
ରାଇଘର : ମହାପ୍ରୟାଣ ଗାଡ଼ି ନଆସିବାରୁ ପରିବାର ଲୋକେ ମୃତ ଦେହକୁ ଅଟୋ ସାହାଯ୍ୟରେ ଘରକୁ ନେଇଯିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦରମହକୁମାଠାରେ। ସ୍ଥାନୀୟ କଦୋଭଟା ସାହିର ଜଣେ ଯୁବକ ରାଇଘର ମେଡ଼ିକାଲରେ ହୃଦଘାତରେ ମୃତ୍ୟୁବରଣ କରିବା ପରେ ତାଙ୍କ ମର ଶରୀର ନେବାକୁ ମହାପ୍ରୟାଣ ଗାଡ଼ି ନଆସିବାରୁ ପରିବାର ଲୋକେ ଦୀର୍ଘକାଳ ଅପେକ୍ଷା କରି ଶେଷରେ ଅଟୋ ସାହାଯ୍ୟରେ ଘରକୁ ନେଇ ଯାଇଥିଲେ।
ସୂଚନା ଅନୁଯାୟୀ କୋଦଭଟା ସାହିର ଅମରଜିତ୍ ହରିଜନ (୩୨) ଆଜି ସନ୍ଧ୍ୟା ୫ଟା ସମୟରେ ହଠାତ୍ ଅସୁସ୍ଥ ହୋଇପଡିବାରୁ ପରିବାର ଲୋକେ ତାଙ୍କୁ ରାଇଘର ମେଡ଼ିକାଲକୁ ନେଇ ଯାଇଥିଲେ। ମେଡିକାଲରେ ପହଞ୍ଚିବା ବେଳକୁ ସେ ଗୁରୁତର ହୋଇ ପଡ଼ିଥିଲେ। ମେଡ଼ିକାଲରେ କାର୍ଯ୍ୟରତ ଫାର୍ମାସିଷ୍ଟ ରୋଗୀଙ୍କୁ ଦେଖି ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ମେଡ଼ିକାଲରେ ଅକ୍ସିଜେନର ସୁବିଧା ନଥିବା ସହିତ ଡକ୍ଟର ଆସିବାରେ ବିଳମ୍ବ ହେବାରୁ ଅମରଜିତ୍ଙ୍କ ମୃତ୍ୟୁ ଘଟିଥିବା ସମ୍ପର୍କୀୟମାନେ ଅଭିଯୋଗ କରିଥିଲେ। ସେହିପରି ମହାପ୍ରୟାଣ ଗାଡ଼ିକୁ ଅପେକ୍ଷା କରି ପ୍ରାୟ ତିନି ଘଣ୍ଟା ବିତିଯାଇ ଥିଲେ ସୁଦ୍ଧା ଉକ୍ତ ଗାଡି ନ ଆସିବାରୁ ଶେଷରେ ପାରିବାର ଲୋକେ ବାଧ୍ୟ ହୋଇ ଅଟୋ ସାହାଯ୍ୟରେ ମୃତ ଦେହକୁ ଘରକୁ ନେଇ ଯାଇଥିଲେ ବୋଲି ପ୍ରକାଶ କରିଛନ୍ତି।
ବର୍ତ୍ତମାନ ବିଜୁ ସ୍ୱାସ୍ଥ୍ୟ କାର୍ଡ ଓଡ଼ିଶା ସାରା ବଣ୍ଟା ଯାଉଥିବା ବେଳେ ରାଇଘର ମେଡ଼ିକାଲରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ସରକାର ବିଫଳ ହୋଇଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହୋଇଥିଲା। ଅପରପକ୍ଷରେ ଏ ନେଇ ଡାକ୍ତର ଋପେସ ଢାଲିଙ୍କୁ ପଚାରିବାରୁ ଯୁବକ ମେଡିକାଲରେ ପହଞ୍ଚିବା ଆଗରୁ ତାଙ୍କର ମୃତ୍ୟୁ ଘଟିଥିବା ସହିତ ମହାପ୍ରୟାଣ ଗାଡ଼ି ଆସିବା ପୂର୍ବରୁ ପରିବାର ଲୋକେ ମୃତ ଦେହ ଘରକୁ ନେଇ ଯାଇଥିଲେ ବୋଲି ପ୍ରକାଶ କରିଛନ୍ତି।
The post ମହାପ୍ରୟାଣ ଗାଡ଼ି ନଆସିବାରୁ ଅଟୋ ସାହାଯ୍ୟରେ ବୁହା ହୋଇ ଘରକୁ ନିଆଗଲା ମୃତଦେହ first appeared on Sambad.from ଜିଲ୍ଲା | Sambad https://ift.tt/3EBviVS
0 Comments