୯ ଲକ୍ଷ ଟଙ୍କା ବ୍ୟୟରେ ୧୩ଟି ମାର୍କେଟ ସେଡ୍, ୨୦ ଲକ୍ଷ ଟଙ୍କା ବ୍ୟୟରେ ବସ୍ଷ୍ଟାଣ୍ଡ ନିର୍ମାଣ ଓ ଯାତ୍ରୀ ପ୍ରତୀକ୍ଷାଳୟ କରାଯାଇଛି। ଏଥିସହ ଗ୍ରାମ୍ୟ ରାସ୍ତା, ପୋଲ ଆଦି ପ୍ରକଳ୍ପ ନିର୍ମାଣ ବାବଦରେ ସାଂସଦ ଓ ବିଭିନ୍ନ ପାଣ୍ଠିରୁ ପ୍ରାୟ ୬୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ମୋଟାମୋଟି ଭାବେ ଗୁରୁଣ୍ଡିଆ ଆଦର୍ଶ ପଞ୍ଚାୟତରେ କୋଟି କୋଟି ଟଙ୍କାର ବିକାଶମୂଳକରୁ ଅର୍ଦ୍ଧାଧିକ ଆଣ୍ଠେଇଛି। ବିଭାଗୀୟ ଅଧିକାରୀ, ଠିକା ସଂସ୍ଥାର ଖାମଖିଆଲି ମନୋଭାବ ଯୋଗୁଁ ଆଦର୍ଶ ପଞ୍ଚାୟତର ଏମିତି ସ୍ଥିତି ବୋଲି ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି।
ସାଂସଦ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରି ଏଭଳି ତ୍ରୁଟି କରିଥିବା ବିଭାଗ ଓ ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, ରାଇକେଳାପୋଷ, ମଧୁପୁର, କଣ୍ଟାପାଲି, ନୈନାପାଲି, ବଡଗାଁ ସମେତ ଅନ୍ୟ କିଛି ଗାଁ ଓ ବସ୍ତିକୁ ନେଇ ଗୁରୁଣ୍ଡିଆ ପଞ୍ଚାୟତ ଗଠିତ। ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଜିଲ୍ଲାର ଏହି ପଞ୍ଚାୟତକୁ ସାଂସଦଙ୍କ ଆଦର୍ଶ ପଞ୍ଚାୟତ ନେଇଛନ୍ତି।
The post ସାଂସଦଙ୍କ ଆଦର୍ଶ ପଞ୍ଚାୟତରେ ବିକାଶ ବାଟବଣା, କାମରେ ଆସୁନି ଅର୍ଦ୍ଧାଧିକ ପ୍ରକଳ୍ପ first appeared on Sambad.from ଜିଲ୍ଲା | Sambad https://ift.tt/3wjKhRl
0 Comments