ବାତ୍ୟା ଦୁର୍ବଳ, ବର୍ଷା ମୁକାବିଲା ପାଇଁ ପ୍ରଶାସନର ତତ୍ପରତା

ଖୋର୍ଦ୍ଧା: ବାତ୍ୟା ଜୱାଦ ନେଇ ଯେଉଁ କଳ୍ପନାଜଳ୍ପନା କରାଯାଉଥିଲା, ତାହା ଭୁଲ ପ୍ରମାଣିତ ହେବାରେ ଲାଗିଛି। ବାତ୍ୟାର ପ୍ରଭାବ ଶନିବାର ଅପରାହ୍ନରୁ ଅନୁଭୂତ ହେବ ବୋଲି କୁହାଯାଉଥିଲା, କିନ୍ତୁ ତାହା ହୋଇନାହିଁ। ପବନର ପ୍ରଭାବ ନଥିବା ବେଳେ ଏହା ପ୍ରଭାବରେ ଶୁକ୍ରବାର ରାତି ଠାରୁ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣବର୍ଷା ଜାରି ରହିଛି। ଆଜି ଗୋଟିଏ ଦିନରେ ପୂର୍ବ ସମସ୍ତ ରେକର୍ଡ ଭାଙ୍ଗି ଦୁଇଦିନ ମଧ୍ୟରେ ହାରାହାରି ପ୍ରାୟ ୩୨ମିମି ବର୍ଷା ହୋଇଛି। ପାଣିପାଗ ବିଭାଗର ସୂଚନାନୁସାରେ, ଆଜି ସକାଳ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ (ଭୁବନେଶ୍ୱର ମହାନଗର ନିଗମ ବ୍ୟତୀତ) ୧୭୪.୮ ମିମି (ହାରାହାରି ୧୭.୪୮ ମିମି) ବର୍ଷା ରେକର୍ଡ କରାଯାଇଥିଲା। ସନ୍ଧ୍ୟା ୫ଟା ବେଳକୁ ଅତିରିକ୍ତ ୧୫.୯ ମିମି ବର୍ଷା ହୋଇଥିଲା। ଆଜି ସକାଳେ ରେକର୍ଡ କରାଯାଇଥିବା ବର୍ଷା ପରିମାଣରେ, ବାଲିଅନ୍ତାରେ ୪୧ ମିମି, ବାଲିପାଟଣାରେ ୧୪.୮ ମିମି, ଭୁବନେଶ୍ୱର ବ୍ଲକରେ ୧୨ ମିମି, ଜଟଣୀରେ ୧୦ ମିମି, ବାଣପୁରରେ ୨୨ ମିମି, ବେଗୁନିଆରେ ୧୨ ମିମି, ବୋଲଗଡ଼ରେ ୭ ମିମି, ଚିଲିକାରେ ୨୪ ମିମି, ଖୋର୍ଦ୍ଧାରେ ୯ ମିମି ଓ ଟାଙ୍ଗୀରେ ୨୩ ମିମି ବର୍ଷା ହୋଇଛି।

ପରିସଂଖ୍ୟାନରେ, ଜିଲ୍ଲାର ଅନ୍ୟ ବ୍ଲକ ଅପେକ୍ଷା ଚିଲିକା ଉପକୂଳ ବ୍ଲକରେ ସର୍ବାଧିକ ବର୍ଷା ହୋଇଛି। ତେବେ ଡିସେମ୍ବର ମାସ ୪ ତାରିଖରେ ସାଧାରଣତଃ ୦.୨ ମିମି ବର୍ଷା ରେକର୍ଡ କରାଯାଇଥାଏ। କିନ୍ତୁ ଜୱାଦ୍ ଯୋଗୁଁ ଏହା ୩୬ ଘଣ୍ଟାରେ ୩୨ ମିମି ବର୍ଷା ହୋଇଛି। ତେବେ ଡିସେମ୍ବର ୧ ତାରିଖ ଠାରୁ ୪ ତାରିଖ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସାଧାରଣତଃ ୧୮୩ ମିମି ବର୍ଷା ହୋଇଥିବା ବେଳେ ଚଳିତବର୍ଷ ଜୱାଦ ବାତ୍ୟାଜନିତ ବର୍ଷା ସତ୍ୱେ ୧୭୯ ମିମି ରହିଛି। ଜିଲ୍ଲା ପ୍ରଶାସନ ଠାରୁ ମିଳିଥିବା ସୂଚନାରେ, ଶନିବାର ଚିଲିକାର ଗୋଟିଏ କେନ୍ଦ୍ରରେ ୮୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି ଓ ସେଠାରେ ମାଗଣା ରନ୍ଧନ ବ୍ୟବସ୍ଥା କରାଯାଇଛି। ଏହାସହ ଜିଲ୍ଳାରେ ୨ଟି ଏନ୍‌ଡ଼ିଆର୍‌ଏଫ୍, ୪ଟି ଅଗ୍ନିଶମ ବିଭାଗ ଓ ଗୋଟିଏ ଓଡିଆର୍ଏଫ୍ ଟିମ୍ ମୁତୟନ କରାଯାଇଛି। ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଂଚଳ ଗୁଡ଼ିକରେ ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ୨୦ଟି ମେଡିକାଲ୍ ଟିମ୍ ଓ ୧୦ଟି ପ୍ରାଣୀ ଚିକିତ୍ସକଙ୍କ ଟିମ ମୁତୟନ କରାଯାଇଥିବା ଆପତକାଳୀନ ଅଧିକାରୀ ତଥା ଡେପୁଟି କଲେକ୍ଟର ସଂଘମିତ୍ର ବେହେରା ସୂଚନା ଦେଇଛନ୍ତି।

The post ବାତ୍ୟା ଦୁର୍ବଳ, ବର୍ଷା ମୁକାବିଲା ପାଇଁ ପ୍ରଶାସନର ତତ୍ପରତା first appeared on Sambad.

from ଜିଲ୍ଲା | Sambad https://ift.tt/3EpLaLj

Post a Comment

0 Comments